ରାଜ୍ୟ ବରିଷ୍ଠ ଅଫିସରଙ୍କୁ ତାଲିମ ଦେଲେ ଫେସବୁକ ଅଧିକାରୀ ! ୪୮ ଘଂଟା ଭିତରେ ହେବ ସବୁ ସରକାରୀ ଫେସବୁକ୍ ଆକାଉଂଟର ତନଖି

22

କନକ ବ୍ୟୁରୋ : ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ସୋସିଆଲ ମିଡିଆ ଶିକ୍ଷା । ବରିଷ୍ଠ ଅଫିସରଙ୍କୁ ତାଲିମ ଦେଇଛନ୍ତି ଫେସବୁକର ବରିଷ୍ଠ ଅଧିକାରୀ । ଫେସବୁକର ପଲିସି ମ୍ୟାନେଜର ନୀତିନ ସାଲୁଜା ଏହି ତାଲିମ ପ୍ରଦାନ କରିଛନ୍ତିି । ଆସନ୍ତା ୪୮ ଘଂଟା ମଧ୍ୟରେ ସବୁ ସରକାରୀ ଫେସବୁକ ଆକାଂଉଟର ତନଖି କରାଯିବ । ଲୋକଙ୍କ ସମସ୍ୟା ଦୂର କରିବାରେ ସୋସିଆଲ ମିଡିଆ ସହାୟତା କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ । ୪୦ଟି ବିଭାଗର ଫେସବୁକ ଓ ଟ୍ୱିଟର ଆକାଉଂଟ ଖୋଲା ଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଓଡିଶା ସରକାରଙ୍କର ବିଭିନ୍ନ ବିଭାଗ ଲୋକଙ୍କ ସହିତ ସଂପର୍କ ଯୋଡିବାକୁ ଚାହୁଁଛି । କେରଳ ପର୍ଯ୍ୟଟନ ବିଭାଗ କିଭଳି ଫେସବୁକ ଲାଇଭ ଜରିଆରେ କେରଳ ପର୍ଯ୍ୟଟନ ଓ ବେଳାଭୂମିର ପ୍ରଚାର ପ୍ରସାର କରୁଛି ତାର ଉଦାହରଣ ଦେଇଥିଲେ ନୀତିନ ସାଲୁଜା । ଓଡିଶା ପର୍ଯ୍ୟଟନ ବିଭାଗ ମଧ୍ୟ ଫେସବୁକ ଲାଇଭ ମାଧ୍ୟମରେ ପର୍ଯ୍ୟଟନର ପ୍ରସାର କରୁଥିବା ଅଧିକାରୀମାନେ ସୂଚନା ଦେଇଥିଲେ । ଫେସବୁକ ଆକାଉଂଟର ସୁରକ୍ଷାକୁ ନେଇ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବିଶେଷ କରି ସୁଶାସନ ପାଇଁ ସୋସିଆଲ ମିଡିଆ ବିଶେଷ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି । ବିଭିନ୍ନ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ସହ ରାଜ୍ୟବାସୀଙ୍କ ସହ ସିଧାସଳଖ ସଂପର୍କ ଯୋଡିବା ଦିଗରେ ଏହା ସହାୟକ ହେବ ।