ବିଶ୍ୱର ଦୁଇ ଶକ୍ତିଶାଳୀ ନେତା ଟ୍ରମ୍ପ-ମୋଦିଙ୍କ କାର୍ । ଏମିତି ରହିଛି ବିଶେଷତ୍ୱ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ପଢ଼ନ୍ତୁ କାହା କାର୍ ଅଧିକ ଶକ୍ତିଶାଳୀ…

10,242

କନକ ବ୍ୟୁରୋ: ଗତ କିଛି ଦିନ ତଳେ ଭାରତରେ ଏକାଠି ହୋଇଥିଲେ ବିଶ୍ୱର ଦୁଇ ଶକ୍ତିଶାଳୀ ନେତା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ମୋଦି । ତେବେ ଦୁଇ ନେତାଙ୍କ ସାକ୍ଷାତ ସମୟରେ ତାଙ୍କ ଅଭେଦ୍ୟ ସୁରକ୍ଷା ବଳୟକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ହେଲେ ଏହି ଦୁଇ ନେତା ବ୍ୟବହାର କରୁଥିବା ଅତ୍ୟାଧୁନିକ କାର ବିଷୟରେ ଆପଣ ଜାଣନ୍ତି କି? କେତେ ଶକ୍ତିଶାଳୀ ଆଉ କେଉଁ କେଉଁ ଫିଚର୍ସରେ ନିର୍ମିତ ଏହି କାର ଆପଣ ଜାଣିଛନ୍ତି କି? ତେବେ ଆମେ ଆପଣଙ୍କୁ ଏହି ରିପୋର୍ଟରେ ଟ୍ରମ୍ପ ଏବଂ ମୋଦି ବ୍ୟବହାର କରୁଥିବା ସୁରକ୍ଷା କବଚ କାର ବିଷୟରେ କିଛି ଅଜଣା କଥା ଜଣାଇବୁ ।

ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟବହାର କରୁଥିବା କାରଟି ହେଉଛି ଲେମୋଜିନି କେଡାଲିକ୍ ୱାନ୍ କାର । ଯାହାକୁ ଟ୍ରମ୍ପ ‘ଦ ବିଷ୍ଟ୍’ ଭାବେ ମଧ୍ୟ କୁହନ୍ତି । ଏପରିକି ଟ୍ରମ୍ପ ବ୍ୟବହାର କରୁଥିବା କାରର ଦାମ୍ ପାଖାପାଖି ୧୧ କୋଟି ଟଙ୍କା । ଆଉ ଦୁନିଆର କୌଣସି ରାଷ୍ଟ୍ରପତିଙ୍କ ପାଖରେ ଟ୍ରମ୍ପଙ୍କ ଏଭଳି କାର୍ ନାହିଁ । ତେବେ ଟ୍ରମ୍ପଙ୍କ ସୁରକ୍ଷା କବଚ କୁହାଯାଉଥିବା ଏହି ‘ଦ ବିଷ୍ଟ୍ କାର’ର ଏହି ସବୁ ଅତ୍ୟାଧୁନିକ ଫିଚର୍ସ ଗୁଡ଼ିକ ରହିଛି .

ଟ୍ରମ୍ପଙ୍କ କାର ଏକ ଟ୍ରକ ଚେଚିସରେ ନିର୍ମିତ
କାରର ଇଞ୍ଜିନ୍ ୮୦୦୦ ସିସି ଓ ୮୦୦ ବିଏଚପି
କାରର ଡୋର୍ ହେଉଛି ୮ ଇଞ୍ଚ ମୋଟା
ଓଜନ ପାଖାପାଖି ୭ଟନ୍ , ଉଚ୍ଚତା ୧୮ ଫୁଟ୍
ଘଣ୍ଟା ପ୍ରତି ବେଗ ରହିଛି ୧୦୦ କି.ମି
କ୍ଷେପଣାସ୍ତ୍ର, ଗ୍ରେନେଡ ମାଡ଼କୁ ସହିପାରିବ

କାରରଟି ସମ୍ପୂର୍ଣ୍ଣ ଷ୍ଟିଲ୍, ଟାଇଟେନିୟମ୍, ଆଲୁମିନିୟମ ଏବଂ ସିରେମିକରେ ନିର୍ମିତ ହୋଇଥିବା ବେଳେ ଟ୍ୟାଙ୍କର ଭଳି ଶକ୍ତିଶାଳୀ, ନିଆଁ ବଳୟରୁ ମୁକୁଳି ପାରୁଥିବା କ୍ଷମତା ରଖିଛି । କାରର୍ ଟାୟାର ପଂଚର୍ ହୋଇଗଲେ ମଧ୍ୟ କାର ଅଟକିବନି । ମେସିନ୍ ଗନ୍ ଠାରୁ ଆରମ୍ଭ କରି ସୁରକ୍ଷା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲୁଚି ରହିଥାଏ । ଆଉ ସବୁଠାରୁ ବଡ଼ କଥା ହେଲା ମାତ୍ର ୧୫ ସେକେଣ୍ଡରେ ୧୦୦ ସ୍ପିଡ୍ ଛୁଇଁପାରୁଥିବା କାରଟି ନାଇଟ୍ ଭିଜନ୍ କ୍ୟାମେରା, ଅକ୍ସିଜେନ୍ ଏବଂ ପାନିକ୍ ବଟନ୍ ବ୍ୟବସ୍ଥା ରହିଛି । ଟ୍ରମ୍ପଙ୍କ ସମେତ ୬ରୁ ୭ ଜଣ ଏହି କାରରେ ବସିପାରିବେ । ଆଉ ଗାଡ଼ିର ଡୋରଠାରୁ ଆରମ୍ଭ କରି କାଚ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବଟନ୍ କେବଳ ଟ୍ରମ୍ପଙ୍କ ହାତରେ ହିଁ ରହିଥାଏ । ଏପରିକି ଟ୍ରମ୍ପ ଯେଉଁ ସିଟରେ ବସନ୍ତି ତାଙ୍କ ପାଖରେ ହିଁ ଏକ ସାଟେଲାଇଟ୍ ଫୋନ୍ ରହିଥାଏ ଯାହାଦ୍ୱାରା ଟ୍ରମ୍ପ ସିଧା ପେଣ୍ଟାଗନ୍ ସହ ସମ୍ପର୍କ କରିପାରିବେ ।

