ଦାଗୀ ନେତା ପାଇବେ ପାନେ ! ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ ନିର୍ବାଚନ କମିଶନ

52

କନକ ବ୍ୟୁରୋ: ଦାଗୀ ନେତା ପାଇବେ ପାନେ । ଜଘଂନ୍ୟ ଅପରାଧରେ ଜଡ଼ିତ ଥିବା ନେତାଙ୍କୁ ରାଜନୀତିରୁ ଦୁରେଇ ରଖିବା ପାଇଁ ନିର୍ବାଚନ ଆୟୋଗଙ୍କ ବଡ ଯୋଜନା । ରାଜନୀତିକୁ ଅପରାଧୀ ମୁକ୍ତ କରିବା ଉର୍ଦ୍ଦେଶ୍ୟରେ ସୁପ୍ରିମକୋର୍ଟରେ ସତ୍ୟାପଠ ଦାଖଲ କରିଛନ୍ତି ନିର୍ବାଚନ କମିଶନ । ଆଉ ଏନେଇ ଆଇନ ଆଣିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ କରନ୍ତୁ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

ଯେଉଁ ରାଜନେତାଙ୍କ ବିରୋଧରେ ସଂଗୀନ୍ ଅପରାଧିକ ମାମଲା ଲାଗିଛି, ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେଲେ ଅତି କମ୍ରେ ୫ ବର୍ଷ ଜେଲଦଣ୍ଡାଦେଶ ହେବ । ସେହିଭଳି ରାଜନେତାଙ୍କୁ ନିର୍ବାଚନ ଲଢ଼ିବାକୁ ବାରଣ କରିବା ପାଇଁ ନେଇ ନିର୍ବାଚନ ଆୟୋଗ ଯୁକ୍ତି ରଖିଛନ୍ତି । ଆଉ ଏଥିପାଇଁ ପିପୁଲ୍ସ ଆକ୍ଟରେ ସଂଶୋଧନ କରିବାକୁ ନିର୍ବାଚନ କମିଶନ ସୁପ୍ରିମକୋର୍ଟକୁ ଜଣାଛନ୍ତି । ୨୦୧୪ ନିର୍ବାଚନ ପୂର୍ବରୁ ମଧ୍ୟ ଏଭଳି ଏକ ପ୍ରସ୍ତାବ ରଖିଥିଲେ ନିର୍ବାଚନ କମିଶନ । ମାତ୍ର ବର୍ତ୍ତମାନ ସୁଦ୍ଧା ଏନେଇ ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି ।

ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ, ଜଣେ ରାଜନେତା କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ନହେବା ଯାଏଁ ନିର୍ବାଚନ ଲଢ଼ି ପାରିବେ । ଆଉ ଏଥିପାଇଁ ଅନ୍ତତଃ ୨ବର୍ଷ ଜେଲଦଣ୍ଡର ସଜା ହୋଇଥିବା ଆବଶ୍ୟକ । ଯାହା ଫଳରେ ଅନେକ ନେତା ଅପରାଧୀକ କାର୍ଯ୍ୟକଳାପରେ ଜଡ଼ିତ ଥିଲେ ସୁ୍ଦ୍ଧା ଅନାୟସରେ ନିର୍ବାଚନ ଲଢ଼ୁଛନ୍ତି । କାହିଁକି ନା’ ମାମଲା କୋର୍ଟରେ ପଡ଼ିରହୁଛି । ଏବଂ ମାମଲା ଗୁଡ଼ିକର ଚୁଡାନ୍ତ ଶୁଣାଣି ନ ସରିଥିବା ଅନେକ ନେତା ନିର୍ବାଚନ ଲଢ଼ି ବିଧାନସଭା କିମ୍ବା ସଂସଦକୁ ନିର୍ବାଚନ ହେଉଛନ୍ତି ।