କେନ୍ଦ୍ରୀୟ ଅବହେଳା ନେଇ ନବୀନଙ୍କ ପ୍ରଶ୍ନର ଜବାବ ପ୍ରଶ୍ନରେ ରଖିଲେ ଧର୍ମେନ୍ଦ୍ର: ପାଲଟା ପ୍ରଶ୍ନ କରି କହିଲେ, ରାଜ୍ୟରେ କୋଷ୍ଟାଲ ହାଇୱେକୁ ଅଟକାଉଛି କିଏ?

ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଦେବାକୁ କହି ଠକିଛି କିଏ?

115

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟଥର ପାଇଁ ଓଡିଶାକୁ ପ୍ରଚାରରେ ଆସି ସୁନ୍ଦରଗଡ ଓ ସୋନପୁରରେ ପ୍ରଚାର କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ବିଜେଡିକୁ ଟାର୍ଗେଟ କରିଛନ୍ତି । ପ୍ରଚାର ମୈଦାନରେ ଲାଗାତାର କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ବିଜେପି ଉପରେ ନବୀନ ଶାଣିତ ଆକ୍ରମଣ କରିଥିବା ବେଳେ ନବୀନଙ୍କ ଅଭିଯୋଗର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ନିର୍ବାଚନୀ ବର୍ଷରେ ଜୋର ଧରିଛି ଆରୋପ ପ୍ରତ୍ୟାରୋପ ରାଜନୀତି ।

ବିଜେପି ନେତା ଓଡିଶା ପାଇଁ କଣ କରିଛନ୍ତି ସେନେଇ ପ୍ରଶ୍ନ କରିବା ପାଇଁ ପ୍ରଚାର ମୈଦାନରେ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ପ୍ରବଣ ଜିଲ୍ଲା ଗଞ୍ଜାମର କିନିଷିରେ ନିର୍ବାଚନୀ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଫାଇଲିନ ହୁଡହୁଡ ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କାହିଁକି ବିଜେପି ନେତାଙ୍କ ଦେଖା ନଥିଲା । ହେଲେ ନିର୍ବାଚନ ଆସିବାରୁ ଲୋକଙ୍କ ପାଖକୁ ଯାଇ ବିକାଶର ସ୍ୱପ୍ନ ଦେଖାଉଛନ୍ତି । ଆଉ ଏହି ଅଭିଯୋଗର ଜବାବରେ ଆଜି ଧର୍ମେନ୍ଦ୍ର କହିଛନ୍ତି ୧୯୯୯ ମସିହା ମହାବାତ୍ୟାପରେ ଓଡିଶାର ପୁନଃନିର୍ମାଣ ପାଇଁ ଯଥେଷ୍ଟ ଆର୍ଥିକ ସହାୟତା ଯୋଗଇଥିଲେ ବାଜପେୟୀ ସରକାର ।

ସେହିପରି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ନମିଳିବା, ବର୍ଷକୁ ୦୨କୋଟି ନିଯୁକ୍ତି ନମିଳିବା ସହ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ବୃତ୍ତି କାଟକୁ ନେଇବି ପ୍ରଚାର ମୈାଦାନରୁ ପ୍ରଶ୍ନ କରିଛନ୍ତି ନବୀନ । ଆଉ ଧର୍ମେନ୍ଦ୍ର ଓଡିଶା ପ୍ରତି ବିଜେପି ସରକାରର ଅବଦାନ ଦର୍ଶାଇବାକୁ ଯାଇ ପାରାଦୀପ ତୈଳ ବିଶୋଧନାଗାର, ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠା କ୍ଷେତ୍ରରେ ବିଜେପିର ଅବଦାନ ଥିବା କହିଛନ୍ତି ।

୨୦୧୯ରେ ଏକାଧିକ ପ୍ରସଙ୍ଗକୁ ନେଇ ଲଢେଇ ହେଉଥିବା ବେଳେ ପ୍ରଚାର ମୈଦାନରେ ବିଜେଡି-ବିଜେପି ଭିତରେ ଜୋରଦାର ହୋଇଛି ଆରୋପ ପ୍ରତ୍ୟାରୋପ ରାଜନୀତି । କିନ୍ତୁ ନେତାଙ୍କ ଏ ବୟାନବାଜି ଭୋଟରଙ୍କୁ କେତେ ପ୍ରଭାବିତ କରିପାରୁଛି ତାହା ନିର୍ବାଚନ ଫଳାଫଳ ହିଁ ସ୍ପଷ୍ଟ କରିବ ।