ପ୍ରଚାର ମୈଦାନରେ ନେତା ଓ ପ୍ରାର୍ଥୀ ! ଘର ଘର ବୁଲି କରୁଛନ୍ତି ପ୍ରଚାର, ଜନମତ ହାସଲ ପାଇଁ ଚାଲିଛି ଜୋରଦାର ଉଦ୍ୟମ ।

ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀଙ୍କ ପ୍ରଚାର ସେତିକି ଜମିବାରେ ଲାଗିଛି ।

119

କନକ ନ୍ୟୁଜ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀଙ୍କ ପ୍ରଚାର ସେତିକି ଜମିବାରେ ଲାଗିଛି । ରାଲି ଓ ଶୋଭାଯାତ୍ରା, ନାରାବାଜି ଓ ସ୍ଲୋଗାନରେ କମ୍ପୁଛି ଓଡ଼ିଶା । ନିର୍ବାଚନ ପ୍ରଚାରରେ ସାରା ରାଜ୍ୟ ଉଠୁଥିବା ପଡୁଥିବା ବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ବ୍ରହ୍ମପୁରରେ ବିଶାଳ ରାଲି କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଛନ୍ତି ଧମେନ୍ଦ୍ର ।

କେବଳ ଧର୍ମେନ୍ଦ୍ର ପ୍ରଧାନ ନୁହଁନ୍ତି ଅନ୍ୟ ଦଳର ନେତା ଓ ପ୍ରାର୍ଥୀ ମାନେ ମଧ୍ୟ ପ୍ରଚାର ମୈଦାନଙ୍କୁ ଓହ୍ଲାଇ ଗାଁ ଠୁ ସହର ବୁଲି ବୁଲି ପ୍ରଚାର ଆରମ୍ଭ କରିଦେଇଛନ୍ତି । ମନ୍ତ୍ରୀ ପ୍ରତାପ ଜେନାନ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ମୋଟର ସାଇକେଲ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରତାପ । ସମର୍ଥକ ଓ କର୍ମୀଙ୍କ ବିରାଟ ପଟୁଆରରେ ଭୋଟ ମାଗିଛନ୍ତି ମାହାଙ୍ଗା ବିଧାୟକ । ସେପଟେ ଟିକେଟ ପାଇବା ପରେ ବଡଚଣା ବିଧାୟକ ଅମର ଶତପଥୀ ଆରମ୍ଭ କରିଛନ୍ତି ପ୍ରଚାର । ମହାବିନାୟକ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବା ପରେ ଶହ ଶହ ସମର୍ଥକଙ୍କ ଗହଣରେ ମଟର ସାଇକେଲ ରାଲି କରିଛନ୍ତି ଅମର ।

ସେହିଭଳି ଜୟପୁର ଆସନକୁ କଂଗ୍ରେସ ଠାରୁ ଛଡ଼ାଇ ନେବା ପାଇଁ କସରତ କରୁଛନ୍ତି ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦ । ପ୍ରଚାରକୁ ଜୋରଦାର କରି ଭୋଟରଙ୍କ ଆସ୍ଥାଭାଜନ ହେବା ପାଇଁ ଚଳାଇଛନ୍ତି ଉଦ୍ୟମ । ସେପଟେ ପୁଣିଥରେ ଏହି ଆସନରୁ ବାଜିମାତ କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି । ରଘୁନାଥପାଲି ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢ଼ୁଥିବା ସୁବ୍ରତ ତରାଇ ଦଳ ବଳ ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଗାଁକୁ ଗାଁ ପଦଯାତ୍ରା କରି ପ୍ରଚାର କରୁଛନ୍ତି ସୁବ୍ରତ । ଅନ୍ୟପଟେ ବିଜେଡି ଛାଡି ବିଜେପିରେ ମିଶିଥିବା କୁସୁମ ଟେଟେ, ଘର ଘର ବୁଲି ଲୋକଙ୍କ ସମର୍ଥନ ମାଗୁଛନ୍ତି । ସୁନ୍ଦରଗଡ଼ ଆସନକୁ ହାତେଇବା ଲାଗି ଜୋରଦାର ଉଦ୍ୟମ କରୁଛନ୍ତି କୁସୁମ ।