ଓଡିଶା ହାଇକୋର୍ଟର ହୀରକ ଜୟନ୍ତୀ : ଉତ୍ସବରେ ଯୋଗଦେଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

37

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ହାଇକୋର୍ଟର ହୀରକ ଜୟନ୍ତୀ ଉତ୍ସବ । ହାଇକୋର୍ଟ ପ୍ରତିଷ୍ଠାର ୧୦୦ ବର୍ଷ ପୂର୍ତି ଅବସରରେ ପାଳିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଏହି ଶତବାର୍ଷିକି ଉତ୍ସବ ପାଳନ କରାଯାଉଥିବାବେଳେ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଟି.ଏସ. ଠାକୁର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସୁପ୍ରିମକୋର୍ଟ ବିଚାରପତି ଦୀପକ ମିଶ୍ର, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ ସରଣ ଓ ଅନ୍ୟ ୭ଟି ରାଜ୍ୟର ମୂଖ୍ୟ ବିଚାରପିତି ଉତ୍ସବରେ ସାମିଲ ହୋଇଛନ୍ତି । ହାଇକୋର୍ଟ ବିଚାପତି, ବାର ଆସୋସିଏସନ ସଦସ୍ୟ ଓ ଶତାଧିକ ଆଇନଜୀବୀଙ୍କ ସମାଗମ ହୋଇଛି । ଦିନ ତମାମ ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ ସଂଧ୍ୟାରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ପୁରୀ ଗଜପତି ଦିବ୍ୟସିଂହ ଦେବ । ହାଇକୋର୍ଟର ଶତବାର୍ଷିକି ଉତ୍ସବ ଲାଗି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ୧୨ ପ୍ଲାଟିନ ପୋଲିସ ଫୋର୍ସ ଓ ୪ଟି ଅଗ୍ନିଶମ ଟିମକୁ ମୁତୟନ କରାଯାଇଛି ।

ଏହି ଅବସରରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଟି.ଏସ୍ ଠାକୁର କହିଛନ୍ତି ,ନ୍ୟାୟପାଳିକା ପ୍ରତି ଲୋକଙ୍କ ବିଶ୍ୱାସ ବଢିଛି । ବିଭିନ୍ନ ନ୍ୟାୟଳୟରେ ଖାଲିଥିବା ବିଚାରପତି ପଦ ଖୁବଶୀଘ୍ର ପୂରଣ ହେବ ବୋଲି ସେ କହିଛନ୍ତି । ଏହାସହ ତ୍ୱିରିତ ନ୍ୟାୟ ସାଧାରଣ ଲୋକଙ୍କ ମୌଳିକ ଅଧିକାର । ଏବଂ ଏହାକୁ କୌଣସି ସରକାର ଅଣଦେଖା କରିପାରିବେ ନାହିଁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ଯୋଗଦେଇ କହିଛନ୍ତି ଗଣତନ୍ତ୍ରରେ ନ୍ୟାୟପାଳିକାର ପ୍ରମୁଖ ଅବଦାନ ରହିଛି । ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓଡିଶା ହାଇକୋର୍ଟର ଅବଦାନକୁ ପ୍ରସଂଶା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କୋର୍ଟ ଭିତିଭୂମି ବିକାଶ କ୍ଷେତ୍ରରେ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।