ସମ୍ବଲପୁରରେ ଦେବଦୂତ ସାଜିଲେ ଡାକ୍ତର । ନିଜ ଗାଡିରେ ଗୁରୁତର ରୋଗୀକୁ ବୁର୍ଲା ଯାଏଁ ବୋହିନେଲେ ରାମଚନ୍ଦାନୀ

71

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପୂର୍ବତନ ଡାକ୍ତରୀ ଛାତ୍ର ନେତା ଶଙ୍କର ରାମଚନ୍ଦାନୀ । ଏଥର କୌଣସି ଆନ୍ଦୋଳନ ପାଇଁ ନୁହେଁ ବରଂ ଜଣେ ରୋଗୀଙ୍କର ଜୀବନ ବଂଚାଇବା ପାଇଁ । ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାମ କରୁଛନ୍ତି ରାମଚନ୍ଦାନୀ । ଗୁରୁତର ଅବସ୍ଥାରେ ତାଙ୍କ ପାଖକୁ ପହଂଚିଥିଲା ୯ ବର୍ଷ ବାଳିକା ସୀତା ସୁରୀ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ନସୁଧୁରିବାରୁ ଆମ୍ବୁଲାନ୍ସକୁ ଡାକିଥିଲେ ଡାକ୍ତର ରାମଚନ୍ଦାନୀ । ଆମ୍ବୁଲାନ୍ସ ଆସିବାରେ ଡେରି ହେବାରୁ ବାଳିକାକୁ ନିଜ ଗାଡିରେ ଧରି ପହଂଚିଯାଇଥିଲେ ବୁର୍ଲା ବଡମେଡିକାଲ ।

ଠିକ ସମୟରେ ରୋଗୀଟି ମେଡିକାଲରେ ପହଂଚିବା ପରେ ତାର ଜୀବନ ବଂଚିଯାଇଛି । ଡାକ୍ତର କେବଳ ଚିକିତ୍ସା ନକରି ଦୁଇ ପାଦ ଆଗକୁ ବଢି ସହଯୋଗ କରି ରୋଗୀର ଜୀବନ ବଂଚାଇଛନ୍ତି । କିଛି ଦିନ ତଳେ ଏମିତି ଗୋଟିଏ ଖବର ଆସିଥିଲା ଉପାନ୍ତ ମାଲକାନଗିରି ଅଂଚଳରୁ । ପ୍ରସୁତିଙ୍କୁ ନିଜ କାନ୍ଧରେ ଧରି ଡାକ୍ତର ଦୀର୍ଘ ୮ କିଲୋମିଟର ବାଟ ବୋହି ନେଇଥିଲେ । ଡାକ୍ତର ଓମକାର ହୋତା ହୁଅନ୍ତୁ କି ଡାକ୍ତର ଶଙ୍କର ରାମଚନ୍ଦାନୀ ହୁଅନ୍ତୁ, ଏମାନେ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ ।