ମିଶ୍ରଣ ପର୍ବରେ ଶକ୍ତି ଦେଖାଇବ ବିଜେପି : ଶଙ୍ଖ ଛାଡି ପଦ୍ମ ଧରିବେ ପୂର୍ବତନ ବିଜେଡି ନେତା ସନତ ଗଡ଼ତିଆ

165

କନକ ବ୍ୟୁରୋ : ବିଜେପୁରରେ ବିଜେପିର ମିଶ୍ରଣ ପର୍ବ । ଶଙ୍ଖ ଛାଡି ପଦ୍ମ ଧରିବେ ପୂର୍ବତନ ବିଜେଡି ନେତା ସନତ ଗଡତିଆ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନିଜ ସମର୍ଥକ ମାନଙ୍କ ସହ ବିଜେପିରେ ସାମିଲ ହେବେ । ଉପନିର୍ବାଚନ ପାଇଁ ବିଜେପୁରରେ ପ୍ରଚାର ଜୋରଦାର ହୋଇଥିବା ବେଳେ ମିଶ୍ରଣ ପର୍ବ କରି ଏକପ୍ରକାର ଶକ୍ତି ପ୍ରଦର୍ଶନ କରୁଛି ବିଜେପି । ସେପଟେ ତିନି ଦଳର ପ୍ରଚାରରେ ଫାଟି ପଡୁଛି ବିଜେପୁର । ସିନେ ତାରକାଙ୍କଠୁ ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟସ୍ତରର ମନ୍ତ୍ରୀ ଓ ନେତାଙ୍କ ଗହଳି ଲାଗିଛି ବରଗଡ ଜିଲ୍ଲା ବିଜେପୁରରରେ ।

ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ମାରାଥନ ପ୍ରଚାର ଚଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ତୃତୀୟ ଦିନ ପାଇଁ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ପ୍ରଚାର କରିସାରିଛନ୍ତି । ତୃତୀୟ କେନ୍ଦ୍ରମନ୍ତ୍ରୀ ଭାବେ ଆଜି ସାଧ୍ୱୀ ନିରଞ୍ଜନ ଜ୍ୟୋତି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ବରପାଲିରେ ରୋଡ ସୋ ଓ ନିର୍ବାଚନୀ ସଭାରେ ଉଦବୋଧନ ଦେବେ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ଗାଇସିଲଟ ବ୍ଲକରେ ବିଭିନ୍ନ ସ୍ଥାନରେ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗଦେବେ ସାଧ୍ୱୀ ନିରଞ୍ଜନ ଜ୍ୟୋତି ।