ରେଳ ବିକାଶ ନିଗମ ବିରୋଧରେ ତାତିଲେ ଚାଷୀ ! ରେଳ ଲାଇନରେ ଗଳିପୋଲ ନିର୍ମାଣକୁ ଅଣଦେଖା ନେଇ ଯାଜପୁରରେ ଚାଷୀ ଅସନ୍ତୋଷ

35

କନକ ବ୍ୟୁରୋ: ରେଳ ବିକାଶ ନିଗମ ବିରୋଧରେ ତାତିଲେ ଚାଷୀ । ରେଳ ଲାଇନରେ ଗଳିପୋଲ ନିର୍ମାଣକୁ ଅଣଦେଖା କରିବାରୁ ଯାଜପୁର ଜିଲ୍ଳା ବିକ୍ରମତିରଣ ଅଂଚଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ନିର୍ମାଣାଧିନ ହରିଦାସପୁର-ପାରାଦୀପ ରେଳପଥର ଗୋବଣ୍ଡିଆ ନିକଟରେ ଗଳିପୋଲ ତିଆରି ପାଇଁ ଦୀର୍ଘ ଦିନରୁ ଚାଷୀଙ୍କ ଦାବି ରହିଆସିଛି । ଏନେଇ ମୁଖ୍ୟମନ୍ତ୍ରୀ, ଜିଲ୍ଳାପାଳ ଓ ରାଜନେତାମାନଙ୍କୁ ଲିଖିତ ଅନୁରୋଧ ମଧ୍ୟ କରାଯାଇଛି । କିନ୍ତୁ ଏଥିପ୍ରତି କାହାର ନିଘା ନାହିଁ । ଯାହାକୁ ନେଇ ଚାଷୀ ଅସନ୍ତୋଷ ବୃଦ୍ଧିପାଇଛି ।

ଚାଷ ଉପରେ ନିର୍ଭର କରି ଗୁଜୁରାଣ ମେଂଟାଉଥିବା ଚାଷୀଙ୍କ ଯିବାଆସିବା ବାଟରେ ବାଧକ ସାଜିଛି ରେଳ ଲାଇନ । ସେପଟେ ଚାଷୀଙ୍କ ଦୀର୍ଘଦିନର ଦାବି ପୂରଣ ନହେବାରୁ ଏବେ ରେଳବିଭାଗ ବିରୋଧରେ ଆନ୍ଦୋଳନ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ୧୮ତାରିଖ ଭିତରେ ରେଳ ବିଭାଗ କୌଣସି ପଦକ୍ଷେପ ନନେଲେ ୧୯ତାରିଖରେ ଭୁବନେଶ୍ୱର ରେଳ ବିକାଶ ନିଗମ କାର୍ଯ୍ୟାଳୟ ଆଗରେ ଶତାଧିକ ଚାଷୀ ଆନ୍ଦୋଳନ କରିବେ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।