ଇତିହାସରେ ପ୍ରଥମ । ଭୁବନେଶ୍ୱରରେ ପେଟ୍ରୋଲ ଠାରୁ ଟପିଲା ଡିଜେଲ ଦର । ପ୍ରଭାବିତ ହୋଇପାରେ ଟ୍ରକ୍ ,ବସ ସମେତ ପରିବହନ କ୍ଷେତ୍ର ।

43

କନକ ବ୍ୟୁରୋ: ଇତିହାସରେ ପ୍ରଥମ ଥର ପେଟ୍ରୋଲ ରେକର୍ଡ ଭାଙ୍ଗିଲା ଡିଜେଲ ଦର । ପେଟ୍ରୋଲ ଦର ଠାରୁ ଟପିଗଲା ଡିଜେଲର ମୂଲ୍ୟ । ପ୍ରଥମ ଥର ପାଇଁ ଏଭଳି ଏକ ବିଚିତ୍ର ଘଟଣା ଦେଶରେ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ରହିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସାମାନ୍ୟ ସୁଧାର ଯୋଗୁଁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରୁ ଗ୍ରାହକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି ।

ଗତକାଲି ପେଟ୍ରୋଲ ଦର ୮୩ ପଇସା ହ୍ରାସ ଘଟିଛି । କିନ୍ତୁ ଡିଜେଲ ଦର ୩୫ ପଇସା ବୃଦ୍ଧି ପାଇଛି । ଫଳରେ ଭୁବନେଶ୍ୱରେ ଭାରତୀୟ ତୈଳ ନିଗମର ଏକ ପମ୍ପରେ ଶନିବାର ପେଟ୍ରୋଲ ୮୦ ଟଙ୍କା ୮୨ ପଇସା ରହିଥିବାବେଳେ ଡିଜେଲ ରହିଛି ୮୦ଟଙ୍କା ୮୮ ପଇସା । ଅର୍ଥାତ ପେଟ୍ରୋଲ ତୁଳନାରେ ଡିଜେଲ ଦର ୬ ପଇସା ଅଧିକ ରହିଛି ।

ଅନ୍ୟପଟେ ପେଟ୍ରୋଲ ଦରରେ କିଛି ମାତ୍ରାରେ ମୂଲ୍ୟ ହ୍ରାସ କରି ବାହା ବାହା ନେଉଥିବା କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ଏଭଳି କେବେ ହୋଇ ନଥିଲା ଯେ ପେଟ୍ରୋଲ ଦର ଠାରୁ ଡିଜେଲ ଦର ବୃଦ୍ଧି ହୋଇଯିବ । କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ନୀତି ଯୋଗୁଁ ଏଭଳି ଦିନ ମଧ୍ୟ ଦେଖିବାକୁ ପଡ଼ୁଛି ଏବଂ ଏଥିପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।