ସରକାରଙ୍କୁ ସଦବୁଦ୍ଧି ଦିଅ : ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଆକ୍ରମଣ ପରେ ନବୀନ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

31

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ବରଗଡ ଘଟଣାକୁ ନେଇ ରାଜନୀତି ସରଗରମ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରେ ଆକ୍ରମଣ ପାଇଁ ନବୀନଙ୍କୁ କାଠଗଡାକୁ ଟାଣିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଗୋଡ ତଳୁ ମାଟି ଖସିଯାଉଛି , ଆଉ ଭୟରେ ଏଭଳି ଆଚରଣ କରୁଛନ୍ତି ବିଜେଡି ନେତା । କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ରାଜ୍ୟ ସରକାରଙ୍କ ନେତୃତ୍ୱକୁ ଚ୍ୟାଲେଂଜ କରିଛନ୍ତି । ସେପଟେ ନବୀନଙ୍କ ଉପରେ ଟାର୍ଗେଟ୍ ନେଇ ରଣନୀତି ପ୍ରସ୍ତୁତ କରିଛି ରାଜ୍ୟ ବିଜେପି । ଆଉ ବିଜେପି ନେତାଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ଜୋର ଧରୁଛି ବରଗଡ ପଲିଟିକ୍ସ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରେ ଆକ୍ରମଣକୁ ନେଇ ରାଜନୀତି ସରଗରମ । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ରାଜ୍ୟରେ ଏକଛତ୍ରବାଦ ସରକାର ଚାଲିଛି ।

ଓଡିଶାରୁ ନୂଆଦିଲ୍ଲୀ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ବରଗଡରେ ଏଭଳି ବିରୋଧ ପ୍ରଦର୍ଶନକୁ ନେଇ ତାତି ଉଠିଛନ୍ତି କେନ୍ଦ୍ରୀୟ ନେତା । ରାଜ୍ୟ ବିଜେପିନେତା ବି ନବୀନଙ୍କୁ ଘେରିଛନ୍ତି । ସିଧା ସିଧା ଅଭିଯୋଗ କରିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ ପାଇଁ ତୃତୀୟ ମହଲାରୁ ଆସିଥିଲା ନିର୍ଦେଶ । ସେପଟେ ଧର୍ମେନ୍ଦ୍ରଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ବରଗଡ ରାଜନୀତିକୁ ନେଇ ଏବେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଉପୁଜିଛି ମୁହାମୁହିଁ ସ୍ଥିତି । ଚାଲିଛି ଆଟାକ୍- କାଉଂଟର ଆଟାକ୍ । ଆଉ ରାଜନୀତିର ଏହି ଛକାପଞ୍ଝା ଭିତରେ ପ୍ରବେଶ କରିଛି ଅରାଜକତା ।