ଓଡିଶାରେ ମୋଦିଙ୍କ ତୃତୀୟ ନିର୍ବାଚନୀ ପ୍ରଚାର: ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କହିଲେ, ଓଡିଶାର ଗରିବୀ ପାଇଁ ଦାୟୀ ବିଜେଡି ସରକାରଙ୍କ ନୀତି ଓ ଉଦ୍ଦେଶ୍ୟ

ରାଜ୍ୟର ବିକାଶ ପାଇଁ ନୂଆ ସରକାର ଗଢିବାକୁ ଦେଲେ ଆହ୍ୱାନ;କହିଲେ ଏଥର ଫୁଟିବ ଅଧିକ ପଦ୍ମ

88

କନକ ବ୍ୟୁରୋ: ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ତୃତୀୟ ନିର୍ବାଚନୀ ପ୍ରଚାର ବେଳେ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ରାଜ୍ୟରେ କ୍ଷମତାରେ ଥିବା ଦଳର ନୀତି ଓ ଉଦ୍ଦେଶ୍ୟ ଠିକ ନଥିବାରୁ ଓଡିଶା ପଛୁଆ । ଓଡିଶାକୁ ପଛୁଆ କରି ରଖିବା ପଛରେ ବିଜେଡି ଓ କଂଗ୍ରେସକୁ ଅତି କଡା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ନେଇ ଶାଣିତ ସମାଲୋଚନା କରିଛନ୍ତି । ମୋଦୀଙ୍କ ଆକ୍ଷେପର କଡ଼ା ଜବାବ ଦେଇଛନ୍ତି ନବୀନ ।

ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ନିର୍ବାଚନ ପ୍ରଚାର । ଜୟପୁର ଓ ଭବାନୀପାଟଣା ପରେ ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ପହଂଚିଛନ୍ତି ମୋଦି । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ନିର୍ବାଚନୀ ସଭାରୁ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡିଶାରେ କୋଇଲା ଅଛି, ଧାତୁ ଅଛି ଜଳ ଅଛି ଆଉ ଜଙ୍ଗଲ ବି ଅଛି । ତଥାପି ଓଡିଶା ପଛୁଆ । ଏହାର କାରଣ ରାଜ୍ୟରେ କ୍ଷମତାରେ ଥିବା ଦଳର ନୀତି ଓ ଉଦ୍ଦେଶ୍ୟ ଠିକ ନାହିଁ । କେବଳ ବିଜେଡି ନୁହେଁ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରଧାମନ୍ତ୍ରୀ । କାରଣ ରାଜ୍ୟରେ ବିଜେଡି ସରକାର ପୂର୍ବରୁ କ୍ଷମତାରେ ଥିଲା କଂଗ୍ରେସ । ବିକାଶ ପାଇଁ ସବୁ ସଂସାଧନ ଥାଇ ସୁଦ୍ଧା ଓଡିଶାକୁ ପଛୁଆ କରି ରଖିବା ପଛରେ ଏହି ଦୁଇ ଦଳର ଉଦ୍ଦେଶ୍ୟକୁ ଅତି କଡା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଗରିବଙ୍କ ଭିତରେ ରାଜନୀତିର ଫସଲ ଦେଖୁଛନ୍ତି ଦୁଇ ଦଳ ।

ଚାଷୀ ପ୍ରସଙ୍ଗ ଉଠାଇ ନବୀନ ସରକାରଙ୍କୁ ଘେରିଛନ୍ତି ମୋଦି । କହିଛନ୍ତି ବିଜେଡି ସରକାରଙ୍କ ଉଦ୍ଦେଶ୍ୟ ସାଧୁ ହୋଇଥିଲେ, ଚାଷୀଙ୍କୁ ଉତ୍ପାଦର ଦେଢଗୁଣା ପ୍ରଦାନ କରିବାରେ ଅବହେଳା କରିନଥାନ୍ତେ । ପିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ମିଳିବାକୁ ଥିବା ଟଙ୍କା ବଂଟନରେ ବାଧକ ହୋଇନଥାନ୍ତେ । ଆୟୁଷମାନ ଯୋଜନାରେ ସାମିଲ ନହୋଇ ଓଡିଶାର ଗରିବଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବାଧା ସୃଷ୍ଟି କରିନଥାନ୍ତେ । ମହାନଦୀ କୋଲ ଲିମିଟେଡରେ କୋଲ କରଡର ପ୍ରୋଜେକ୍ଟକୁ ଅଟକାଇନଥାନ୍ତେ ।

ସୁନ୍ଦରଗଡ ପରେ ସୁବର୍ଣ୍ଣପୁର ସଭାରେ କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ନେଇ ଶାଣିତ ସମାଲୋଚନା କରିଛନ୍ତି ମୋଦି । କେନ୍ଦ୍ରରେ କ୍ଷମତାକୁ ଆସିଲେ କଂଗ୍ରେସ ଗିରବଙ୍କ ପାଇଁ ବଡ ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି ରାହୁଲ ଗାନ୍ଧି । ଏହାକୁ ସୋନପୁର ସଭାରୁ ଟାର୍ଗେଟ କରିଛନ୍ତି ମୋଦି । ଦେଶରୁ କଂଗ୍ରେସ ହଟିଲେ ଯାଇଁ ଗରିବୀ ହଟିବ ବୋଲି ସେ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି । ନିର୍ବାଚନୀ ସଭାରେ ବାରମ୍ବାର ଡବଲ ଇଂଜନି କଥା କହି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ମୋଦି । ଅର୍ଥାତ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢିବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ଏଥର ଓଡିଶାରେ ଅଧିକ ପଦ୍ମ ଫୁଟିବ ବୋଲି ସେ ଦୃଢୋକ୍ତି କରିଛନ୍ତି ।