ବିଜେଡିକୁ ଧର୍ମେନ୍ଦ୍ରଙ୍କ ଜବାବ ! ତୁମେ ପରଘର ତିଅଣରେ ସତ୍କାର କର

117

କନକ ବ୍ୟୁରୋ : ଦିନ ତମାମ ବିଜେଡି ବିଜେପି ପ୍ରଶ୍ନୋତର ରାଜ୍ୟ ରାଜନୀତିର ପାଣିପାଗକୁ ଗରମ କରିଦେଇଥିଲା । କେତେବେଳେ ବିଜେପି ପ୍ରଶ୍ନ କରି ଉତ୍ତର ମାଗୁଥିଲା ଆଉ କେତେବେଳେ ବିଜେଡି ଉତ୍ତର ରଖି ପୁଣି ପ୍ରଶ୍ନ କରୁଥିଲା । ତିନିଦିନିଆ ଓଡିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗତକାଲି ପରିବାର ବାଦର ପ୍ରସଙ୍ଗ ଉଠାଇଥିଲେ । ଆଉ ଏହାପର ଠାରୁ ରାଜନୈତିକ ମାହୋଲ ହଠାତ ପରିବର୍ତ୍ତନ ହୋଇଗଲା । ଶାହାଙ୍କୁ ଜବାବ ଦେଲା ବିଜେଡି । ଆଉ ପୁଣି ବିଜେଡି ପ୍ରଶ୍ନର ଉତ୍ତର ରଖିବାକୁ ମିଡିଆ ସାମ୍ନାକୁ ଆସିଥିଲେ ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଯାହା ଦିନ ସାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଓଡିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗତକାଲି ପରିବାରବାଦର ବାଣ ଛାଡିଥିଲେ । କହିଥିଲେ ବିଜେପିରେ ସାଧାରଣ ଚା ବାଲା ବି ପ୍ରଧାନମନ୍ତ୍ରୀ ହୋଇପାରେ ହେଲେ ବିଜେଡିରେ ମୁଖିଆ ହେବା ପାଇଁ ବିଜୁ ପଟ୍ଟନାୟକଙ୍କ ଦାୟାଦ ହୋଇଥିବା ଦରକାର । ଏହାପରେ ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ଗର୍ଜିଥିଲେ ଅମିତ । କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ହେଉନଥିବା ଓ ବିକାଶ ପାଇଁ ରାଜ୍ୟ ସକରାକର ସହାୟତା ଦେଉ ନଥିବା ଦୋଷ ଲଦିଥିଲେ ।

ଏହାର ଉତ୍ତର ରଖିବା ପାଇଁ ବିଜେଡି ନେତା ପ୍ରତାପ ଦେବ, ସଂଜୟ ଦାଶବର୍ମା ଓ ଅରୁଣ ସାହୁ ବି ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ସିଧା ସିଧା କହିଥିଲେ, ଶାହା ପ୍ରଥମେ ପରିବାର ବାଦର ସଂଜ୍ଞା କଣ ବୁଝନ୍ତୁ । ବିଜୁ ବାବୁ ନିଜ ଜୀବଦଶାରେ ପରିବାରରୁ କାହାକୁ ରାଜନୀତିକୁ ଆଣିନଥିଲେ । ତେଣୁ ଏହି ଉକ୍ତି ଆଦୌ ଗ୍ରହଣୀୟ ନୁହେଁ ।

ଏହାସହ ଦଳ ପକ୍ଷରୁ ଅରୁଣ ସାହୁ କହିଥିଲେ, ରାଜନୀତିରେ ଶାଳୀନତା କେବଳ ନବୀନଙ୍କ ପାଖରୁ ମିଳେ । ନବୀନ ବିରୋଧୀ ଦଳ ପାଇଁ କେବେ ମନ୍ତବ୍ୟ ଦିଅନ୍ତି ନାହିଁ । ଓଡିଶାର ପ୍ରଗତି ଓ ଉନ୍ନତି ତାଙ୍କର ଏକମାତ୍ର ଲକ୍ଷ୍ୟ । ତେବେ ଶେଷରେ ବିଜେପି ଉଦ୍ଦେଶ୍ୟରେ କହିଥିଲେ ମଂଚ ବାନ୍ଧ, କେନ୍ଦ୍ରମନ୍ତ୍ରୀଙ୍କୁ ବସାଅ । ଆମେ ବି ବସିବୁ, ଉତ୍ତର ଦେବୁ ।

ଏହାର କିଛି ସମୟ ପରେ ଆରମ୍ଭ ହେଲା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସମିଟ । ବିଜେଡି ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ କହିଥିଲେ ବିରୋଧୀ ଦଳ ଭାବେ ଆମେ ଆମ କାମ କଲୁ । ପ୍ରତାବ ଦେବଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଥିଲେ, ସେ ଭାବୁଛନ୍ତିି ତାଙ୍କୁ କେହି ସମାଲୋଚନା କରିପାରିବେ ନାହିଁ । ତାଙ୍କ ପ୍ରତିକ୍ରିୟାରୁ ଏହା ବାରି ହୋଇ ଯାଉଥିଲା । ବିଷ୍ଣୁଙ୍କ ଭଳି ଦଳିତ ନେତାଙ୍କୁ ହଟାଇ ରାଜ୍ୟସଭାକୁ ଯାଇଥିବା କହିଥିଲେ ଧର୍ମେନ୍ଦ୍ର । କେନ୍ଦ୍ରୀୟ ଅନୁଦାନ ହ୍ରାସ ପ୍ରସଙ୍ଗ ରାଜ୍ୟସଭାରେ ଉଠାଇବା ନ୍ୟାୟୋଚିତ ହେବ ବୋଲି ସେ କହିଛନ୍ତି ।

