ପୋଲିସର ଅପରେସନ କ୍ଲିନ ଅଭିଯାନ ! ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କିଶନ ପାତ୍ର ଗୁରୁତର, କମିଶନରେଟ୍ ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ କାଳନ୍ଦି ଆହତ

41

କନକ ବ୍ୟୁରୋ : ପୁଣି ଗର୍ଜିଲା ବନ୍ଧୁକ । ପୋଲିସର ଅପରେସନ କ୍ଲିନ ଅଭିଯାନରେ ଆଉ ଏକ ଏନକାଉଣ୍ଟର । ଗଞ୍ଜାମ ଜିଲ୍ଲା ଆସିକା ଚାରମାଇଲ୍ ଛକରେ ଏନକାଉଣ୍ଟର । ଆସିକା ପୁଲିସର ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ କିଶନ ପାତ୍ର ଗୁରୁତର ହୋଇଛନ୍ତିି । କିଶନର ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ କିଶନକୁ ମେଡିକାଲରେ ଭର୍ତି କରାଯାଇଛି । ତାଙ୍କ ନିକଟରୁ ଗୋଟିଏ ମାଉଜର ଓ ୨ଟି ଜୀବନ୍ତ ଗୁଳି ଜବତ କରିଛି ଆସିକା ପୋଲିସ୍ । କିଶନ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।

ସେହିଭଳି ପୂଜା ପୂର୍ବରୁ ଅପରାଧୀଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସ ମଧ୍ୟ ଏନକାଉଣ୍ଟର ଅଭିଯାନ ଆରମ୍ଭ କରିଛି । ଆଉ ଏହାର ଝଲକ ପ୍ରତି ଦୁଇ ତିନ ଦିନ ଅନ୍ତରାଳରେ କଟକରେ ଦେଖିବାକୁ ମିଳୁଛି ।ଗତକାଲି ପୂଜା ପୂର୍ବରୁ କଟକରେ ଆଉ ଏକ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ୍ । ଦୁର୍ଦାନ୍ତ ଅପରାଧୀ କାଳନ୍ଦୀ ଖୁଂଟିଆକୁ ଗୁଳି କରିଛି କମିଶନରେଟ୍ ପୋଲିସ । କାଳନ୍ଦୀର ଗୋଡରେ ଗୁଳି ବାଜିଛି । ଚିକିତ୍ସା ପାଇଁ ତାକୁ ଏସ୍ସିବି ବଡ ମେଡିକାଲରେ ଭର୍ତି କରାଯାଇଛି । କାଳନ୍ଦୀକୁ ଧରିବା ପାଇଁ ଅନେକ ଦିନ ହେଲାଣି ପୋଲିସ ଜାଲ ବିଛାଇ ବସିଥିଲା । ଖାନନଗର ଅଂଚଳରେ ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ ସୋମବାର ରାତିରେ କାଳନ୍ଦୀଙ୍କୁ ଟାର୍ଗେଟ୍ କରିଥିଲା ।
କିଛି ଦିନ ତଳେ ବାଦାମବାଡିରେ ହୋଇଥିବା ବୋମାମାଡରେ ତାର ସଂପୃକ୍ତି ଥିବା ପୋଲିସ କହିଛି । ଏଥିସହ ଅନେକ ହତ୍ୟା ଓ ଦାଦାବଟି ଆଦାୟ ଭଳି ଗୁରୁତର ଅଭିଯୋଗ ରହିଛି କାଳନ୍ଦୀ ନାଁରେ । ତେବେ ଏନକାଉଣ୍ଟର ବେଳେ ବାଦାମବାଡି ଆଇଆଇସି ବିରଂଚି ପତି ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । କାଳନ୍ଦୀଙ୍କୁ ଧରିବା ବେଳେ ଧସ୍ତାଧସ୍ତିରେ ସେ ଆହତ ହୋଇଛନ୍ତି ।