ପୁଲିସ ସାଜିଲା ଚୋର : ଲୁଟ୍ ଉଦ୍ୟମ ଅଭିଯୋଗରେ ଅବକାରୀ ବିଭାଗର ୪ ଠିକା କନେଷ୍ଟବଳ ଅଟକ

41

ନୟାଗଡ : ଅବକାରୀ ବିଭାଗ ଠିକା କର୍ମଚାରୀଙ୍କ ଠକେଇ । ମିଥ୍ୟା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ହାଇରାଣ ହରକତ କରିବା ଓ ସାଙ୍ଗରେ ଥିବା ନୂଆ କାରଟିକୁ ଲୁଟ୍ କରିବା ଉଦେଶ୍ୟରେ ମାରପିଟ କରିବା ଅଭିଯୋଗରେ ୪ କନେଷ୍ଟବଳଙ୍କୁ ଅଟକ ରଖିଛି ନୟାଗଡ ପୋଲିସ । କୃଷ୍ଣ ପରିଡା, ପ୍ରକାଶ ମଲ୍ଲିକ, ଦେବୀପ୍ରସାଦ ପାଣି ଓ ପ୍ରତ୍ୟୁଷ ରଂଜନ ଦେହୁରୀ । ଏହି ୪ଜଣଯାକ ନୟାଗଡ ଅବକାରୀ ବିଭାଗରେ ଚୁକ୍ତିଭିତିରେ କନେଷ୍ଟବଳ ଭାବେ କାମ କରନ୍ତି । ହେଲେ ଅଭିଯୋଗ ଅନୁସାରେ, ଗତ ରାତିରେ ଏକ ସାନିଟାରୀ ଟ୍ରେଡିଂ କମ୍ପାନିର କର୍ମଚାରୀ ମନୋରଂଜନ ପୃଷ୍ଟି ଦଶପଲ୍ଲାରୁ କଲେକ୍ସନ ସାରି ଫେରିବାବେଳେ ଏମାନେ ତାଙ୍କୁ ପିଛା କରିଥିଲେ । ଦୁରୁଦୁରା ନିକଟରେ ତାଙ୍କ କାରକୁ ଅଟକାଇ ଗାଡି ଧକ୍କା କରିଥିବା ଅଭିଯୋଗ କରି ତାଙ୍କଠାରୁ କାରଟି ଛଡାଇ ନେଇଥିଲେ । ପରେ ଅନ୍ୟଏକ ବାଇକରେ ବସାଇ ତାଙ୍କୁ ମାମଲା ରଫଦଫା କରିବା ନାଁରେ ଜଙ୍ଗଲ ଆଡକୁ ନେଇଯାଉଥିଲେ । ହେଲେ ନୟାଗଡ ନୂଆ ବସଷ୍ଟାଣ୍ଡ ନିକଟରେ କିଛି ଲୋକ ଓ ପୋଲିସ ପାଟ୍ରୋଲିଂ ଭ୍ୟାନକୁ ଦେଖି ବାଇକରୁ ଡେଇଁ ପଡିଥିଲେ ମନୋରଂଜନ । ପୋଲିସ ତାଙ୍କୁ ଉଦ୍ଧାର କରିଥିବାବେଳେ ସଙ୍ଗେସଙ୍ଗେ ଅବକାରୀ ବିଭାଗର ଏହି ୪ କନେଷ୍ଟବଳଙ୍କୁ କାବୁ କରିନେଇଥିଲା । ଥାନାରେ ଅଟକ ରଖି ପଚରାଉଚରା ପରେ ଜଣାପଡିଥିଲା ଯେ, ଏଭଳି ସର୍ଚ୍ଚ ପାଇଁ ଏମାନଙ୍କ ନିକଟରେ କୌଣସି ବିଭାଗୀୟ ନିର୍ଦେଶନାମା ନଥିଲା । ତେବେ ଏଭଳି କାଣ୍ଡ ପଛରେ ମନୋରଂଜନଙ୍କ ନୂଆ ସ୍ୱିଫ୍ଟ କାରଟିକୁ ଏମାନେ ଲୁଟିବା ଉଦେଶ୍ୟ ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ନୟାଗଡ ଟାଉନ ପୋଲିସ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରି ମାମଲାର ଛାନଭିନ ଆରମ୍ଭ କରିଛି ।