ରାୟପୁରରୁ କୋରିୟରରେ ଆସିଥିଲା ମୃତ୍ୟୁର ପାର୍ସଲ ! ଅଜ୍ଞାତ ପ୍ରେମିକାକୁ ଖୋଜୁଛି ପୋଲିସ

22

କନକ ବ୍ୟୁରୋ : ଉପହାର ପ୍ୟାକେଟ ବିସ୍ପୋରଣ ପରେ ପୋଲିସ ଚଳାଇଛି ଛାନଭିନ୍ । ଜଣେ ଅଜ୍ଞାତ ପ୍ରେମିକାଙ୍କ ଉପରେ ପୋଲିସର ନଜର ଘୁରି ବୁଲୁଛି । ରାୟପୁରରୁ ଫ୍ଲାଏ କିଙ୍ଗ କୋରିଅର ସର୍ଭିସ ଜରିଆରେ ବର-କନ୍ୟାଙ୍କ ପାଖକୁ ଆସିଥିଲା ମୃତ୍ୟୁର ଉପହାର ।

blastଭୟାବହ ବୋମା ବିସ୍ଫୋରଣ ପରେ ଚାଲିଛି ଛାନଭିନ । ରବୀନ୍ଦ୍ର ନାଥ ସାହୁଙ୍କ ଭୋଳାନାଥପଡା ଘରେ ପୋଲିସ ସହ ପଂହଚିଛି ସାଇଂଟିଫିକ୍ ଟିମ୍ । କିଏ ଓ କାହିଁକି ପଠାଇଥିଲା ମୃତ୍ୟୁର ଉପହାର ସେନେଇ ଖୋଳତାଳ କରୁଛି । ଏହାରି ଭିତରେ ପୋଲିସକୁ ମିଳିଛି ବଡ କ୍ଲୁ । ଘରୋଇ କୋରିଅର ସଂସ୍ଥା ସ୍କାଏ କିଙ୍ଗ ଜରିଆରେ ରାୟପୁରରୁ ଆସିଥିଲା ପାର୍ସଲ । ଯେଉଁ ପାର୍ସଲକୁ ଖୋଲିବା ପରେ ବିରାଟ ବିସ୍ଫୋରଣ ହେବା ସହ ଜଳିଗଲେ ନବ ବିବାହିତ ବର-ବଧୂ ଓ ସଂପର୍କୀୟ ଜେଜେ ମା’ ।

ବାହାଘରର ୫ଦିନ ପରେ ଖୁସି ମନରେ ଉପହାର ଖୋଲୁଥିବାବେଳେ ହଠାତ ହେଲା ବିରାଟ ବିସ୍ଫୋରଣ । ରାୟପୁରରୁ କିଏ ପଠାଇଥିଲା ଏହି ଅତ୍ୟାଧୁନିକ ବୋମା? ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଣେ ଯୁବତୀ ନବବିବାହିତ ସୌମ୍ୟଶେଖରଙ୍କୁ ଏକପାଖିଆ ଭଲ ପାଉଥିଲେ । ଆଉ ତାଙ୍କ ବିବାହକୁ ବିରୋଧ କରି ଧମକ ଚମକ ବି ଦେଇଥିଲେ ଯେ, ତାଙ୍କଛଡା ଆଉ କାହାରିକୁ ବିବାହ କଲେ ପରିଣାମ ଭୟାବହ ହେବ । ତେଣୁ ପୁରା ସନ୍ଦେହ କେନ୍ଦ୍ରୀଭୂତ ହୋଇଛି ସୌମ୍ୟଶେଖରଙ୍କ ସେହି ଅଜଣା ପ୍ରେମିକାଙ୍କ ଉପରେ ।

ଏସବୁ ଭିତରେ ବିରାଟ ପ୍ରଶ୍ନ ହୋଇ ଛିଡାହୋଇଛି ବୋମାରେ ବ୍ୟବହାର ହୋଇଥିବା ବିସ୍ଫୋରକ । ମୃତ୍ୟୁର ଉପହାରରେ କି ପ୍ରକାର ବିସ୍ଫୋରକ ଥିଲା ଯେ, ଠିକ ଖୋଲିବା ସମୟରେ ହେଲା ବିସ୍ଫୋରଣ । ଏତେବଡ ବିସ୍ଫୋରଣ ହେଲା ଯେ, ଜଳିଗଲେ ତିନିଜଣ । ଘରର ଆସବାବପତ୍ର ସବୁ ଖିନଭିନ ହେବା ସହ ଫାଟିଗଲା ଘରର କାନ୍ଥ? ଆତଙ୍କବାଦୀ କିମ୍ବା ମାଓବାଦୀ ବ୍ୟବହାର କରୁଥିବା ଅତ୍ୟାଧୁନିକ ବିସ୍ଫୋରକ ଥିଲା କି ପାର୍ସଲ ବୋମାରେ? ଏସବୁ ଦିଗକୁ ଆଖିରେ ରଖି ମାମଲାର ଏନଆଇଏ ତଦନ୍ତ ପାଇଁ ମଧ୍ୟ ଦାବି ହେଉଛି । ଏହି ଦାବିରେ ସୌମ୍ୟଶେଖରଙ୍କ ମୃତଦେହ ରଖି ଲୋକେ ରାସ୍ତାରୋକ କରିଛନ୍ତି ।