ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରମଣ ସିଂହ ! ମହାନଦୀ ପ୍ରସଙ୍ଗରେ ଛତିଶଗଡ ଭୁଲ କରୁଛି ବୋଲି ମାନିଲେ କେନ୍ଦ୍ରମନ୍ତ୍ରୀ ।

50

କନକ ବ୍ୟୁରୋ : ଶେଷରେ ମହାନଦୀ ଜଳ ବଣ୍ଟନକୁ ନେଇ ଛାତି ପିଟି କହୁଥିବା ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମୁହଁରେ ତାଲା ପକାଇ ଦେଲେ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାନଦୀ ସଂପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିବା ସହ ଛତିଶଗଡ ଭୁଲ କରୁଛି ବୋଲି ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରମଣ ସିଂହଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ।

ଛତିଶଗଡର  ରାଇଗଡ ଠାରେ ଆୟୋଜିତ ଏକ ସଭାରେ ଗତ ୨୯ ତାରିଖ ଦିନ  ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଥିଲେ ପାଣି ବ୍ୟବହାର କରିବା ଏବଂ ଛତିଶଗଡ କରୁଥିବା ପ୍ରକଳ୍ପକୁ କେହି ରୋକି ପାରିବେ ନାହିଁ । ପରୋକ୍ଷରେ ଓଡିଶାକୁ ଧମକ ଦେଇଥିଲେ ସେ ତାଙ୍କ ମନ ଇଛା ମହାନଦୀ ପାଣିକୁ ବ୍ୟବହାର କରିବୁ କେହି କିଛି କରିପାରିବେ ନାହିଁ । ନାଁ କେନ୍ଦ୍ର ଜଳ ଆୟୋଗ ନା ଆଉ କିଏ । ତେବେ ଏହାକୁ ନେଇ ବିଜେଡି ମଧ୍ୟ ଏହାର ପ୍ରତିବାଦ କରିଥିଲା । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରମଣ ସିଂହଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରି ଓଡିଶାବାସୀଙ୍କ ମନକୁ କିଛି ମାତ୍ରାରେ ଶାନ୍ତ କରିବାକୁ ପ୍ରୟାସ କରିଛନ୍ତି ।  ଏବଂ ଧର୍ମେନ୍ଦ୍ର କହିଛନ୍ତି ଯେ ଓଡିଶାର ସ୍ୱାର୍ଥ ସହ କୌଣସି ବୁଝାବଣା କରାଯିବ ନାହିଁ  । ସେତେବେଳେ ଟ୍ରିବ୍ୟୁନାଲ କଥା କହୁଥିଲୁ ଏବେ ବି ଟ୍ରିବ୍ୟୁନାଲ କଥା କହୁଛୁ । ଆନ୍ତଃରାଜ୍ୟ ଜଳ ବିବାଦ ମଧ୍ୟରେ କିଭଳି ସମାଧାନ ହେବ ତାହାର ପନ୍ଥା ବାହାର କରିବା ଉଚିତ୍ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହାସହ ରାଜ୍ୟ ସରକାରଙ୍କୁ ମଧ୍ୟ ଦୋଷ ଲଦିବାର ମଉକା ଛାଡି ନଥିଲେ ଧର୍ମେନ୍ଦ୍ର । ରାଜ୍ୟର ତଳମୁଣ୍ଡରେ ବାଲଟିଏ ପାଣିକୁ ରୋକିବା ପାଇଁ ଉଦ୍ୟମ କରି ନାହାଁନ୍ତି ରାଜ୍ୟ ସରକାର । ଯଦି ତଳ ମୁଣ୍ଡରେ ନଷ୍ଟ ହୋଇଥିବା ପାଣିକୁ ସଞ୍ଚୟ କରିବାକୁ ସକ୍ଷମ ହୋଇଥାନ୍ତେ ତେବେ ରାଜ୍ୟବାସୀ ଉପକୃତ ହୋଇଥାନ୍ତେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ପ୍ରତିକ୍ରିୟା ଏବଂ ରମଣ ସିଂଙ୍କ ବୟାନକୁ ନେଇ ଯେଉଁ ଉକ୍ତି ରଖିଛନ୍ତି ତାହା, ରାଜ୍ୟ ବିଜେପି ବ୍ୟାକଫୁଟରେ ଥିବାବେଳେ ମହାନଦୀର ମୋଡ଼ ବଦଳାଇ ପୁଣି ଫ୍ରଣ୍ଟଫୁଟରେ ଖେଳିବାକୁ ଉଦ୍ୟମ କରିଛି ବିଜେପି ବୋଲି ରାଜନୈତିକ ମାହୋଲରେ ଚର୍ଚ୍ଚା ହେବାରେ ଲାଗିଛି ।