ମହାନଦୀ ପାଣି ପାଇଁ ସାଲିସ୍ କରାଯିବନି : ଧର୍ମେନ୍ଦ୍ର ପ୍ରଧାନ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ମହାବିବାଦ ଉପରେ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାମ୍ବାଦିକ ସମ୍ମିଳନୀ ଡାକି ନିଜର ଆଭିମୁଖ୍ୟ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି, ଏହି ବିବାଦ ଏକ ରାଜନୈତିକ ବିବାଦ ନୁହେଁ, ଏଥିରେ ୪ କୋଟି ଓଡ଼ିଆଙ୍କ ଭାଗ୍ୟ ନିର୍ଭର କରୁଛି । ମହାନଦୀର ପାଣି ପାଇଁ ବୁଝାମଣା କରାଯିବନି, ଏଥିପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଜରୁରୀ ବୋଲି ସେ କହିଛନ୍ତି। ଛତିଶଗଡ଼ ସରକାର, ଓଡ଼ିଶା ସରକାର ଓ ସିଡବ୍ଲୁସି ମଧ୍ୟରେ ଚିଠି ଦେବା ନେବା ନେଇ ଯେଉଁ ବିବାଦ ଚାଲିଛି, ସେ ନେଇ ବିଜେପି ଏକ ଶ୍ୱେତପତ୍ର ପ୍ରକାଶ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଯୁଗ୍ମ ପରିଚାଳନା କମିଟି ଗଠନ ଉପରେ ସେ ଜୋର ଦେଇଛନ୍ତି। ଓଡ଼ିଶା ସରକାର ଏହି ଯୁଗ୍ମ ପରିଚାଳନା କମିଟି ଗଠନ ପ୍ରସଙ୍ଗକୁ ଯେପରି ଝୁଲାଇ ରଖିଛନ୍ତି, ତାକୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ସେହିପରି ମହାନଦୀ ବିବାଦ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର । ମହାନଦୀ ଉପରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଧର୍ମେନ୍ଦ୍ରଙ୍କ ଏହି ସାମ୍ବାଦିକ ସମ୍ମିଳନୀକୁ ନେଇ ଚର୍ଚ୍ଚା ଜୋର ଧରିଛି।