ରାଜଧାନୀରେ ବିହାର ଷ୍ଟାଇଲରେ ଯୁକ୍ତ ଦୁଇ ଛାତ୍ରଙ୍କୁ ଅପହରଣ ! ଇଂଜିନିୟରିଂ ଛାତ୍ରଙ୍କ ଅଭାବନୀୟ କାଣ୍ଡ,୧୧ ଲକ୍ଷରେ ରଖିଥିଲେ ମୁଣ୍ଡ ଜାମିନ

29

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ବିହାର ଷ୍ଟାଇଲରେ ଅପହରଣ । ଏବଂ ଅପହରଣ କରି ୧୧ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ୫ଜଣ ଅଭିଯୁକ୍ତ । ଆଉ ଏହି ଅଭିଯୁକ୍ତମାନେ ହେଲେ ଇଞ୍ଜିନିୟରିଂ ପାଠ ପଢ଼ିଥିବା ପାଠୁଆ ଛାତ୍ର । ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ଗୌରବ ରଥ ନାମକ ଜଣେ ଛାତ୍ରଙ୍କୁ ଅପହରଣ କରି ନେଇଥିଲେ ଏହି ଇଞ୍ଜିନିୟରିଂ ଛାତ୍ରମାନେ । ତେବେ ପୋଲିସ୍ ଛାତ୍ରକୁ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

କୋଚିଂ କ୍ଲାସ୍ ସାରି ଘରକୁ ଫେରୁଥିବା ବେଳେ ହଠାତ୍ ୩ରୁ ୪ ଜଣ ଯୁବକ ମାଡ଼ି ବସିଲେ ଗୌରବଙ୍କୁ । ଗୌରବ କିଛି ବୁଝି ପାରିନଥିଲେ । ଜୋର ଜବରଦସ୍ତି ଗାଡ଼ି ଡିକି ଭିତରେ ପୁରାଇ ଦେଲେ ଉକ୍ତ ଯୁବକମାନେ ଏବଂ ସେଠାରୁ ଛୁ ମାରିଲେ । ପୁରା ସିନେମା ଢ଼ଙ୍ଗରେ ଥିଲା ଏହି ଘଟଣା । ଏହି ଘଟଣା ପରେ ଗୌରବଙ୍କ ବାପାଙ୍କୁ କଲ୍ ଆସିଲା । କୁହାଗଲା ତୁରନ୍ତ ୧୧ ଲକ୍ଷ ଟଙ୍କା ଦିଅ ଏବଂ ପୁଅକୁ ଫେରାଇ ନିଅ । ନଚେତ୍ ପୁଅର ମଲାମୁହଁ ଦେଖିବ । ଗୌରବଙ୍କ ବାପା କାନ୍ଦି କାନ୍ଦି ଟଙ୍କା ଯୋଗାଡ଼ କରିବେ ବୋଲି ପ୍ରତିଶ୍ରୁତି ଦେଲେ ।

୨ ଲକ୍ଷ ଟଙ୍କାର ବ୍ୟାଗ୍ ଧରି ସୈନିକ ସ୍କୁଲ୍ ଛକରେ ପହଞ୍ଚିଲେ ଗୌରବଙ୍କ ବାପା । ସେପଟୁ ଫୋନରେ ନିର୍ଦ୍ଦେଶ ଆସିଲା, ପାଚେରୀ ପାଖରେ ଟଙ୍କା ବ୍ୟାଗ୍ ଫିଙ୍ଗିଦିଅ ଏବଂ ଚୁପଚାପରେ ଫେରିଯାଅ, ପୁଅ ମିଳିଯିବ । ଆଉ ସତକୁ ସତ ୨ ଘଂଟା ପରେ ଗୌରବ ଫେରି ଆସିଲା ।

