ଜୟଙ୍କ ପରେ ଶୌର୍ଯ୍ୟ ! ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅକୁ ନେଇ ଅଡୁଆରେ ୪ କେନ୍ଦ୍ରମନ୍ତ୍ରୀ

43

କନକ ବ୍ୟୁରୋ: ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କ କଂପାନ ସଂପତି ବୃଦ୍ଧି ବିବାଦ ଥମିନାହିଁ । ଆଉ ଏପଟେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପୁଅ ଶୌର୍ଯ୍ୟ ଡୋଭାଲଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି । ଶୌର୍ଯ୍ୟଙ୍କ ‘ଥିଙ୍କ ଇଣ୍ଡିଆ ଫାଉଣ୍ଡେସନ’କୁ ନେଇ ବିଜେପିକୁ ଘେରାଉ କରୁଛି କଂଗ୍ରେସ । ୱେବସାଇଟ ‘ଦ ଓୟାର’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶୌର୍ଯ୍ୟ ଡୋଭାଲଙ୍କ ‘ଥିଙ୍କ ଇଣ୍ଡିଆ ଫାଉଣ୍ଡେସନ’ ସଂଗଠନରେ ୪ ଜଣ କେନ୍ଦ୍ରମନ୍ତ୍ରୀ ଉଚ୍ଚ ପଦବୀରେ ଅଛନ୍ତି । ସେମାନେ ହେଲେ ନିର୍ମଳା ସୀତାରମଣ, ସୁରେଶ ପ୍ରଭୁ, ଜୟନ୍ତ ସିହ୍ନା ଓ ଏମଜେ ଆକବର । ସଂଗଠନକୁ ସରକାରଙ୍କ ସହ ସଂପୃକ୍ତ ବିଭିନ୍ନ ଆର୍ଥିକ ସଂସ୍ଥା ଠାରୁ ଆର୍ଥିକ ସହାୟତା ମିଳୁଛି । ତେଣୁ ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ସଂପୃକ୍ତି ଦେଶ ହିତର ବିରୋଧୀ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ଏହାକୁ ନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି, ଶାହାଜାଦାଙ୍କ ଅପାର ସଫଳତା ପରେ ବିଜେପିର ନୂଆ ଉପହାର ଅଜିତ-ଶୌର୍ଯ୍ୟ ଗାଥା । ଶୌର୍ଯ୍ୟଙ୍କ ସଂଗଠନ କିଛି ବିଦେଶୀ ଓ ଭାରତୀୟ କର୍ପୋରେଟରଙ୍କ ଅନୁଦାନରେ ଚାଲିଛି । ତେଣୁ ଏଥିରେ କେନ୍ଦ୍ରମନ୍ତ୍ରୀମାନେ କିପରି ନିର୍ଦ୍ଦେଶକ ପଦବୀରେ ରହିବେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ତୁରନ୍ତ ୪ ଜଣ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ହଟାଇ ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

ସୂଚନା ମୁତାବକ, ଅଜିତ ଡୋଭାଲଙ୍କ ପୁଅ ଶୌର୍ଯ୍ୟ ଡୋଭାଲଙ୍କ ଦ୍ୱାରା ପରିଚାଳିତ ଥିଙ୍କ୍ ଟ୍ୟାଙ୍କ୍ ଇଣ୍ଡିଆ ଫାଉଣ୍ଡେସନକୁ ନେଇ ଏବେ ଏନଡିଏ ସରକାର ଓ ବିଜେପିକୁ ଘେରିବା ପାଇଁ କଂଗ୍ରେସ ତା’ର ଅଭିଯାନ ଆରମ୍ଭ କରିଦେଇଛି । ଶୌର୍ଯ୍ୟଙ୍କ ଇଣ୍ଡିଆ ଫାଉଣ୍ଡେସନ ଏଭଳି କେତେକ ଆର୍ଥିକ ସଂସ୍ଥା ସହିତ ଅଂଶୀଦାର ରହିଛି ଯାହା ସିଧାସଳଖ ସରକାରଙ୍କ ସହ ଆର୍ଥିକ କାରବାରରେ ସଂପୃକ୍ତ ଏବଂ ମନ୍ତ୍ରୀମାନେ ଏହି ସଂସ୍ଥାରେ ନିର୍ଦ୍ଦେଶକ ପଦବିରେ ରହିବା କେତେଦୂର ଯୁକ୍ତିଯୁକ୍ତ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହି ସଂଗଠନ କିଛି ବିଦେଶୀ ଏବଂ ଭାରତୀୟ କର୍ପୋରେଟଙ୍କ ଆର୍ଥିକ ସହାୟତାରେ ଚାଲିଥିବାରୁ କେନ୍ଦ୍ରମନ୍ତ୍ରୀମାନେ ଏଥିରେ କିଭଳି ନିର୍ଦ୍ଦେଶକ ରହିପାରିବେ ବୋଲି କଂଗ୍ରେସ ନେତା କପିଲ ସିବଲ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।

ଇଣ୍ଡିଆ ଫାଉଣ୍ଡେସନରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ଦୁଇ ଜଣ ରାଜ୍ୟ ମନ୍ତ୍ରୀ ଜୟନ୍ତ ସିହ୍ନା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏମଜେ ଆକବର ରହିଛନ୍ତି । ସଂସ୍ଥାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶୌର୍ଯ୍ୟ ଡୋଭାଲ ଜେମିନି ଫାଇନାନ୍ସିଆଲ ସର୍ଭିସେସକୁ ମଧ୍ୟ ସଂଚାଳନ କରୁଛନ୍ତି । କଂଗ୍ରେସ ଦାବି କରିଛ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ନିର୍ଦ୍ଦେଶକ ଥିବା ୪ ଜଣ ମନ୍ତ୍ରୀଙ୍କୁ ତୁରନ୍ତ ହଟାଇ ଦେବା ଆବଶ୍ୟକ । ଏହା ସହିତ ମାମଲାର ସିବିଆଇ ଯାଞ୍ଚ ପାଇଁ ମଧ୍ୟ ଦଳ ଦାବି କରିଛି । କଂଗ୍ରେସ ନେତା ସିବଲ କହିଛନ୍ତି ଯେ ଶୌର୍ଯ୍ୟ ଡୋଭାଲଙ୍କ ପରିଚାଳିତ ସଂସ୍ଥାରୁ ଫାଇଦା ପାଉଥିବା ୪ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ତୁରନ୍ତ ହଟାଇବା ଦିଗରେ ପଦକ୍ଷେପ ନେବା ଉଚିତ ।

ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କମ୍ପାନି ଟେମ୍ପଲ୍ ଏଣ୍ଟରପ୍ରାଇଜ୍ ୨୦୧୫-୧୬ରେ ପୂର୍ବ ବର୍ଷ ତୁଳନାରେ ୧୬,୦୦୦ ଗୁଣ ଅଧିକ କାରବାର କରିଥିବା ନେଇ ଖବର ପ୍ରକାଶ କରିଥିବା ୱେବସାଇଟ୍ ‘ଦ ଓୟାର’ ଏବେ ଶୌର୍ଯ୍ୟଙ୍କ ସଂସ୍ଥା ସଂପର୍କରେ ଖୋଳତାଡ଼ କରି ପୁଣି ଚର୍ଚ୍ଚାକୁ ଆସିଛି ।