ବ୍ଲକ ଅଫିସ ଆଗରେ ଧାରଣା, ପଛରେ ମଦରେ ଆସର! ମଦ ପିଇ ମାତାଲ ସମିତି ସଭ୍ୟଙ୍କ ନାଟକ, ଜାଣନ୍ତୁ ପୂରା ଘଟଣା

25

କନକ ବ୍ୟୁରୋ : ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ଭିତରେ ଯେତେବେଳେ ମତାନ୍ତର ହୁଏ, ସେତେବେଳେ କିଭଳି ଚିତ୍ରସବୁ ସାମ୍ନାକୁ ଆସେ ତା’ର ଏକ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ । ବ୍ଲକ ଅଫିସ ଆଗରେ ଧାରଣା ଆଉ ପଛରେ ଜମିଛି ମଦର ଆସର । ଆଉ ବେଧଡକ୍ ମଦ୍ୟପାନ କରୁଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଜନ ପ୍ରତିନିଧି । ଯାହାଙ୍କୁ ଭୋଟ ଦେଇ ଲୋକ ନିର୍ବାଚିତ କରିଛନ୍ତି । ସମିତି ସଭ୍ୟ ଥିବା ଏହି ବ୍ୟକ୍ତି ଜଣକ ବିଡିଓଙ୍କ ନିଷ୍ପତିକୁ ପ୍ରତିବାଦ କରିବାକୁ ଆସି, ବ୍ଲକ୍ ଅଫିସ୍ ପଛ ପଟେ ଏଭଳି କାଣ୍ଡ ଘଟାଇଛନ୍ତି ।

କାହାଣୀଟି ହେଉଛି ଠିକ୍ ଏହିପରି । ଗତ ୪ ତାରିଖ ଘଁସିଏନ୍ ଗାଁରେ ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଥିରେ କିଛି ୱାର୍ଡ ମେମ୍ବର, ସରପଂଚ, ସମିତିସଭ୍ୟ, ଜିଲ୍ଲା ପରିଷଦଙ୍କୁ ନିମନ୍ତ୍ରଣ ହୋଇନଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ଏହି ଜନପ୍ରତିନିଧିମାନେ ପାଟଣାଗଡ଼ ବ୍ଲକ୍ କାର୍ଯ୍ୟାଳୟ ଆଗକୁ ଆସି ଧାରଣା ଦେଇଛନ୍ତି । ହେଲେ ବ୍ଲକ୍ ଅଫିସ ପଛ ପଟେ ଯାହା ଦେଖିବାକୁ ମିଳିଥିଲା ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଥିଲା । କୁହାଯାଉଛି-ଏହି ଜନପ୍ରତିନିଧିମାନେ କିଛି ଲୋକଙ୍କୁ ନେଇ ଧନୁଯାତ୍ରା ଭଳି ଡ୍ରାମା କରିଛନ୍ତି । ଏବଂ ପ୍ରତିବାଦରୁ ଠିକେ ଫୁରସତ ମିଳିଲେ ଏମିତି ମଦର ଆସର ଜମୁଛି । ଗତ ୪ ତାରିଖରୁ ଏହି ଧାରଣା ଜାରି ରହିଛି ଏବଂ ପ୍ରତିଦିନି ଏମିତି ଗୋଟିଏ ଗୋଟିଏ ଦୃଶ୍ୟ ସାମ୍ନାକୁ ଆସୁଛି ।