ତିତଲି ବାତ୍ୟା ଉଜାଡ଼ିଦେଲା ଫସଲ : କୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ

68

କନକ ବ୍ୟୁରୋ : ତିତ୍‌ଲି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ଜଣେ ଚାଷୀ ଆଜି କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ପ୍ରତିବାଦରେ ମୃତ ଚାଷୀଙ୍କ ପରିବାର ଲୋକେ ୪ ଘଣ୍ଟା ଧରି ରାସ୍ତାରୋକ କରିଛନ୍ତି । ମୃତ ଚାଷୀ ହେଲେ, ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଏମ୍‌.ପୁର ପଞ୍ଚାୟତ ତୋଟାଗୁମୁଡ଼ା ଗ୍ରାମର ଚାଷୀ କେ. ଶ୍ରୀନୁ(୪୫) । ଶ୍ରୀନୁଙ୍କ ପରିବାର ଲୋକଙ୍କ କହିବାନୁସାରେ, ତାଙ୍କର ପ୍ରାୟ ୧ ଏକର ଜମି ରହିଛି । ମାଛମରା ଗ୍ରାମରେ ଥିବା ଅନ୍ୟ ୪ଏକର ଜମିରେ ସେ ଭାଗଚାଷ କରୁଥିଲେ । ସେ ପ୍ରାୟ ୩ ଲକ୍ଷ ଟଙ୍କା ହାତ ଉଧାର ଆଣି ଚାଷ କରିଥିଲେ । ତିତ୍‌ଲ ବାତ୍ୟା ପରେ ବନ୍ୟା ଯୋଗୁଁ ତାଙ୍କର ଜମିରେ ପାଣି ମାଡ଼ି ଯାଇଥିଲା ।

ପାଣି ଶୁଖିବା ପରେ ଯାହା କିଛି ଫସଲ ରହିଥିଲା ସେଥିରେ ପୋକ ଲାଗି ଯାଇଥିଲା । ଫସଲ ରକ୍ଷା କରିବା ପାଇଁ ଧାରକରଜ କରି ସେ କୀଟନାଶକ ଔଷଧ କ୍ରୟ କରି ଜମିରେ ସିଞ୍ଚନ କରିଥିଲେ । ତଥାପି କିଛି କାମ ଦେଇନଥିଲା । ସବୁ ଫସଲ ନଷ୍ଟ ହୋଇ ଯାଇଥିଲା । ଋଣ କିପରି ପରିଶୋଧ କରିବେ ସେ ଚିନ୍ତାରେ ରହୁଥିଲେ ଶ୍ରୀନୁ । ଗତକାଲି ସେ ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।

ଘଟଣାର ପ୍ରତିବାଦରେ ଶ୍ରୀନୁଙ୍କ ପରିବାର ଲୋକେ ଦୀର୍ଘ ୩ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ପ୍ରଶାସନ ସହିତ ଆଲୋଚନା ପରେ ସ˚ଧୢା ୬ଟାରେ ରାସ୍ତାରୋକ୍‌ ହଟିଥିଲା। ଏହାପରେ ଶ୍ରୀନୁଙ୍କ ଶବ ସତ୍କାର କରାଯାଇଥିଲା । ଚାଷୀ ଶ୍ରୀନୁଙ୍କ ପରିବାର ବର୍ଗଙ୍କୁ ୨୦ହଜାର ଟଙ୍କା ସହାୟତା ଦିଆଯାଇଛି ବୋଲି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି । ଶ୍ରୀନୁ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ତାଙ୍କର ଦୁଇଟି ଝିଅ ଅଛନ୍ତି ।