ଫେସବୁକ୍ ବ୍ୟବହାରକାରୀ ସାବଧାନ! ଆପଣଙ୍କ ଗୁପ୍ତ ତଥ୍ୟ ଚୋରି କରୁଛନ୍ତି ଭାରତର ପ୍ରମୁଖ ରାଜନୈତିକ ଦଳ, ୫ କୋଟି ୟୁର୍ଜସଙ୍କ ଚୋରି ହୋଇଛି ତଥ୍ୟ

28

କନକ ବ୍ୟୁରୋ : ଆପଣ ବ୍ୟବହାର କରୁଥିବା ଫେସବୁକ୍ ଓ ଏଥିରେ ଆପଣ, ଆପଣଙ୍କ ବିଷୟରେ ଦେଇଥିବା ତଥ୍ୟ ଉପରେ ନଜର ରଖିଛନ୍ତି ଭାରତର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ । ଫେସବୁକରୁ ତଥ୍ୟ ଚୋରିକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ଅଭିଯୋଗ ଆଣି କହିଛନ୍ତି, କେମ୍ବ୍ରିଜ ଏନାଲିଟିକା ନାମକ ଏକ ସଂସ୍ଥାକୁ କଂଗ୍ରେସ, ଭଡାରେ ନେଇ ସମସ୍ତଙ୍କର ଫେସବୁକ୍ ତଥ୍ୟକୁ ଚୋରି କରୁଛି । ଏବଂ ୨୦୧୯ ନିର୍ବାଚନରେ ଏହାକୁ ବ୍ୟବହାର କରିବ । ସେପଟେ କଂଗ୍ରେସ କହିଛି, ବିଜେପି ମିଛ ଅଭିଯୋଗ ଆଣିଛି ଏବଂ ପୂର୍ବରୁ ବିଜେପି ହିଁ କେମ୍ବ୍ରିଜ୍ ଏନାଲିଟିକାକୁ ବ୍ୟବହାର କରିଛି ।

ଆପଣ ଯଦି ସୋସିଆଲ ମିଡିଆ ଫେସବୁକ୍ ବ୍ୟବହାର କରୁଛନ୍ତି ତେବେ ସାବଧାନ ! ଚୋରି ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ । ଆଉ ଏହି ଚୋରି କରାଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ନିର୍ବାଚନ ପୂର୍ବରୁ ଭୋଟରଙ୍କ ଚିନ୍ତାଧାରା ଓ ନିଷ୍ପତିକୁ ପ୍ରଭାବିତ କରିବାକୁ ବିଭିନ୍ନ ରାଜନୈତିକ ଦଳ ଏହାର ବ୍ୟବହାର କରୁଛନ୍ତି । ଡାଟା ଚୋରି ପାଇଁ ଦାୟୀ କରାଯାଉଥିବା କମ୍ପାନୀ ହେଉଛି ବ୍ରିଟେନ୍ର କେମ୍ବ୍ରିଜ୍ ଏନାଲିଟିକା । ଭାରତର ବିଭିନ୍ନ ଦଳ ପାଇଁ ଏହି କମ୍ପାନୀ ଫେସବୁକରୁ ୫ କୋଟି ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୋଗ ହେଉଛି ।

କେମ୍ବ୍ରିଜ୍ ଏନାଲିଟିକାର ନାଁ ପଦାକୁ ଆସିବା ପରେ କଂଗ୍ରେସକୁ ଘେରିଛି ବିଜେପି । ପ୍ରେସମିଟ୍ କରି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ନିଜକୁ ସ୍ୱଚ୍ଛ ସାବ୍ୟସ୍ତ କରନ୍ତୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କଂଗ୍ରେସ କହିଛି, ଏଭଳି ବେଆଇନ୍ ,ସଂସ୍ଥା ସହ କାହାର ସମ୍ପର୍କ ରହିଛି ତାହାର ତଦନ୍ତ କରାନ୍ତୁ ନିର୍ବାଚନ କମିଶନ । ଏହାଛଡା ଏକ ଟ୍ୱିଟ୍ କରି ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସିଧାସଳଖ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗଙ୍କୁ ଲେଖିଛନ୍ତି, ଯଦି ଫେସବୁକ୍ ମାଧ୍ୟମରେ କୌଣସି ତଥ୍ୟ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ ତେବେ ଏହାକୁ ବରଦାସ୍ତ କରାଯିବନାହିଁ । ଏବଂ ଆବଶ୍ୟକ ପଡିଲେ ଜୁକରବର୍ଗଙ୍କୁ ଭାରତକୁ ସମନ କରାଯିବ ବୋଲି ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ସାମ୍ନାକୁ ଆସିଥିଲା କେମ୍ବ୍ରିଜ୍ ଏନାଲିଟିକାର ନାଁ । ୫ ଲକ୍ଷ ଫେସବୁକ୍ ବ୍ୟବହାରକାରୀଙ୍କ ଡାଟା ଚୋରି କରି ଡୋନାଲ୍ଡ ଟ୍ରମ୍ପଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ଆସିଥିଲା ବ୍ରିଟେନ ଭିତିକ ଏହି ଫାର୍ମ ନାଁରେ । ଭାରତରେ ୨୦୧୪ ଲୋକସଭା ନିର୍ବାଚନ ସମୟରୁ ସୋସିଆଲ୍ ମିଡିଆ ଦ୍ୱାରା ପ୍ରଚାର ଜୋର ଧରିଥିଲା । ଏଭଳି ସ୍ଥିତିରେ କେମ୍ବ୍ରିଜ୍ ଏନାଲିଟିକା ସ୍ୱୀକାର କରିଛି ଯେ, ଭାରତରେ ବିଜେପି, କଂଗ୍ରେସ ଓ ଜେଡିୟୁ ଭଳି ଦଳ ପାଇଁ ସେ ପ୍ରଚାର କରିଛି । ଏପରିକି ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏହି କମ୍ପାନୀ କଂଗ୍ରେସ ସହ କାମ କରିବାକୁ ସହମତ ହୋଇଛି ।

କେମ୍ବ୍ରିଜ୍ ଏନାଲିଟିକା ଅଧିନରେ ଥିବା ଅନ୍ୟ ଏକ କମ୍ପାନୀ ଓବଲେନା ବିଜନେଓ ଇଂଟେଲିଜେନ୍ସ ନିଜ ୱେବସାଇଟରେ ଲେଖିଛି ଯେ, ଭାରତର ଅନେକ ରାଜନେତା ଏହି କମ୍ପାନୀର ଗ୍ରାହକ । ଏହି କମ୍ପାନୀର ମାଲିକ ହେଉଛନ୍ତି ଜେଡିୟୁ ନେତା କେସି ତ୍ୟାଗୀଙ୍କ ପୁଅ ଅମରେଶ ତ୍ୟାଗୀ ।