ଆପଣ ଖାଉଥିବା ନାମୀ ବ୍ରାଣ୍ଡର ମସଲା ଅସଲି ତ? ବଜାରରେ ବୁଲୁଛି ନକଲି ମସଲା, ଚଢାଉ କରି ପୋଲିସ ଧରିଲା ନାମୀଦାମୀ କମ୍ପାନୀର ଭେଜାଲ ମସଲା

193

କନକ ବ୍ୟୁରୋ : ତରକାରୀରେ ଟିକିଏ ମସଲା ପଡିଗଲେ ତାହା ସ୍ୱାଦିଷ୍ଟ ହୋଇ ଯାଇଥାଏ । କିନ୍ତୁ ସେହି ମସଲା ଯଦି ନକଲି ଥାଏ ତାହା କେତେ କ୍ଷତିକାରକ ହେବ କେବେ ଅନୁମାନ କରିଛନ୍ତି । ଆପଣ ରୋଷେଇରେ ବ୍ୟବହାର କରୁଥିବା ମସଲା ଅସଲି ତ । କାରଣ ଆଗରୁ ନକଲି ତେଲ, ନକଲି ଘିଅ, ନକଲି ଜର୍ଦ୍ଦା, ନକଲି ସିମେଣ୍ଟ ପରେ ଏବେ ନକଲି ମସଲା ଏବେ ବଜାରରେ ବୁଲୁଛି । ତାହା ବି ପୁଣି ଖୁଲମଖୁଲା । ଜୟପୁରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ଜୟପୁର ଟାଉନ ଥାନା ପୋଲିସ ନକଲି ମସଲା ଗୋଦାମ ଓ କାରଖାନା ଉପରେ ଚଢାଉ କରିଛି । ଚଢାଉ ସମୟରେ ନାମୀଦାମୀ କମ୍ପାନୀ ଯେପରିକି ଏଭରେଷ୍ଟ ଓ ଏମଡିଏଚ ଭଳି ମସଲାର ଜରି ପ୍ୟାକେଟ ଆଣି ଏଠାରେ ନକଲି ବିଷାକ୍ତ ମସଲା ତିଆରି କରାଯାଇ ବଜାରକୁ ଛଡାଯାଉଥିବାର ଚିତ୍ର ଏବେ ସାମ୍ନାକୁ ଆସିଛି । ବ୍ରହ୍ମପୁରରୁ କମ୍ପାନୀର ପ୍ୟାକେଟ ଆସୁଥିଲା । ଜୟପୁରର ପ୍ରସାଦରାଓପେଟାରେ ଗୋଦାମ ଥିବାବେଳେ ଜୟନଗରରେ ତିଆରି କରାଯାଉଥିଲା ପ୍ୟାକେଟ ।

ଟାଉନ ଥାନା ପୋଲିସ କାରଖାନା ଉପରେ ଚଢାଉ କରି ପ୍ରାୟ ୫ ଲକ୍ଷ ଟଙ୍କାର ପ୍ୟାକେଟ ଓ ଖୋଲା ମସଲା ଜବତ କରିଛି । ଘଟଣାରେ ଜଣେ ବ୍ୟକ୍ତି ଧରାପଡିଥିଲାବେଳେ ଏହା ପଛର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଛି । ସବୁଠାରୁ ବଡ କଥା ହେଲା, ମସଲାରେ କାଠଗୁଣ୍ଡ ଥିବା ଜଣାପଡିଛି । ଲୁଜ ପ୍ୟାକେଟରେ ପୋକ ସାଲୁବାଲୁ ହେଉଥିବା ଜଣାପଡିଛି । ପୋଲିସ ଘଟଣାର ଛାନଭିନ କରୁଛି । କେରାପୁଟ ଜିଲ୍ଲାର ବିଭିନ୍ନ ବଜାରରେ ଏହି ମସଲା ପ୍ୟାକେଟ ବିକ୍ରି ହେଉଥିବା ଜଣାଯାଇଛି । ବ୍ରହ୍ମପୁରରୁ ଏହାର ପରିଚାଳନା ହେଉଥିଲା ।