ପୁରୀରୁ ଲଢିବେ ମୋଦି ! ଜାତୀୟ କାର୍ଯ୍ୟକାରିଣୀରେ ବିଜେପି ନେତାଙ୍କ ପ୍ରସ୍ତାବ

120

କନକ ବ୍ୟୁରୋ : କଳିଙ୍ଗ ଦଖଲ ପାଇଁ ଅଂଟା ଭିଡିଲେ ମୋଦି । ଜାତୀୟ କାର୍ଯ୍ୟକାରିଣୀ ପରେ ଏହି ଦିଗକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଜାତୀୟ ଗଣମାଧ୍ୟମରେ ଆସିଛି ଅଉ ଏକ ରୋଚକ ତଥ୍ୟ । ୨୦୧୯ରେ ପୁରୀରୁ ନିର୍ବାଚନ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ଟୁଡେ ମ୍ୟାଗାଜିନ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ଜଗନ୍ନାଥ ଧାମ ପୁରୀରୁ ଲଢିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ପ୍ରସ୍ତାବ ରଖିଥିଲେ କିଛି ବିଜେପି ନେତା ।

ଓଡିଶା ନେତାଙ୍କ ଯୁକ୍ତିଥିଲା, ଗୁଜୁରାଟ ଅର୍ଥାତ୍ ସୋମନାଥ ଧାମରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ମୋଦି । କାଶୀ ବିଶ୍ୱନାଥ ପୀଠରୁ ନିର୍ବାଚିତ ହୋଇ ବନିଥିଲେ ପ୍ରଧାନମନ୍ତ୍ରୀ । ତେଣୁ ପରବର୍ତୀ ନିର୍ବାଚନ ସେ ଜଗନ୍ନାଥ ଧାମ ଅର୍ଥାତ୍ ପୁରୀରୁ ଲଢନ୍ତୁ । ବିଜେପି ରାଜ୍ୟ ଶାଖା ନେତାଙ୍କ ଏହି ଯୁକ୍ତି ଏବେ ରାଜନୈତିକ ପାଣିପାଗକୁ ସରଗରମ କରିଛି ।

କଥା ଏତିକିରେ ସରିନି । ଯଦି ମୋଦି ଏହି ପ୍ରସ୍ତାବରେ ରାଜି ନହୁଅନ୍ତି ତେବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଓଡିଶାରୁ ଲଢିବାକୁ କୁହାଯାଉ ବୋଲି ଦଳୀୟ ନେତା ମତ ରଖିଥିଲେ । ବିଜେପିର ଏଭଳି ପ୍ରସ୍ତାବ ପଛରେ ରହିଛି ଗୁଢ ରାଜନୀତି । ପୂର୍ବୋତରର ୭ ରାଜ୍ୟରେ ଅଧିକରୁ ଅଧିକ ଆସନ ଜିତିବାକୁ ଲକ୍ଷ୍ୟ ରଖିଛି ବିଜେପି ଶାଖା । ଆଉ ଓଡିଶାରେ ଏହାର ମୁଳଦୁଆ ପକାଇବାକୁ ଚାଲିଛି ଯୋଜନା ।

ଯଦି ବିଜେପିର ରାଷ୍ଟ୍ରୀୟ ଶାଖା ଏହି ଯୋଜନା କାର୍ଯ୍ୟକାରୀ କରନ୍ତି, ତେବେ ଓଡିଶାର ରାଜନୈତିକ ପାଣିପାଗ ବଦଳିଯିବ । ରାଜ୍ୟରେ ବିଜେପି ଅଂଟା ସଳଖି ଆଗକୁ ବଢୁଥିବା ବେଳେ ବିଜେଡିକୁ କଡା ଟକ୍କର ଦେଉଛି । ପୂର୍ବରୁ ମଧ୍ୟ ନଜିର ରହିଛି, ବ୍ରହ୍ମପୁର ଆସନରୁ ନିର୍ବାଚିତ ହୋଇ ପି. ଭି. ନରସିଂହ ରାଓ ଭାରତର ପ୍ରଧାନମନ୍ତ୍ରୀ ବନିଥିଲେ ।

ମିଶନ ଓଡିଶା ଲକ୍ଷ ନେଇ ଚାରି ଚାରି ଥର ମୋଦି ଆସିଛନ୍ତି ଓଡିଶା । ପଂଚାୟତରୁ ପାର୍ଲାମେଂଟର ନାରା ଦେଉଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରଣନୀତିକୁ ସଫଳ କରିବାକୁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ସୂଚନା ଅନୁସାରେ, ପୁରା ୩୬ ହଜାର ବୁଥକୁ ପୁନର୍ବିନ୍ୟାସ କରିବାକୁ ଅମିତ ଶାହା ବିଭିନ୍ନ ସମୟରେ ଓଡିଶା ଆସିବାକୁ ରଣନୀତି କରିଛନ୍ତି ।

ଏହାବାଦ ଓଡିଶାରେ ସତ୍ତା ହାସଲ କରିବାକୁ ଦଳ କଣ ସବୁ କାର୍ଯ୍ୟ କରୁଛି ସେନେଇ ଏକ ତୁଳନାତ୍ମକ ଚିତ୍ର ଦେଇଛି ଇଣ୍ଡିଆ ଟୁଡେ । ଅନୁଦାନ ବାବଦକୁ କେତେ ଟଙ୍କା ଆସିଛି, ବିଭିନ୍ନ ଯୋଜନା କିଭଳି ଲୋକଙ୍କ ଜୀବନ ଧାରଣ ମାନରେ ପରିବର୍ତନ ଆଣିଛି, ତାର ଦିଆଯାଇଛି ଉଦାହରଣ । ହେଲେ ବିଜେଡି କହିଛି, ପ୍ରଭାବ ପଡିବନି ।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ନିଜ ଅଭିଭାଷଣରେ ମୋଦି କହିଥିଲେ ଓଡିଶାରେ ସଂଗଠନରେ ଆସୁଥିବା ଗୁଣାତ୍ମକ ପରିବର୍ତନ ଜଳଜଳ । ଯାହାର ଇଶାରା ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ । କୁହାଯାଉଛି, ମୋଦିଙ୍କ ଚେହେରା ଆଉ ଶାହାଙ୍କ ରଣନୀତି ନେଇ ୨୦୧୯ରେ ଓଡିଶାରେ ପଦ୍ମ ଫୁଟାଇବାକୁ ତିଆରି ଚାଲିଛି ରୋଡମ୍ୟାପ ।