ଗାଁ ଗାଁରେ ବିକାଶ ପାଇଁ ଆରମ୍ଭ ହେଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ! ଭିଡିଓ କନଫରେନ୍ସିଂ ଜରିଆରେ ପଂଚାୟତ ପ୍ରତିନିଧିଙ୍କ ସହ କଥା ହେଲେ ନବୀନ

54

କନକ ବ୍ୟୁରୋ : ଗାଁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ସରକାର ଆଣିଲେ ନୂଆ ଯୋଜନା । ଆମ ଗାଁ , ଆମ ବିକାଶ ଯୋଜନାରେ ଏଣିକି ସିଧାସଳଖ ଲୋକଙ୍କ କଥା ବୁଝିବେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ପଂଚାୟତ ପ୍ରତିନିଧିଙ୍କ ସହ ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା କରି ନିଷ୍ପତ୍ତି ନେବେ । ଆଉ ଆଜି ଏହି ଯୋଜନାର ଶୁଭାରମ୍ଭ ଅବସରରେ ସମ୍ବଲପୁର, ଯାଜପୁର, ଗଂଜାମ ଏବଂ କୋରାପୁଟ ଜିଲ୍ଲାର ୪ଟି ପଂଚାୟତର ।

ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ, ସମସ୍ୟା ଜଣାଇଲେ, ଆଉ ତୁରନ୍ତ ବାହାରିଗଲା ସମାଧାନର ବାଟ । ଓଡ଼ିଶାର ଗାଁର ଚିତ୍ର ବଦଳାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା । ଆମ ଗାଁ, ଆମ ବିକାଶ, ଯୋଜନା ମାଧ୍ୟମରେ ଗାଁ ଲୋକଙ୍କ ପାଖରେ ପହଂଚିବାକୁ ରାଜ୍ୟ ସରକାର ଏପରି ପ୍ରୟାସ କରିଛନ୍ତି । ସଚିବାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ୪ଟି ଜିଲ୍ଲା-ଯାଜପୁର, ସମ୍ବଲପୁର, ଗଂଜାମ ଏବଂ କୋରାପୁଟ ଜିଲ୍ଲାର ୩୨ଟି ପ୍ରକଳ୍ପ ପାଇଁ ୨କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଗାଁ ବାଟରୁ ଗାଧୁଆ ତୁଠ । ପଂଚାୟତର ପ୍ରକଳ୍ପରୁ ହିତାଧିକାରୀଙ୍କ ସମସ୍ୟା । ସିଧାସଳଖ ପଂଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାଜପୁରର ଖଇରାବାଦ, ସମ୍ବଲପୁରର ଶାସନ, ଗଂଜାମର ସାନକୁଦ ଏବଂ କୋରାପୁଟର ନାରାୟଣପାଟଣା ପଂଚାୟତର ପ୍ରତିନିଧିଙ୍କ ସହ ସିଧାସଳଖ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ନବୀନଙ୍କ ଏହି ନୂଆ ଯୋଜନାକୁ ନେଇ କିନ୍ତୁ ବିରୋଧୀ ବିଜେପି ପ୍ରଶ୍ନ ଉଠାଇଛି । ସରକାରୀ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଥିବା ଅଭିଯୋଗ କରିଛି ।ପଲ୍ଲୀସଭାରେ ହେଉଥିବା କାମ ପାଇଁ କଳିସଭାର ବାଟ ପ୍ରସ୍ତୁତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ଦଳ ନେତା । ଯାହାର ଜବାବ କରିଛନ୍ତି ପଂଚାୟତିରାଜ୍ ମନ୍ତ୍ରୀ ।

ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତି, ଯାହା ପଂଚାୟତିରାଜ୍ ଦିବସ ଭାବରେ ପାଳନ ହେଉଛି- ସେହି ଦିନରେ ଗାଁ ଲୋକଙ୍କ ପାଖରେ ପହଂଚିବାକୁ ଏକ ନୂଆ ପ୍ରୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଖିବାର କଥା-ଏହି ଯୋଜନା ଗାଁର ବିକାଶକୁ କେତେ ଦୂର ତ୍ୱରାନ୍ୱିତ କରିପାରୁଛି ।