କଲ୍ୟାଣସିଂହପୁର : ଗୁଣିଗାରେଡି ସନ୍ଦେହର କରୁଣ ପରିଣତି ! ଗାଁ ଦାଣ୍ଡରେ ମହିଳାଙ୍କୁ ପିଟିଲେ ଗ୍ରାମବାସୀ

26

କନକ ବ୍ୟୁରୋ : ଗୁଣିଗାରେଡି ସନ୍ଦେହର କରୁଣ ପରିଣତି । ଗୁଣିଗାରେଡି ସନ୍ଦେହରେ ଗାଁ ଦାଣ୍ଡରେ ମହିଳାଙ୍କୁ ମାଡ ମାରିଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସାନଖେମୁଣ୍ଡି ପଦର ଗାଁରେ । ଦାମୋଦର ପଟେଲ ଓ ତାଙ୍କ ପରିବାର ନାରାୟଣପାଟଣାରୁ ଆସି ସାନଖେମୁଣ୍ଡି ଗାଁରେ ଏକ ଦୋକାନ କରି ଚଳୁଥିଲେ ।

ତେବେ ଗତ କିଛିଦିନ ହେବ ପଟେଲଙ୍କ ସ୍ତ୍ରୀ ଗୁଣିଗାରେଡି କରୁଥିବା ନେଇ ଗ୍ରାମବାସୀ ସନ୍ଦେହ କରୁଥିଲେ । ଏନେଇ ଗାଁ କମିଟି ପକ୍ଷରୁ ଏକ ବୈଠକ ବସି ଏମାନଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ନିଆଁପାଣି ବନ୍ଦ କରିବା ପରେ ଗତ ତିନିଦିନ ତଳେ ଗାଁ କମିଟି ଆଉ ଏକ ବୈଠକ କରିଥିଲା । ଯେଉଁଥିରେ ସାମିଲ ହେବା ପାଇଁ ସଂପୃକ୍ତ ମହିଳାଙ୍କୁ ଡକା ଯାଇଥିଲା ।

ତେବେ ମହିଳାଙ୍କ ସ୍ୱାମୀ ନଥିବାରୁ ସେ ବୈଠକକୁ ଆସିପାରିନଥିଲେ । ପରେ ସେ ବୈଠକକୁ ନଆସିବାରୁ ଗାଁର ମହିଳାମାନେ ତାଙ୍କ ଘରେ ପଶି ତାଙ୍କୁ ମାଡ ମାରିବା ସହ ଘୋସାଡି ଘୋସାଡି ଆଣି ଗାଁ ଦାଣ୍ଡରେ ଉଲଂଗ୍ନ କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ଦାମୋଦର କଲ୍ୟାଣସିଂହପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆସି ଗାଁରେ ଘଟଣା ବାବଦରେ ବୁଝାସୁଝା କରିଛି । ସଚେତନତା ଅଭାବରୁ ରାଜ୍ୟରେ ଏଭଳି ଘଟଣା ବାରମ୍ବାର ଘଟୁଛି ।