ଅନ୍ୟପଟେ ଭାରତର ସବୁଠାରୁ ସୁରକ୍ଷିତ କାର୍ ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ପରିଭ୍ରମଣ କରନ୍ତି । ମୋଦି ବ୍ୟବହାର କରୁଥିବା କାର ବିଏମଡବ୍ଲୁ- ସେଭେନ୍ ସିରିଜ୍ । ସବୁଠାରୁ ବଡ଼କଥା ହେଲା, ଟ୍ରମ୍ପଙ୍କ କାର୍ ନିର୍ମାଣ କରିଥିବା ଆମେରିକାର ପ୍ରତିଷ୍ଠିତ କାର୍ କମ୍ପାନୀ ଜେନେରାଲ୍ ମୋଟର୍ସ ମୋଦିଙ୍କ କାର୍ ମଧ୍ୟ ନିର୍ମାଣ କରିଛନ୍ତି । ସୁରକ୍ଷା କ୍ଷେତ୍ରରେ ଟ୍ରମ୍ପଙ୍କ କାର୍ ଠୁ କିଛି କମ୍ ନୁହେଁ ମୋଦିଙ୍କ ଏହି ଅଭେଦ୍ୟ କାର୍ । ତେବେ ନଜର ପକାନ୍ତୁ ପ୍ରଧାନମନ୍ତ୍ରୀ ମୋଦି ବ୍ୟବହାର କରୁଥିବା ଦେଶର ସବୁଠାରୁ ସୁରକ୍ଷିତ କାରର କ’ଣ ରହିଛି ବିଶେଷତ୍ୱ…

ବିଏମଡବ୍ଲୁ ୭ ସିରିଜର ପ୍ରଥମ ହାଇ ସିକ୍ୟୁରିଟୀ କାର୍
କାରର ଇଞ୍ଜିନ୍ ୫୫୫୦ ଆରପିଏମ୍ ଏବଂ ୫୪୪ ବିଏଚପି
ଭିଆର-୭ ବୁଲେଟ୍ ପ୍ରୁଫ୍ କ୍ଷମତା ପୂର୍ଣ୍ଣ କାର୍
୬ଲିଟର କ୍ଷମତା ବିଶିଷ୍ଟ ୧୨ଟି ସିଲିଣ୍ଡର ରହିଛି
ପଂଚର ହେଲେ ବି କାର୍ ଚାଲିବ
ବମ୍ ଏବଂ ମିସାଇଲକୁ ପ୍ରତିରୋଧ କରିପାରିବ
ଟାଇଟେନିୟମ. ଆଲୁମିନିୟର ସମ୍ପୂର୍ଣ୍ଣ କାରର ବଡ଼ି

ସବୁଠାରୁ ବଡ଼ କଥା ହେଲା, ମୋଦି ବ୍ୟବହାର କରୁଥିବା କାରଟି ଟ୍ରମ୍ପଙ୍କ କାର ଠାରୁ ବହୁତ ହାଲୁକା ହୋଇଥିବାରୁ ପବନ ବେଗରେ ଦୌଡ଼ିବାର କ୍ଷମତା ରହିଛି । ଯେଉଁଠି ଟ୍ରମ୍ପଙ୍କ କାର୍ ୧୫ ସେକେଣ୍ଡରେ ୧୦୦ ସ୍ପିଡ୍ ଛୁଇଁବାର କ୍ଷମତା ରଖୁଛି ସେଠି ମୋଦିଙ୍କ କାରକୁ ଲାଗିବ ମାତ୍ର ୬.୬ ସେକେଣ୍ଡ । ଆଉ ଟାୟାର ପଂଚର ହେଲାପରେ ବି ମୋଦିଙ୍କ ଏହି ଅତ୍ୟାଧୁନିକ କାରଟି ଘଣ୍ଟା ପ୍ରତି ୯୦ କିଲୋମିଣ ବେଗରେ ଦୌଡ଼ିପାରିବ । ତେବେ ବଜାରରେ ଅନ୍ୟ ସାଧାରଣ ବିଏମଡବ୍ଲୁ ସେଭେନ୍ ସିରିଜର କାରର ମୂଲ୍ୟ ୧.୨୫ କୋଟି ରହିଥିବାବେଳେ ମୋଦିଙ୍କ ଏହି ମୋଡିଫାଇଡ୍ ହୋଇଥିବା କାରର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା । ଆଉ ବେଶ୍ ସୁରକ୍ଷିତ ଏବଂ ଅତ୍ୟାଧୁନିକ ସୁରକ୍ଷା ବଳୟପୂର୍ଣ୍ଣ ମୋଦିଙ୍କ କାର୍ ।