ପଶୁ ହେଲେ ବି ଭୁଲିନି ବନ୍ଧୁତାର କର୍ତବ୍ୟ : ଅସୁସ୍ଥ ହାତୀକୁ ଜଗି ରହିଲେ ଦୁଇ ସାଥୀ ହାତୀ

48

ଢେଙ୍କାନାଳ : ଇଏ ଏକ ଏମିତି କାହାଣୀ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପରିବାରର କେହି ଅସୁସ୍ଥ ହେଲେ ଦିନ ରାତି ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କ ପାଖରେ ଜଗି ରହନ୍ତି ଓ ଯତ୍ନ ନିଅନ୍ତି । କିନ୍ତୁ ହାତୀ କ୍ଷେତ୍ରରେ ବୋଧେ ଏମିତି ହେବା ବିରଳ ।

ଏହି ତିନି ବନ୍ଧୁ ହେଉଛନ୍ତି କପିଳାସ ଚିଡିଆଖାନାରେ ରହୁଥିବା ୩ଟି ଛୁଆ ହାତୀ । ଏମାନଙ୍କୁ ମଧ୍ୟରୁ ଅସୁସ୍ଥ ହୋଇପଡିଛି ୩ବର୍ଷର ହାତୀ ଛୁଆ ଉମା । ଉମାର ଶୁଣ୍ଢରେ ମାଂସ ବଢୁଥିବାରୁ ସେ ଖାଇବା ପିଇବାରେ କଷ୍ଟ ଅନୁଭବ କରୁଛି । ଉମାର ୨ ସାଙ୍ଗ ଗଣେଶ ଓ କାର୍ତିକ ଅହରହ ଉମା ପାଖେ ପାଖେ ତାକୁ ଜଗି ରହିଛନ୍ତି ।

ତାକୁ ଜଗି ରହିବା ସହ ସତେ ଯେମିତି ତାର ଅସୁସ୍ଥତାକୁ ସେମାନେ ବୁଝିପାରୁଛନ୍ତି । ଉମାକୁ ଖାଇବାକୁ ଏବଂ ପାଣି ପିଇବାକୁ ଏହି ୨ ଛୁଆ ହାତୀ ପ୍ରବର୍ତାଉଛନ୍ତି । ପଶୁ ହେଲେ ମଧ୍ୟ ସେମାନଙ୍କ ଭିତରେ ଥିବା ସ୍ନେହ-ଶ୍ରଦ୍ଧାର ବନ୍ଧନ ବେଶ୍ ନିବିଡ । ଯେଉଁଠି ମଣିଷ ନିଜ ସୁଖ-ସ୍ୱାର୍ଥ ଲାଗି ପ୍ରିୟ-ପରିଜନଙ୍କୁ ପର କରିଦେଇପାରେ ସେଠି ଏହି ହାତୀ ଛୁଆମାନେ ନିଜ ସାଥୀକୁ ଛାଡିବାକୁ ନାରାଜ ।

୨୫ଦିନ ହେଲା ଅସୁସ୍ଥ ଅଛି ଉମା । ଏବେ ହୋମିଓପାଥୀ ଚିକିତ୍ସାରେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛି । ଶୁଣ୍ଢରେ ମାଂସ ବଢୁଥିବାର କାରଣରୁ ହାତୀ ଛୁଆଟି ଖାଦ୍ୟ ପାନୀୟରେ କଷ୍ଟ ପାଉଥିବା ସହ ଯନ୍ତ୍ରଣା ଯୋଗୁଁ ଚଲାବୁଲା ମଧ୍ୟ କରୁନଥିଲା । ବନ ବିଭାଗର ପ୍ରାଣୀ ଚିକିତ୍ସକ ହାତୀର ଚିକିତ୍ସା ପାଇଁ ହୋମିଓପାଥୀ ଚିକିତ୍ସା କରୁଛନ୍ତି । ଏବେ ଧୀରେ ଧୀରେ ହାତୀ ଛୁଆଟି ସୁସ୍ଥ ହେଉଛି ।  ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :