ପୂଜା ଉପରେ ମାନ୍ଦାବସ୍ଥାର ପ୍ରଭାବ: ରାଜଧାନୀର ବିଭିନ୍ନ ପୂଜା କମିଟିର କମିଲା ବଜେଟ । ଏଥର ବଡବଡ ତୋରଣରେ ଝଲସିବନି ପୂଜା ମଣ୍ଡପ

526

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ଦଶହରା । ଧରାବତରଣ କରିବେ ମାଆ ଦୁର୍ଗା । ମାଆଙ୍କ ଆଗମନୀ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଶାରଦୀୟ ଦୁର୍ଗାପୂଜା ପାଇଁ ରାଜଧାନୀର ପ୍ରମୁଖ ପୂଜା କମିଟି ଗୁଡିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ସତ । କିନ୍ତୁ ଅର୍ଥନୈତିକ ମାନ୍ଦାବସ୍ଥାର ସିଧାସଳଖ ପ୍ରଭାବ ପଡିଛି ଶାରଦୀୟ ଦୁର୍ଗାପୂଜା ଉପରେ । ଆଉ ମାନ୍ଦାବସ୍ଥା ପାଇଁ ପୂଜା କମିଟି ଗୁଡିକୁ ବଜେଟ କମାଇବାକୁ ବାଧ୍ୟ କରିଛି ।

ତେବେ ୫୦ରୁ ୬୦ ଲକ୍ଷ ଟଙ୍କା ବଜେଟରେ ହେଉଥିବା ପୂଜାକୁ ଏଥର ୨୫ ଲକ୍ଷ ଭିତରେ ସୀମିତ ରଖିଛନ୍ତି ରାଜଧାନୀର ପୂଜା କମିଟି । ତା ସାଙ୍ଗକୁ ଜବରଦସ୍ତ ଚାନ୍ଦା ଆଦାୟ ନ କରିବା ପାଇଁ ଥିବା ପ୍ରଶାସନିକ କଟକଣା ଯୋଗୁଁ ମଧ୍ୟ ପୂଜା ବଜେଟ ପ୍ରଭାବିତ ହୋଇଛି । ସ୍ଥିତି ଏପରି ହୋଇଛି ଯେ ପୂଜା କମିଟିର ସଦସ୍ୟମାନେ ନିଜ ହାତରୁ ପଇସା ଦେଇ ଅଳ୍ପରେ ଦୁର୍ଗାପୂଜା ତୁଲାଇ ନେବାକୁ ଯୋଜନା କରିଛନ୍ତି ।

୨୦୧୮ ଶାରଦୀୟ ଦୁର୍ଗାପୂଜାରେ ନୂଆପଲ୍ଲୀ ଦୁର୍ଗାପୂଜା କମିଟିର ବଜେଟ ଥିଲା ୫୦ ଲକ୍ଷ । କିନ୍ତୁ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଟଙ୍କା ଯୋଗାଡ ହୋଇପାରୁନି । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବ୍ୟବସାୟ ହେଉନଥିବା କାରଣରୁ ଯେତିକି ଚାନ୍ଦା ଦେବା କଥା ଦେଇପାରୁନାହାନ୍ତି । ତେଣୁ ଆବଶ୍ୟକ ଚାନ୍ଦା ଆଦାୟ ହୋଇପାରୁନଥିବା କାରଣରୁ କାଂଟଛାଂଟ କରି ଦୁର୍ଗାପୂଜା କରିବାକୁ ଚିନ୍ତା କରିଛନ୍ତି ।

ତେବେ ୨୦୧୮ରେ ରସୁଲଗଡ ଦୁର୍ଗାପୂଜା କମିଟି ୫୦ରୁ ୬୦ ଲକ୍ଷ ବଜେଟରେ ପୂଜା କରିଥିଲା । ଆର୍ଥିକ ମାନ୍ଦାବସ୍ଥା କାରଣରୁ ଚଳିତବର୍ଷ ୫୦ ପ୍ରତିଶତ ବଜେଟ କମିଛି । ୨୫ଲକ୍ଷ ଟଙ୍କାରେ ହେବ ପୂଜା । କେବଳ ଫୁଲରେ ମଣ୍ଡପ କରିବାକୁ କମିଟି ଯୋଜନା କରିଛି ।

ସେହିପରି ପୁରୁଣା ଷ୍ଟେସନ ବଜାର ଦୁର୍ଗାପୂଜା କମିଟି ମଧ୍ୟ ଧିମେଇ ଯାଇଛି । ପୂଜା କମିଟି ବଜେଟକୁ ଅଧିକ ମାଡ ମାରିଛି ଚାନ୍ଦା ଆଦାୟ ନେଇ ପ୍ରଶାସନିକ କଟକଣା । ପୋଲିସର କଟକଣା ଯୋଗୁଁ ଜବରଦସ୍ତ ଚାନ୍ଦା ଆଦାୟ ହୋଇପାରୁନି । ରସୁଲଗଡ ଦୁର୍ଗାପୂଜା କମିଟି ଓ ପୁରୁଣା ଷ୍ଟେସନ ବଜାର ଦୁର୍ଗାପୂଜା କମିଟି ପ୍ରସ୍ତୁତି ଆରମ୍ଭ କରିଛନ୍ତି କିନ୍ତୁ ପାଖରେ ଅର୍ଥ ନାହିଁ । ତେଣୁ କମିଟି ସଦସ୍ୟ ଟଙ୍କା ଦେବାକୁ ସ୍ଥିର କରିଛନ୍ତି ।