୭ଟି ଦେଶକୁ ଆମେରିକା ମନା ! ଇସଲାମିକ ଆତଙ୍କବାଦୀଙ୍କ ଉପରେ ଆମେରିକା ରାଷ୍ଟ୍ରପତିଙ୍କ କଡା ଆଭିମୁଖ୍ୟ

48

ଇସଲାମିକ୍ ଆତଙ୍କବାଦୀଙ୍କ ଉପରେ ଆମେରିକା ରାଷ୍ଟ୍ରପତିଙ୍କ କଡା ଆଭିମୁଖ୍ୟ । ଆମେରିକାରେ ମୁସଲିମ ଦେଶର ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ଡୋନାଲ ଟ୍ରମ୍ପ । ଇରାକ୍, ଇରାନ୍, ସିରିଆ, ଲିବ୍ୟା, ସୋମାଲିଆ,ସୁଦାନ ଓ ୟେମେନ ପରି ଦେଶର ନାଗରିକଙ୍କୁ ଆମେରିକା ଆସିବା ମନା । ଏହି ଦେଶର ନାଗରିକଙ୍କୁ ଆମେରିକା ଆସିବା ପାଇଁ ଆଉ ଭିସା ମିଳିବ ନାହିଁ  । ଆମେରିକାରେ ଶରଣାର୍ଥୀଙ୍କ ଆଗମନକୁ ବାତିଲ କରିବା ସହ ମୁସଲିମ ଦେଶର ନାଗରିକଙ୍କ ପ୍ରବେଶ କଟକଣା ନେଇ ନିର୍ଦ୍ଦେଶନାମା ସ୍ୱାକ୍ଷରିତ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଏହାସହ ପାକିସ୍ତାନ ନାଗରିକଙ୍କ କଡା ଯାଂଚ ପରେ ସେମାନେ ଆମେରିକାରେ ପ୍ରବେଶ କରିପାରିବେ । ଇସଲାମିକ ଆତଙ୍କବାଦୀଙ୍କୁ ଆମେରିକା ପ୍ରବେଶକୁ ରୋକିବା ପାଇଁ ଏହି ପଦକ୍ଷେପ ନେଇଥିବା ଟ୍ରମ୍ପ କହିଛନ୍ତି  । ଏହାସହ ଯେଉଁବ୍ୟକ୍ତି ଆମେରିକାର ସମର୍ଥନ କରିବ ଓ ଆମେରିକାବାସୀଙ୍କୁ ଭଲପାଇବ ସେହି ବ୍ୟକ୍ତି ଆମେରିକାରେ ପ୍ରବେଶ କରିପାରିବ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି  ।

ଏନେଇ ଟ୍ରମ୍ପଙ୍କ ନିର୍ଦ୍ଦେଶନାମା ଜାରି ପରେ ଶରଣାର୍ଥିଙ୍କ ପ୍ରବେଶ ଚୁକ୍ତିନାମାକୁ ବାତିଲ କରିଦିଆଯାଇଛି  । ୧୨୦ଦିନ ଯାଏଁ ଆମେରିକାକୁ ଶରଣାର୍ଥି ପ୍ରବେଶ କରିପାରିବେନାହିଁ । ଏହାସହ ଇରାକ୍, ଇରାନ୍, ସିରିଆ, ଲିବ୍ୟା, ସୋମାଲିଆ,ସୁଦାନ ଓ ୟେମେନ ନାଗରିକଙ୍କ ପାଇଁ ୯୦ଦିନ ଯାଏଁ ଭିସା ଜାରି କରାଯାଇପାରିବ ନାହିଁ  ।