ତ୍ରୟୋଦଶ ଅର୍ଥ କମିଶନ ଠାରୁ ଚତୁର୍ଦ୍ଦଶ ଅର୍ଥ କମିଶନରେ ଆଜିର କେନ୍ଦ୍ର ସରକାର ନିଷ୍ପତି କାରଣରୁ ଅଧିକ ଅର୍ଥ ମିଳୁଥିବା କହିଛନ୍ତି ଧର୍ମେନ୍ଦ୍ର । ୩୨ ପ୍ରତିଶତ ଅର୍ଥ ମିଳିବା ପାଇଁ ନିଷ୍ପତି ଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ଚାହିଁବାରୁ ରାଜ୍ୟ ୪୨ ପ୍ରତିଶତ ଅର୍ଥ ପାଉଛି । ରିଜର୍ଭର୍ ବ୍ୟାଙ୍କର ରିପୋର୍ଟକୁ ପ୍ରତାପ ଭଲରେ ପଢ଼ନ୍ତୁ ବୋଲି କଟାକ୍ଷ କରିଛନ୍ତି ସେ । କହିଛନ୍ତି, ସେ ପଢ଼ନ୍ତୁ ସେଥିରେ କଣ ଲେଖାହୋଇଛି । ଦିଲ୍ଲୀରେ ବସି ମାଲକାନଗିରି , ରାଜକନିକାର ସମସ୍ୟା ସମାଧାନ ହୋଇପାରିବନି ବୋଲି ରାଜ୍ୟ ସରକାରଙ୍କୁ ଅର୍ଥ ଦିଆଯାଉଛି ଖର୍ଚ୍ଚ କରିବାକୁ । ଅର୍ଥ ଅନୂଦାନ ବଢ଼ିବା ଗତାନୁଗତିକ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତିି ।

ସେହିପରି ରେଳ ବଜେଟ ପ୍ରସଙ୍ଗରେ ବି ସେ ମତ ରଖିଛନ୍ତି । କହିଛନ୍ତି, ରେଳ କ୍ଷେତ୍ରରେ ଓଡିଶାକୁ ଫାଇଦା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଓଡିଶାର ରେଳ ବଜେଟ କେବେ ହଜାରେ କୋଟି ଟପୁ ନଥିବା ବେଳେ ନରେନ୍ଦ୍ର ମୋଦି ସରକାରରେ ୫୧୦୦ କୋଟିରେ ପହଂଚିଛି । ତେବେ ବିଜେଡି ଅସହିଷ୍ଣୁତାରେ ଯାହା କହିଲେ ବି ଆମେ ଚୁପ ରହିବାକୁ ଉଚିତ ମନେ କରିବୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ପ୍ରତାପ ଦେବଙ୍କୁ କଟାକ୍ଷ କରି ଧର୍ମେନ୍ଦ୍ର କହିଛନ୍ତି, ପରଘର ତିଅଣରେ ଆପଣ ସକ୍ରାର କରନ୍ତି । ଆପଣଙ୍କ କେନ୍ଦ୍ରପଡାରେ କୋଷ୍ଟାଲ ହାଇୱେର ଶୁଭ ଦିଆଯିବ ବୋଲି ସେ କହିଛନ୍ତି । ସେ ଆହୁରି ବି କହିଛନ୍ତି, ଲମ୍ବା ସମୟ ଶାସନରେ ରହିଲେ ସାମନ୍ତବାଦୀର ଚିନ୍ତାଧାରା ରହିବା ସ୍ୱାଭାବିକ । ଓଡିଶାରେ ୨୦ଲକ୍ଷ ଗ୍ୟାସ କନେକ୍ସନ ଥିଲା । ଏବେ ଏହା ୫୦ଲକ୍ଷରେ ପହଂଚିଲାଣି । ଗରୀବ ମହିଳାଙ୍କ ଜୀବନ ବଂଚାଇବାକୁ ଆମର ପ୍ରୟାସ । ନବୀନଙ୍କୁ ଏହା ପସନ୍ଦ ନ ଆସିପାରେ । କିନ୍ତୁ ଆମେ ଏହା କରିବୁ ।

ଏମଏସପି ଉପରେ ଭୁଲ ତଥ୍ୟ ଦେଇନୁ । କେନ୍ଦ୍ର ସହ ଆଲୋଚନା କରି ଛତିଶଗଡ ରାଜ୍ୟ ଭାଗର ବୋନସ ଦେଉଛି । ଏମଏସପି କେନ୍ଦ୍ର ଦେଉଛି । ଆପଣ ବୋନସ ଦେଇ ଦେଖାନ୍ତୁ ବୋଲି ବିଜେଡିକୁ ସେ ଆହ୍ୱାନ କରିଛନ୍ତି । ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଚାଷୀ ଋଣ ଛାଡ କରିଛି, ତେବେ ଓଡିଶା କାହିଁକି ଋଣ ଛାଡ କରିବନି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ଶେଷରେ ଧର୍ମେନ୍ଦ୍ର କହିଛନ୍ତି ସଇତାନ ମୁହଁରେ ବେଦପାଠ ଭଲ ଲାଗେନି ।