ରାଜନୈତିକ ଛକାପଞ୍ଝାରେ ଗଲା ଡ୍ରାଇଭର ଦିଲେଶ୍ୱରଙ୍କ ଜୀବନ ! ନବୀନ କହିଲେ କ୍ଷମା ପାଇବେନି ହତ୍ୟାକାରୀ, ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବ ବିଜେଡି

36

କନକ ବ୍ୟୁରୋ : ପ୍ରଚାର ଶେଷ ଦିନ ରାତିରେ ବିଜେପୁରରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହଙ୍କୁ ଆକ୍ରମଣ ଘଟଣାରେ ସେହି ଗାଡିର ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନୃଶଂସକାଣ୍ଡ ବୋଲି କହିବା ସହ ନିନ୍ଦା କରିଛନ୍ତି । ଦିଲେଶ୍ୱରଙ୍କ ପିଲାଙ୍କ ପାଠପଢା ଖର୍ଚ୍ଚ ବିଜେଡି ବହନ କରିବ ବୋଲି ସୁପ୍ରିମୋ ନବୀନ ଘୋଷଣା କରିଛନ୍ତି । ଏପଟେ ଘଟଣାକୁ ନେଇ ଜାରି ରହିଛି ଆରୋପ ପ୍ରତ୍ୟାରୋପ ।

dileswarବିଜେପୁରରେ ନିର୍ବାଚନ ସିନା ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି, ହେଲେ ରାଜନୈତିକ ଛକାପଂଝା ଭିତରେ ଚାଲି ଯାଇଛି ଜଣଙ୍କ ଜୀବନ । ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଡ୍ରାଇଭର ଦିଲେଶ୍ୱର ସାହୁ । ଗତ ଗୁରୁବାର ଦିନ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହଙ୍କୁ ନେଇ ଯାଉଥିଲେ ଦିଲେଶ୍ୱର । ସୋହେଲା ବନାବିରା, ଯେଉଁଠି ଏମାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । କଟକ ବଡ ମେଡ଼ିକାଲରେ ଆଖିବୁଜି ଦେଇଛନ୍ତି ଦିଲେଶ୍ୱର ସାହୁ । ଏହାପରେ ଦିଲେଶ୍ୱରଙ୍କ ପରିବାର ସମୂର୍ଣ୍ଣ ଭାବେ ଭାଙ୍ଗିପଡିଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦିଲେଶ୍ୱର ଦାବି କରିଛନ୍ତି ।

କିଏ ରାଜନୀତି କରିବ, ଆଉ କିଏ ନିର୍ବାଚିତ ହୋଇ ବିଧାନସଭା ଯିବ । ହେଲେ ଜୀବନ ଦେବାକୁ ପଡିବ ଏହି ଭଳି ଦିଲେଶ୍ୱର ସାହୁଙ୍କ ଭଳି ଲୋକଙ୍କୁ । କାରଣ ସ୍ପଷ୍ଟ ହୋଇନଥିଲେ ବି ରାଜନୈତିକ ହିଂସା ଓ ପ୍ରତିହିଂସା ଯୋଗୁଁ ଏଭଳି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ମୃତ ଡ୍ରାଇଭର ଦିଲେଶ୍ୱରଙ୍କ ମୃତଦେହକୁ କଟକ ମେଡ଼ିକାଲରୁ ବିଜେଡି କାର୍ଯ୍ୟଳୟକୁ ଅଣାଯାଇଥିଲା । ଯେଉଁଠି ମୁଖ୍ୟମନ୍ତ୍ରୀ ଦିଲେଶ୍ୱରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଦିଲେଶ୍ୱର ସବୁ ଦିନ ପାଇଁ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି । ହେଲେ ତାଙ୍କ ଶବ ଉପରେ କିନ୍ତୁ ରାଜନୀତି ଥମିନି । ଶାସକ ବିଜେଡି ଏଥିପାଇଁ ବିଜେପିକୁ ଦାୟୀ କରିଥିବା ବେଳେ ବିଜେପି କହୁଛି ଦିଲେଶ୍ୱରଙ୍କୁ ହତ୍ୟା କରାଯାଇଥାଇପାରେ । ଓଡ଼ିଶାରେ ରାଜନୈତିକ ପ୍ରତିଦ୍ୱନ୍ଦିତା ଏତେ ତିବ୍ରତର ହେଉଛି ଯେ, କେତେବେଳେ ହିଂସା ଘଟୁଛି ତ, ଆଉ କେତେବେଳେ ଜୀବନ ଚାଲିଯାଉଛି । ଆଉ ଲୋକଙ୍କ ଜୀବନକୁ ନେଇ ଚାଲିଛି ରାଜନୀତିର ରୋଟି ସେକା ।