ପରଦା ପଛର ଭିଲେନ୍ : ଓଲିଉଡର ରଂଗୀନ ପରଦା ପଛରେ କଣ ସବୁ ଚାଲିଛି ସେନେଇ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ଶର୍ମିଷ୍ଠା

34

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଓଲିଉଡର ରଂଗୀନ ପରଦା ପଛରେ କଣ ସବୁ ଚାଲିଛି ସେନେଇ ଥାନାରେ ପହଁଚିଛି ଅଭିଯୋଗ । ଓଲିଉଡର ଚିଟଫଣ୍ଡ ଲିଙ୍କ ସାମ୍ନାକୁ ଆସିବା ପରେ ଅଭିନେତ୍ରୀ ଶର୍ମିଷ୍ଠା ଥାନାରେ ଅଭିଯୋଗ କରିଛନ୍ତି, କେମିତି ତାଂକୁ କମ୍ପ୍ରମାଇଜ୍ କରିବାକୁ କହୁଥିଲେ ନିର୍ଦେଶକ ଓ ପ୍ରଯୋଜକ । ପୂର୍ବରୁ ଏହା କେବଳ ଅଭିଯୋଗ ସ୍ତରରେ ସୀମିତ ଥିବା ବେଳେ ଏବେ ଥାନାରେ ପହଁଚିଛି ମାମଲା । ଓଲିଉଡର ଏହି ଗ୍ଲାମର ଦୁନିଆରେ କଣ ଚାଲେ ଏବେ ଗୋଟିଏ ଗୋଟିଏ କଥା ପଦାକୁ ଆସୁଛି । ଅଭିନେତ୍ରୀ ବନିବା ପାଇଁ କଂପ୍ରମାଇଜ୍ କରିବାକୁ ପଡେ । ସିଧା ସିଧା ନିର୍ଦେଶକ ଓ ପ୍ରଯୋଜକମାନେ ଅଭିନେତ୍ରୀଙ୍କୁ କୁହନ୍ତି କମ୍ପ୍ରମାଇଜ୍ କରିବା ପାଇଁ ।

କିଛି ସିରିଏଲ୍ ଓ ଚାରୋଟି ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀ ଶର୍ମିଷ୍ଠା ଯଦି ସତ କହୁଥାନ୍ତି, ତେବେ ଏହା ସଂଗୀନ ନିଶ୍ଚୟ । ବାପି ଜେନା । ଏହି ଜଣାଶୁଣା ଇଭେଂଟ ମ୍ୟାନେଜର କୁଆଡେ ଶର୍ମିଷ୍ଠାଙ୍କୁ କହିଥିଲେ ତାଙ୍କ ସହ ରାତି ବିତାଇବା ପାଇଁ । ଆଉ ଜଣେ ଅଭିଯୁକ୍ତ ହେଉଛନ୍ତି ଟେଲି ଧାରାବାହିକ ନିର୍ଦେଶକ ସୁବ୍ରତ ନାୟକ । ସୁବ୍ରତ ଶର୍ମିଷ୍ଠାଙ୍କୁ ଅଶ୍ଲିଳ ଫଟୋ ମାଗିଥିଲେ ଆଉ ଧିରେ ଧିରେ ତାଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଥିଲେ । ମହିଳା ଥାନାରେ ଯେଉଁ ଅଭିଯୋଗ ଆଣିଛନ୍ତି, ସେଥିରେ ସେ ଆହୁରି ମଧ୍ୟ କହିଛନ୍ତି ଓଲିଉଡର ଆଗ ଧାଡିର ନିର୍ଦେଶକ ଚଣ୍ଡୀ ପରିଜା ଶର୍ମିଷ୍ଠାଙ୍କୁ କାମ କରିବା ସମୟରେ ଦୁର୍ବ୍ୟବହାର କରିଥିଲେ । ସେହିପରି ଯୁବ ନିର୍ଦେଶକ ତାପସ ସରଘରିଆଙ୍କ ବିରୋଧରେ ତାଙ୍କ ଅଭିଯୋଗ ହେଉଛି, ସେ କୁଆଡେ ଫୋନରେ ଶର୍ମିଷ୍ଠାଙ୍କୁ କମ୍ପ୍ରମାଇଜ୍ କରିବାକୁ କହିଥିଲେ । ଏହା ଛଡା ନାଁ କରା ପ୍ରଡକ୍ସନ ହାଉସର ମାଲିକ ବିନି ସାମଲ ଓ ନିହାର ସାମଲଙ୍କ ବିରୋଧରେ ମଧ୍ୟ କାଷ୍ଟି କାଉଚର ଅଭିଯୋଗ ଆଣିଛନ୍ତି ଏହି ଅଭିନେତ୍ରୀ । ଶର୍ମିଷ୍ଟା ସ୍ପଷ୍ଟ କରିଛନ୍ତି, ଯେ ଏହି ଅଭିଯୁକ୍ତମାନଙ୍କ କୌଣସି ଫିଲ୍ମ କିମ୍ବା ସିରିଆଲରେ ସେ କାମ କରିନାହାନ୍ତି । ଅଭିନେତ୍ରୀ ହେବା ପାଇଁ କଣ କଣ ସହିବାକୁ ପଡେ ତା’ ବି ଓଡିଶା ବାସୀଙ୍କ ଆଗରେ ସ୍ପଷ୍ଟ ହେବାରେ ଲାଗିଛି ।