ପଦାକୁ ଆସିଲା ନକଲି ନିଯୁକ୍ତି ରାକେଟ୍ ! ଉଜ୍ୱଳ ଯୋଜନା ନାଁରେ ଶତାଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛି ଠକ ସଂସ୍ଥା

41

କନକ ବ୍ୟୁରୋ : ଜାଲ ଚିଠି, ନକଲି ନିଯୁକ୍ତି ପତ୍ରରେ ପ୍ରାଥମିକ ସ୍କୁଲରେ ପାଠ ପଢାଉଛନ୍ତି ନକଲି ଶିକ୍ଷକ । ଶହ ଶହ ନକଲି ଶିକ୍ଷକ ୪ ମାସରୁ ଅଧିକ ଦିନ ଧରି ଶିକ୍ଷକତା କରୁଥିବା ବେଳେ ଅନ୍ଧାରରେ ରହିଥିଲା ଗଣଶିକ୍ଷା ବିଭାଗ । ସାରା ରାଜ୍ୟରେ ଠକ ସଂସ୍ଥା ଦ୍ୱାରା ଏଭଳି ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି । ଘଟଣା ପଦାକୁ ଆସିବା ପରେ ଧରପଗଡ଼ ଆରମ୍ଭ କରିଛି ଗଣଶିକ୍ଷା ବିଭାଗ । ଏହି ନକଲି ଶିକ୍ଷକମାନଙ୍କୁ ସ୍କୁଲ ହତାରେ ପୂରାଇ ନଦେବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ମାଧ୍ୟମିକ ଶିକ୍ଷାପରିଷଦ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମେତ ବିଭାଗ ଅନ୍ତର୍ଗତ ୧୨ଟି ନିର୍ଦ୍ଦେଶାଳୟକୁ ଏନେଇ ଚିଠି ଦିଆଯାଇଛି ।

ଜାଲ ଚିଠିରେ ରାଜ୍ୟରେ ନିଯୁକ୍ତି ପାଇଛନ୍ତି ଶହ ଶହ ନକଲି ଶିକ୍ଷକ । ଡିଲିଜେନ୍ସି ଲର୍ଣ୍ଣିଂ ଫୋକସ ସୋସାଇଟି – ଡିଏଲଏଫଏସ ମାଧ୍ୟମରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ‘ଉଜ୍ୱଳ’ କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମର ଆଳ ଦେଖାଇ ଏହି ସଂସ୍ଥା ବିଭିନ୍ନ ଅଂଚଳର ଶତାଧିକ ଯୁବକଙ୍କୁ ଜାଲ ନିଯୁକ୍ତ ଦେଇଛି । ତେବେ ଏହି କାର୍ଯ୍ୟକ୍ରମ ସଂମ୍ପୂର୍ଣ୍ଣ ଗଣଶିକ୍ଷା ବିଭାଗର ଏବଂ ଏଥିରେ ଅନ୍ୟ କୌଣସି ସଂସ୍ଥାର ସଂପର୍କ ନାହିଁ ବୋଲି ଗଣଶିକ୍ଷା ସଚିବ ସ୍ପଷ୍ଟ କରିଛନ୍ତି । ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ନିଯୁକ୍ତି ପତ୍ର ଦିଆଯାଇଛି ସେଥିରେ ଗଣଣିକ୍ଷା ବିଭାଗର ଷ୍ଟାମ୍ପ, ଯୁଗ୍ମ ସଚିବଙ୍କ ସ୍ୱାକ୍ଷର ମଧ୍ୟ ରହିଥିବା ଅଭିଯୋଗ ହୋଇଛି । ଆଉ ଏକ ସାଂଘାତିକ କଥା ହେଉଛି ଡିଲିଜେନ୍ସି ଲର୍ଣ୍ଣିଂ ଫୋକସ ସୋସାଇଟି – ଡିଏଲଏଫଏସର ନିଯୁକ୍ତି ପତ୍ରରେ ଦିଆଯାଇଥିବା ଠିକଣା ମଧ୍ୟ ଜାଲି । ଭୁବନେଶ୍ୱର ଶିଶୁପାଳଗଡ଼ରେ ଏପରି ଠିକଣା ନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହି ଜାଲ୍ ନିଯୁକ୍ତିର ଚେର ଲମ୍ବିଛି ସାରା ରାଜ୍ୟରେ । ଜାଲ ଚିଠିରେ ନିଯୁକ୍ତି ପାଇ ପାଠ ପଢାଉଛନ୍ତି ଶହ ଶହ ନକଲି ଶିକ୍ଷକ ଓ ଶିକ୍ଷୟତ୍ରୀ । ସେପଟେ ସରକାରୀ ଚାକିରି କରାଇଦେବା ଲୋଭ ଦେଖାଇ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ଠକ ସଂସ୍ଥା । ଏହି ଘଟଣା ପଦାକୁ ଆସିବା ପରେ ନିଦ ହଜିଯାଇଛି ଗଣଶିକ୍ଷା ବିଭାଗର ।