ଆଜି ଆଲୋକର ପର୍ବ ଦୀପାବଳି । ପୁରୀରେ ପୟାଶ୍ରାଦ୍ଧ ପାଇଁ ଭକ୍ତଙ୍କ ଭିଡ । ବଡବଡୁଆ ଡାକରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ

ବୀରଗୋବିନ୍ଦପୁରରେ ଆରମ୍ଭ ହୋଇଛି ପ୍ରସିଦ୍ଧ କାଳୀପୂଜା

145

କନକ ବ୍ୟୁରୋ: ଆଜି ଦୀପାବଳି ଅମାବାସ୍ୟା । ଆଉ ଦୀପାବଳିରେ ପୁରୀରେ ପୟାଶ୍ରାଦ୍ଧ ଦେବାକୁ ଭକ୍ତଙ୍କ ଭିଡ ଲାଗିରହିଛି । ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ କରିବାର ବିଧି ରହିଛି । ଏହି ଅବସରରେ ବଡ ବଡୁଆଙ୍କୁ ଡକାଯାଉଛି । ପୁରୀରେ ମହାପ୍ରସାଦ ଖାଇ, ବାଇଶିପାହାଚରେ କାଉଁରିଆକାଠ ଜଳାଯାଇଥାଏ । ପିତୃପୁରୁଷଙ୍କୁ ସ୍ୱାର୍ଗଲୋକଙ୍କୁ ଫେରିବା ପାଇଁ ଆଲୋକ ଦେଖାଇବା ଏହାର ଉଦ୍ଦେଶ୍ୟ । ଏହା ଏକ ସାମୂହିକ ଶ୍ରାଦ୍ଧ ଉତ୍ସବ । ଏହି ଅବସରରେ ମାଟି ଉପରେ ମୁରୁଜରେ ଡଙ୍ଗାର ଛବି ଅଙ୍କାଯାଇ, ସୂତା, ସୋରିଷ ରଖାଯାଇ ପୂଜା କରାଯାଇଥାଏ । ପୂଜା ଶେଷ ହେବା ପରେ ଆକାଶ ଆଡକୁ ଦେଖାଇ କାଉଁରିଆ କାଠ ଜଳାଯାଇ ବଡବଡୁଆ ଡକାଯାଏ ।

ସେପଟେ ଆଜି ପୁରୀ ନିକଟସ୍ଥ ବୀରଗୋବିନ୍ଦପୁରରେ ପ୍ରସିଦ୍ଧ କାଳୀପୂଜା ଆରମ୍ଭ ହୋଇଛି ସକାଳୁ ସକାଳୁ ଏଥିପାଇଁ ଭକ୍ତଙ୍କ ଭିଡ ଲାଗିରହିଛି । ଦୀପାବଳିରେ ଏଠାରେ ମାଙ୍କ ପୂଜାର୍ଚ୍ଚନା କରାଯାଇଥାଏ ।

ଆଜି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଆନନ୍ଦ ଉଲ୍ଲାସର ସୁଅ ଛୁଟିବା ସହ ଦିପ ଜଳାଇ ବାଣ ଫୁଟାଇ ଲୋକେ ଦିପାବଳିର ଖୁସି ମନାଇଛନ୍ତି । ଦୀପାବଳିରେ ଘରେ ଘରେ ରଙ୍ଗୋଲି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏହା ସହ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ପ୍ରସ୍ତୁତ କରି ଖାଇବା ସହ ଲୋକେ ଦିପାବଳିର ଖୁସି ମନାଇଛନ୍ତି । ଘରେ ଘରେ ଏଥିପାଇଁ ପ୍ରସ୍ତତି ଚାଲିଛି । ପ୍ରତ୍ୟେକ ଘରେ ଜୀବନ ଓ ପ୍ରତ୍ୟେକ ମୁହଁରେ ହସ ପାଇଁ ଦୀପାବଳୀ ପାଳନ କରାଯାଏ ।

କୁହାଯାଏ, ୧୪ ବର୍ଷ ପରେ ରାମ, ରାବଣଙ୍କୁ ବଧ କରି ଦୀପାବଳୀରେ ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟାବାସୀ ଘୃତ-ଦୀପ ଜାଳି ରାମଙ୍କୁ ସ୍ୱାଗତ କରିଥିଲେ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ନାରକାସୁରକୁ ବଧ କଲା ପରେ ତା ପରଦିନ ବ୍ରଜବାସୀ ଦୀପ ଜାଳି ଉତ୍ସବ ପାଳନ କରିଥିଲେ । ସେହି ଦିନ ମଧ୍ୟ ଥିଲା ଦୀପାବଳୀ । ଦୀପାବଳୀ ପାଇଁ ଆଜି ପୁରୀରେ ପୟା ଶ୍ରାଦ୍ଧ ଦିଆଯାଉଛି । ଶହ ଶହ ଲୋକ କାଉଁରିଆ କାଠ ଜାଳି ଏକ ସ୍ୱରରେ ବଡବଡୁଆ ଡାକୁଛନ୍ତି । ବିନ୍ଦୁସାଗରରେ ମଧ୍ୟ ପିତୃପରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଭିଡ ହୋଇଛି ।