ତେବେ ଉକ୍ତ ଅଭିଯୁକ୍ତଙ୍କ ବିଷୟରେ ଶୁଣିଲେ ସମସ୍ତଙ୍କ ହୋସ୍ ଉଡ଼ିଯିବ । ଗୁଣପୁର ଜିଆଟିରେ ବିଟେକ୍ କରିଥିବା ଗୋପାଳକୃଷ୍ଣ ମହାପାତ୍ର, ସିପିଇଟିରୁ ଇଞ୍ଜିନିୟରିଂ କରିଥିବା ଅଭିଜିତ୍ ମିଶ୍ର, ଭୁବନେଶ୍ୱରର government polytechnicରୁ ଇଞ୍ଚିନିୟରିଂ କରିଥିବା ସିଦ୍ଧାର୍ଥ ମହାପାତ୍ର, ଆଇଟିଆଇ କରିଥିବା ଶୋଭରାଜ ବେହେରା ଏବଂ ସୌମ୍ୟରଂଜନ ମିଶ୍ର । ୯୬ ଘଂଟାର ଅପରେସନ ପରେ ଏହି କ୍ରାଇମ୍ ପ୍ଲଟରୁ ପର୍ଦ୍ଦାଫାସ କରିଥିଲା ପୋଲିସ୍ । ଗୌରବ ରଥ ଘରେ ଠିକ ଭାବେ ପହଞ୍ଚିବା ଓ ଶେଷରେ ଅଭିଯୁକ୍ତ ମାନେ ଧରାପଡ଼ିବା ଘଟଣା ପୋଲିସକୁ ଏକ ବଡ଼ ସଫଳତା ଆଣିଦେଇଛି ।

ଇଞ୍ଜିନିୟରିଂ ଛାତ୍ରମାନଙ୍କର ଅପହରଣ କରିବାର ପ୍ରକ୍ରିୟା କଣ ଥିଲା ? ଜାଣନ୍ତୁ . . .
ପୂର୍ବରୁ ନାଟକୀୟ ଭାବେ ବିଭିନ୍ନ କୌଶଳ କରୁଥିଲେ ଏହି ଦୁର୍ବୃତ୍ତ । ବିଭିନ୍ନ ଆଳ ଦେଖାଇ ଯୁବକଙ୍କୁ ନିଛାଟିଆ ଜାଗାକୁ ଡାକୁଥିଲେ ଯୁବତୀ । ଏବଂ ସୁଯୋଗ ଦେଖି ପୁରୁଷ ବନ୍ଧୁଙ୍କ ସହାୟତାରେ ପୂର୍ବ ଯୋଜନା ଅନୁଯାୟୀ ବିହାରୀ ଷ୍ଟାଇଲରେ କରୁଥିଲେ ଅପହରଣ ।

ତେବେ ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଟଙ୍କା ଅର୍ଜନ କରିବା ଏବଂ ସେମାନେ ଟଙ୍କା କମାଇବା ପାଇଁ ଅପରାଧକୁ ରାସ୍ତା ରୂପେ ବାଛିନେଇଥିଲେ । ଏହି ଅଭିଯୁକ୍ତ ମାନଙ୍କୁ ଫଟୋସୁଟ୍ କରିବା ନାଁରେ ଟାର୍ଗେଟରେ ଥିବା ବ୍ୟକ୍ତିଙ୍କୁ ଫୋନ କରି ନିର୍ଦ୍ଦିଷ୍ଟ ସ୍ଥାନକୁ ଡାକି ଥାଆନ୍ତି, ଏବଂ ସେମାନଙ୍କ ଗ୍ୟାଙ୍ଗରେ ଥିଲେ ଏକାଧିକ ଯୁବତୀ । ଜଣେ ବ୍ୟକ୍ତିଙ୍କୁ ସେମାନେ ଫୋନ୍ କରି ଭୁବନେଶ୍ୱର ଡାକିବାର ଅଡ଼ିଓ ରେକର୍ଡ଼ ସାମ୍ନାକୁ ଆସିଛି ।

ଠିକ୍ ଏହି ଢ଼ଙ୍ଗରେ ଲୋକଙ୍କୁ ଅପହରଣ କରିବା ପାଇଁ ଟାର୍ଗେଟ କରନ୍ତି ଅଭିଯୁକ୍ତମାନେ । କୁହାଯାଉଛି ନୂଆ କି ଏଭଳି ଏକ ଗ୍ୟାଙ୍ଗ୍ ଗଢ଼ି ଅପହରଣ କରିବା ପାଇଁ ଉଦ୍ୟମ କରୁଥିଲେ ଅଭିଯୁକ୍ତ । ତେବେ ଟଙ୍କା ନଥିବାରକୁ ବ୍ୟସ୍ତ ବିବ୍ରତ ହୋଇ ଶୈଳଶ୍ରୀ ବିହାରର ଗୌରବ ରଥଙ୍କୁ ଅପହରଣ କରାଯାଇଥିଲା । ଶେଷରେ ଅଭିଯୁକ୍ତମାନେ ଧରାପଡ଼ିବାରୁ ଏବେ ଶାନ୍ତିରେ ନିଶ୍ୱାସ ମାରିଛି ପୋଲିସ୍ ।