ପଂଜାବ ନ୍ୟାସନାଲ ବ୍ୟାଙ୍କରେ ୧୧ହଜାର କୋଟି ଠକେଇ ମାମଲା : ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ୧୨ଟି ଠିକଣା ଉପରେ ଇଡିର ରେଡ

35

କନକ ବ୍ୟୁରୋ : ମୁମ୍ବାଇ ସ୍ଥିତ ପଂଜାବ ନ୍ୟାସନାଲ ବ୍ୟାଙ୍କର ଏକ ବ୍ରାଂଚରୁ ୧୧ହଜାର ୨୩୬କୋଟି ଟଙ୍କାର ଠକେଇ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫ୍ରଡ ଟ୍ରାନଜାକ୍ସନ ଅଭିଯୋଗରେ ଜୁଏଲରୀ ଡିଜାଇନର ନୀରବ ମୋଦିଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ନୀରବ ମୋଦିଙ୍କ ପାଖାପାଖି ୧୦ରୁ ୧୨ଟି ଠିକଣା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛାପା ମାରିଛି । ଗତ ଜାନୁୟାର ୩୧ ତାରିଖରେ ଏହି ମାମଲା ରୁଜୁ କରାଯାଇଥିଲା । ନୀରବ ମୋଦିଙ୍କ ସହ ତାଙ୍କ ପତ୍ନୀ, ଭାଇ ଏବଂ ତାଙ୍କର ଜଣେ ବିଜିନେସ ପାର୍ଟନରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଜାଲ ପ୍ରମାଣପତ୍ର ଦେଇ ଭାରତୀୟ ଋଣଦାତାଙ୍କ ଜରିଆରେ ବିଦେଶୀ ଟଙ୍କା ହାସଲ କରିଥିଲେ ନୀରବ ମୋଦି । ସେପଟେ ପିଏନବି ମଧ୍ୟ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପିଏନବିର ତାର ମୁମ୍ବାଇ ସ୍ଥିତ ବ୍ରାଂଚରୁ ୧୦ ଅଧିକାରୀଙ୍କୁ ନିଲମ୍ବିତ କରିଛି । ଏଥିସହ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟାଙ୍କ ଅଭିଯୋଗ କରିଛି କି, ମୋଦି ଏବଂ ତାଙ୍କ ସହଯୋଗୀ କମ୍ପାନି ସବୁ ଚଞ୍ଚକତାର ସହ ପିଏନ୍‌ବିର ୧. ୭ ବିଲିୟନ୍‌ ଡଲାର୍‌ ଗ୍ୟାରେଣ୍ଟିକୁ ହାତେଇ ନେଇଥିଲେ । ପରେ ତାକୁ ଉପଯୋଗ କରି ଦରିଆପାରି ଲୋନ୍‌ ଆଣୁଥିଲେ । ଚିଠି ପାଇବାକୁ ମୋଦି ପିଏନ୍‌ବିର କିଛି କନିଷ୍ଠ ଅଧିକାରୀଙ୍କସହ କାମ କରିଛନ୍ତି । ୨୦୧୧ରୁ ଦୁର୍ନୀତି ଆରମ୍ଭ ହୋଇଛି । ଅନ୍ୟ ଋଣ ଗ୍ରହୀତାମାନଙ୍କ ନାମ ପିଏନ୍‌ବି ପ୍ରକାଶ କରି ନ ଥିଲେ ମଧ୍ୟ ପିଏନ୍‌ବି ଜାରି କରିଥିବା ଅଙ୍ଗୀକାର ପତ୍ର ଆଧାରେ ୟୁନିୟନ୍‌ ବ୍ୟାଙ୍କ୍‌, ଆହ୍ଲାବାଦ ବ୍ୟାଙ୍କ୍‌ ଏବଂ ଏକ୍ସିସ୍‌ ବ୍ୟାଙ୍କ୍‌ ତାଙ୍କୁ ଅର୍ଥ ଦେଇଛି ।