ଘରୋଇ କମ୍ପାନୀରୁ ବିହନ କିଣି ଠକାମୀର ଶିକାର ହେଲେ ଚାଷୀ ! ଅମଳ ସମୟରେ ଧାନ ହେଲା ଅଗାଡି

25

କନକ ବ୍ୟୁରୋ : ଚାଷ କାମ ଯାହାର କେଡେ ଆନନ୍ଦ ତାହାର । ଦିନେ ଏହି ଉକ୍ତି ଚାଷୀକୂଳଙ୍କ ମର୍ଯ୍ୟାଦା ବଢାଉଥିଲା କିନ୍ତୁ ବର୍ତ୍ତମାନ ଏହା ଏବେ ଅଭିଶାପ ପାଲଟିଛି । କେଉଁଠି ସରକାରୀ ବ୍ୟବସ୍ଥା ଆଉ କେଉଁଠି ଦଲାଲ ପୁଣି କେତେବେଳେ ଫସଲରେ ରୋଗ ପୋକ ଲାଗି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଛି । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରେ ଶତାଧିକ ଏକ ଧାନ ଗଛରେ ଧାନ ବଦଳରେ ଅଗାଡି ଲାଗିଯାଇଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ତେବେ ଘରୋଇ କମ୍ପାନୀରୁ ବିହନ କିଣି ଚାଷ କରିଥିବା ଚାଷୀ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

 

 

 

 

 

 

 

 

ଭଲ ଧାନ ଅମଳ ହେବ ଏବଂ ଦୁଇ ପଇସା ରୋଜଗାର କରିବେ ଏହି ଆଶାରେ ଚାଷ କରିଥିଲେ ଚାଷୀ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡୀ ବ୍ଲକର ଚାଷୀମାନେ ଏକ ଘରୋଇ କମ୍ପାନୀ ଠାରୁ ବିହନ କିଣି ଧାନ ଅମଳ କରିଥିଲେ । କମ୍ପାନୀର କର୍ମଚାରୀମାନେ ଏକର ପିଛା ୩୦କ୍ୱିଂଟାଲ ଧାନ ହେବାର ପ୍ରଲୋଭନ ଦେଖାଇଥିଲେ । ଋଣ ନେଇ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କାରଣ ଧାନ ଅମଳ ହେବା ସମୟରେ ଅଗାଡି ହୋଇଯାଇଛି । ସରକାରୀ ଅଧିକାରୀ ମାନେ ଧାନ ଅମଳ କମିଯିବାର ଆକଳନ କରିବା ପରେ ଚାଷୀ ମୁଣ୍ଡରେ ଚଡକ ପଡିଛି ।

ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଅମଳ ସମୟରେ ଧାନ ଅଗାଡି ହୋଇଯିବା ଯୋଗୁଁ ଚିନ୍ତାରେ ପଡିଛି । ଏକର ଏକର ଜମିରେ ଚାଷ କରିଥିବା ଚାଷୀ ଏବେ କିପରି ପରିବାର ପ୍ରତିପୋଷଣ କରିବ ସେ ନେଇ କୌଣସି ଉପାୟ ପାଇପାରୁନାହିଁ । ଅପରପକ୍ଷରେ ଘରୋଇ କମ୍ପାନୀ ଦ୍ୱାରା ଯଦି ଚାଷୀମାନେ ଠକାମୀର ଶିକାର ହୋଇଥିବେ ତେବେ ତଦନ୍ତ କରି କମ୍ପାନୀ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା କୃଷି ଉପନିର୍ଦ୍ଦେଶକ କହିଛନ୍ତି । ରୋଜଗାର କରିବାର ସ୍ୱପ୍ନ ଯୋଗୁଁ ଯେ ବହୁମୂଲ୍ୟ ଦେବାକୁ ପଡିବ ଏହା କେବେ ଚିନ୍ତା କରିନଥିଲା ଚାଷୀ । ଏପରି ସମୟରେ ନବରଙ୍ଗପୁରର ଚାଷୀଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଥିବା ବେଳେ ବିଭାଗ କଣ ପଦକ୍ଷେପ ନେଉଛି ତା ଉପରେ ଚାଷୀଙ୍କ ଭାଗ୍ୟ ନିର୍ଭର କରୁଛି ।