କ୍ଷଣିକ ମଜା ପାଇଁ ଚାଲିଯାଉଛି ନିରୀହଙ୍କ ଜୀବନ ! କେଉଁଠି ଶୁଆ ଫାଶୀ ଦେଲା ଭଳି ଦିଶୁଛି ତ ଆଉ କେଉଁଠି ସୂତାରେ ଛଟପଟ ହେଉଛି ପାରା , କ’ଣ ଏ ହେଉଛି ଆମ ପରମ୍ପରା ?

169

ଲୋକଙ୍କ କ୍ଷଣିକ ମଜା ଯେ ନିରୀହଙ୍କ ପାଇଁ କେତେ ଘାତକ ସାବ୍ୟସ୍ତ ହେବ ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ସୋସିଆଲ୍ ମିଡିଆରେ ଘୁରୁବୁଲୁଛି । ଗୋଟିଏ ଗଛରେ ବସିଥିବା ଶୁଆ କିପରି ଭାବେ ଫାଶି ଦେଲା ପରି ଓହଳି ରହିଛି ଏହାକୁ ଦେଖି ସମସ୍ତେ ଏବେ ହତବାକ୍ ହୋଇଉଠୁଛନ୍ତି । ଘଟଣା ଏଇ ମକର ସଂକ୍ରାନ୍ତି ଉତ୍ସବର ।

ସାରା ଦେଶରେ ମକର ସଂକ୍ରାନ୍ତି ଖୁବ୍ ଧୁମଧାମରେ ପାଳନ କରାଯାଉଥିବା ବେଳେ ଗୁଡିଉଡା ପରମ୍ପରା ମଧ୍ୟ ଏଥିରେ ସାମିଲ ହୋଇଥାଏ । ଛାତ ଉପରେ,ଖୋଲା ପଡିଆରେ ଇତ୍ୟାଦି ଅନେକ ସ୍ଥାନରେ ଲୋକମାନେ ଗୁଡି ଉଡାଇବାର ମଜା ତ ନେଇଗଲେ କିନ୍ତୁ ଏହାଦ୍ୱାରା ଯେ କେତେ ନିରୀହଙ୍କ ଜୀବନ ଚାଲିଗଲା ସେ ବିଷୟରେ କେହି ଚିନ୍ତା ମଧ୍ୟ କରିପାରିଲେନି । ସୋସିଆଲ୍ ମିଡିଆରେ ଏହି ଉତ୍ସବ ପରର ଦୃଶ୍ୟ ଏବେ ଭାଇରାଲ୍ ହେଉଛି । ଯାହାକୁ ଦେଖି କେହି ଗୁଡି ଉଡାଇବା ପାଇଁ ଚେଷ୍ଟା ମଧ୍ୟ କରିବେ ନାହିଁ ।

ସୋସିଆଲ୍ ମିଡିଆରେ ଏକ ଶୁଆର ଫଟୋ ଭାଇରାଲ୍ ହେଉଛି । ମକର ସଂକ୍ରାନ୍ତି ଭଳି ଏକ ଉତ୍ସବ ଅବସରରେ ଶୁଆଟି ଫାଶୀ ଦେଲା ଭଳି ଗଛରେ ଝୁଲିରହିଛି । ଫଟୋଟି ଏତେ ମାତ୍ରାରେ ସେୟାର୍ ହେଉଛି ଯେ ଯେ କେହିବି ଏହାକୁ ଦେଖୁଛନ୍ତି ଭାବୁକ ହୋଇପଡୁଛନ୍ତି । ତେବେ ଆପଣଙ୍କୁ କହିରଖୁଛୁ ଭାରତର ଅନେକ ସ୍ଥାନରେ ମକର ସଂକ୍ରାନ୍ତି ଖୁବ୍ ଧୁମଧାମରେ ପାଳନ କରାଯାଏ ଏବଂ ଗୁଡି ଉଡାଯାଏ । ଯାହାର ପରିଣାମ ଏହି ନିରୀହ ପକ୍ଷୀମାନଙ୍କୁ ଭୋଗିବାକୁ ପଡୁଛି । କେବଳ ଏହି ଶୁଆଟି ନୁହଁ ପୂର୍ବରୁ ପାରାମାନଙ୍କୁ ମଧ୍ୟ ଏଭଳି ଦୟନୀୟ ଅବସ୍ଥାରେ ଦେଖିବାକୁ ମିଳିଥିଲା । ସୂତାରେ ଗୁଡାଇ ହୋଇ ଗୋଟିଏ ପରେ ଗୋଟିଏ ପାରା ଛଟପଟ ହୋଇ ତଳେ ପଡୁଥିବା ଫଟୋ ମଧ୍ୟ ଭାଇରାଲ୍ ହେଉଥିଲା ।

ଲୋକଙ୍କ କହିବାନୁସାରେ ଚାଇନାରୁ ଆସୁଥିବା ସୂତା କାରଣରୁ ହିଁ ଏଭଳି ସମସ୍ୟା ସୃଷ୍ଟି ହେଉଛି । କାଚରେ ପ୍ରସ୍ତୁତ ହେଉଥିବା ଏହି ଡୋର ପକ୍ଷୀମାନଙ୍କ ପାଇଁ ଘାତକ ସାଜୁଛି । ମିଡିଆ ରିପୋର୍ଟ ଅନୁସାରେ ଚଳିତବର୍ଷ ମକର ସଂକ୍ରାନ୍ତି ପର୍ବରେ ନାସିକରେ ସୂତା ସଂସ୍ପର୍ଶରେ ଆସି ୧୮ ଟି ପକ୍ଷୀ ଜୀବନ ହାରିଲେ ଏବଂ ୪୦ ଆହତ ହେଲେ । କେବଳ ଏତିକି ନୁହଁ ଗୁଜୁରାଟରେ ମକର ସଂକ୍ରାନ୍ତିର ପୂର୍ବଦିନ ୪୭୨ ଏବଂ ପରଦିନ ୨୭୨ ଟି ପକ୍ଷୀଙ୍କୁ ଏକ ଚାରିଟେବଲ୍ ଟ୍ରଷ୍ଟ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପକ୍ଷୀ ତ ପକ୍ଷୀ ଜୟପୁରରେ ୩୦୦ ଜଣ ଲୋକ ମଧ୍ୟ ଏହି ସୂତା ସଂସ୍ପର୍ଶରେ ଆସି ଆହତ ହୋଇଥିଲେ । ଏଥିରୁ ଜାଣିପାରୁଥିବେ ଚାଇନିଜ୍ ସୂତା କେତେ ମାରାତ୍ମକ ।