ରୋହିତଙ୍କ ଧୂଆଁଧାର ଶତକରେ ଘାଇଲା ହେଲା ଇଂଲଣ୍ଡ । ଅନ୍ତିମ ଟି-୨୦ରେ ଇଂଲଣ୍ଡକୁ ୭ ୱିକେଟରେ ମାତ ଦେଇ ସିରିଜ ହାତେଇଲା ଟିମ ଇଣ୍ଡିଆ

33

ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ନିର୍ଣ୍ଣାୟକ ଟି-ଟ୍ୱେଣ୍ଟି ମ୍ୟାଚରେ ଭାରତର ଦମଦାର ବିଜୟ । ଏହି ବିଜୟ ସହ ଟି-୨୦ ସିରିଜକୁ କବଜା କରିଛି ଟିମ ଇଣ୍ଡିଆ । ଇଂଲଣ୍ଡକୁ ତା ମାଟିରେ ପରାସ୍ତ କରି ବଡ଼ ବିଜୟ ହାସଲ କରିଛି ବିରାଟ ବାହିନୀ । ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ୧୯୯ କଷ୍ଟସାଧ୍ୟ ଟାର୍ଗେଟକୁ ବେଶ ସହଜରେ ହାସଲ କରି ନେଇଛି ଭାରତ । ୫୬ଟି ବଲରୁ ବିସ୍ଫୋରକ ଶତକ ହାସଲ କରିଥିବା ରୋହିତ ଏହି ବିଜୟର ମୁଖ୍ୟ ବିନ୍ଧାଣି ଥିଲେ । ଶେଷ ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟା ଚିତାକର୍ଷକ ସଟ୍ ଖେଳି ଭାରତର ବିଜୟକୁ ଆହୁରି ସହଜ କରି ଦେଇଥିଲେ । ଏହାସହ ୭ ୱିକେଟରେ ଭାରତ ଏହି ମ୍ୟାଚକୁ ଇଂଲଣ୍ଡ ହାତରୁ ଛଡାଇ ଆଣିଥିଲା ।

ଟସ୍ ହାରି ପ୍ରଥମେ ବୋଲିଂ କରିଥିବା ଭାରତ ଉପରେ ଇଂଲଣ୍ଡ ପ୍ରଥମରୁ ପ୍ରାଧାନ୍ୟ ବିସ୍ତାର କରିଥିଲେ । ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ଵିକେଟ୍ ହରାଇ ୧୯୮ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୪ ୱିକେଟ ନେଇ ଇଂଲଣ୍ଡକୁ ବଡ ସ୍କୋର କରିବାକୁ ଅଟକାଇଥିଲେ । ତେବେ ୧୯୯ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ରୋହିତଙ୍କ ବିସ୍ଫୋରକ ଇନିଂସ ଓ କୋହଲିଙ୍କ ଦାୟିତ୍ୱପୂର୍ଣ୍ଣ ଇନିଂସ ବଳରେ ଏହି ସିରିଜ ହାତେଇଥିଲା ।

ରୋହିତ ଏହି ଶତକୀୟ ଇନିଂସ ସହ ଟି-୨୦ ଫର୍ମାଟରେ ୨୦୦୦ ରନ ପୂରଣ କରିବାରେ ଭାରତର ଦ୍ୱିତୀୟ ତଥା ବିଶ୍ୱର ପଞ୍ଚମ କ୍ରିକେଟର ହୋଇ ପାରିଛନ୍ତି । ଶତକୀୟ ଇନିଂସ ପାଇଁ ରୋହିତ ଶର୍ମାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି । ଆସନ୍ତା ୧୨ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଅଭିଯାନ ଆରମ୍ଭ କରିବ ଭାରତ ।