ପୁଣି ଫେରିଲା ଗୁମୁଡୁମାହା ଗୁଳିକାଣ୍ଡ ଘଟଣା ! ଗୁମୁଡୁମାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

29

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଗୁଳିକାଣ୍ଡ ଦୁଇ ବର୍ଷ ପୂର୍ତ୍ତି ପୂର୍ବରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ଘଟଣାର ଦୁଇ ବର୍ଷ ପୁରିବାକୁ ବସିଛି ହେଲେ ନବୀନ ବାବୁ ଆପଣ ନିଜେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବାରେ ବିଫଳ ହୋଇଛନ୍ତି । ତେଣୁ ଆପଣଙ୍କୁ ସ୍ଥାଣୁ ଅପାରଗ କୁହାଯିବନି ତ ଆଉ କେଉଁ ଶବ୍ଦର ବ୍ୟବହାର କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଗୁମୁଡୁମାହା ଗୁଳିକାଣ୍ଡରେ ମୃତ ଓ ଅକର୍ମଣ୍ୟ ହୋଇଯାଇଥିବା ଲୋକଙ୍କ ପରିବାରକୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଳିଲା ନାହିଁ । ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ଫେରାଦ ହୋଇଛନ୍ତି ଗୁଳିକାଣ୍ଡରେ ଆହତ ହୋଇଥିବା ଆଦିବାସୀ ବୋଲି ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

ସାଢ଼େ ଚାରିକୋଟି ଓଡିଆଙ୍କୁ ଗଭୀର ଦୁଃଖ ପହଂଚାଇବା ସହ ମୃତାହତଙ୍କ ପରିବାର ପ୍ରତି ସମ୍ବେଦନଶୀଳତା ସୁଅ ତିଆରି କରିଥିଲା । ଗତ ଦୁଇବର୍ଷ ତଳେ ଜୁଲାଇ ୮ ତାରିଖ ଦିନ ଗୁମୁଡୁମାହା ଠାରେ ଅତର୍କିତ ପୋଲିସ ଗୁଳିଚାଳନା କରିଥିବା ଘଟଣା ଆଜି ବି ବ୍ୟଥିତ କରୁଛି । ଏଭଳି ଘଟଣାକୁ ପ୍ରତିଶ୍ରୁତି ଦେଇ ଗଣତନ୍ତ୍ର ଓ ବିକାଶ ଯୁଗରେ ଆଉ କାହାର ଭୁଲ ପାଇଁ ଦଣ୍ଡ ଭୋଗୁଥିବା ଆଦିବାସୀ ଲୋକମାନଙ୍କର ବର୍ତ୍ତମାନ ସ୍ଥିତିକୁ ସମାଧାନ ନକରିବା ଦୁଃଖ ଓ ପରିତାପ ବିଷୟ ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ।

କ୍ଷତିଗ୍ରସ୍ତ ପରିବାର ସଦସ୍ୟମାନେ ଧର୍ମେନ୍ଦ୍ରଙ୍କୁ ସାକ୍ଷାତ କରି ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନ କରିବା ନେଇ କୋହଭରା କଣ୍ଠରେ ଦୁଃଖ ବଖାଣିଥିବା କହିଛନ୍ତି ଧର୍ମେନ୍ଦ୍ର । ମୃତକ ପରିବାରକୁ କିଛି ଅର୍ଥ ସହାୟତା ଛଡା ରାଜ୍ୟ ସରକାର ଅନ୍ୟ କିଛି ପ୍ରତିଶ୍ରୁତିକୁ ପୂରଣ କରି ନଥିବା କ୍ଷତିଗ୍ରସ୍ତ ପରିବାର ଅଭିଯୋଗ କରିଛନ୍ତି ବୋଲି ଫେସବୁକ ପୋଷ୍ଟରେ କହିଛନ୍ତି ଧର୍ମେନ୍ଦ୍ର । ଏପରିକି ଯେଉଁ କାଦୁଅ ରାସ୍ତା ପାଇଁ ଏତେ ଲୋକ ବଳିଦାନ ଓ ଅକର୍ମଣ୍ୟ ହେଲେ, ସେ ରାସ୍ତାର ବାବଦରେ ସରକାର ଚୁପ ବସିଛନ୍ତି । ଯାହା ଦ୍ୱାରା ଏବେ ବି ଦୈନିକ କାମ, ଡାକ୍ତରଖାନା ଓ ପ୍ରସୂତି ମହିଳାଙ୍କୁ ବାଲିଗୁଡାକୁ ୩୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡୁଛି । ଗାଁରେ ବିଦ୍ୟୁତ ସରବରାହ ଅତ୍ୟନ୍ତ ନିମ୍ନ ମାନ ରହିଥିବା ଯୋଗୁଁ ପିଲାମାନେ ରାତିରେ ପାଠ ପଢ଼ିପାରୁ ନଥିବା ଜଣାଇଛନ୍ତି କ୍ଷତିଗ୍ରସ୍ତ ଓ ଆହତଙ୍କ ପରିବାର । ନବୀନ ବାବୁ ଏପରି ସମ୍ବେଦନଶୀଳ ମାମଲାରେ ପ୍ରତିଶ୍ରୁତି ଦେଇ ପୂରଣ ନ କରିବା ଓଡିଶାବାସୀଙ୍କ ଭାବାବେଗ ସହ ଖେଳିବା ପରି କାର୍ଯ୍ୟ ବୋଲି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।