କିଭଳି ହୁଏ ରାଷ୍ଟ୍ରପତି ନିର୍ବାଚନ, ଆପଣ ଜାଣନ୍ତି କି?

82

୨୪ ଜୁଲାଇ ୨୦୧୭ରେ ସରୁଛି ବର୍ତ୍ତମାନର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ । ଯାହାକୁ ନେଇ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ହେଲେ ଦେଶର ପ୍ରଥମ ନାଗରିକ କିଭଳି ନିର୍ବାଚିତ ହୁଅନ୍ତି? ଜାଣନ୍ତୁ ପୁରା ପ୍ରକ୍ରିୟା ।

– ରାଷ୍ଟ୍ରପତି ନିର୍ବାଚନରେ ଜନସାଧାରଣଙ୍କର ସିଧାସଳଖ ସଂପର୍କ ନଥାଏ । ବରଂ ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଜନପ୍ରତିନିଧି ଏଥିରେ ଭୋଟ ଦେଇଥାନ୍ତି । ପ୍ରତି ଭୋଟର ମୁଲ୍ୟ ଅଲଗା ଅଲଗା ଥାଏ ।

– ଜାଣନ୍ତୁ କିଭଳି ପ୍ରତିନିଧି ମାନଙ୍କର ଭୋଟ ନିର୍ଦ୍ଧାରିତ ହୁଏ । ଲୋକସଭାର ମୋଟ୍ ୫୪୩ ଓ ରାଜ୍ୟସଭାର ୨୩୩ ସଦସ୍ୟ ଏପରି ମୋଟ୍ ୭୭୬ ସଦସ୍ୟ ଭୋଟ ଦିଅନ୍ତି ।

– ପ୍ରତି ସାଂସଦଙ୍କ ଭୋଟର ମୁଲ୍ୟ ଜାଣିବାକୁ, ସମସ୍ତ ବିଧାୟକଙ୍କ ଭୋଟର ମୋଟ ମୁଲ୍ୟ ୫ ଲକ୍ଷ ୪୯ ହଜାର ୪୭୪ରେ ଭାଗ କରାଯାଏ । ଅର୍ଥାତ୍ ପ୍ରତି ସାଂସଦଙ୍କ ଭୋଟର ମୁଲ୍ୟ ୭୦୮ ।

– ସମସ୍ତ ସାଂସଦଙ୍କର ଭୋଟ୍ ମୁଲ୍ୟର ମୋଟ ପରିମାଣ ୫ ଲକ୍ଷ ୪୯ ହଜାର ୪୦୮ ।

– ରାଷ୍ଟ୍ରପତି ନିର୍ବାଚନରେ ବିଧାୟକ ମାନେ ମଧ୍ୟ ଭୋଟ୍ କରନ୍ତି । ହେଲେ ବଡ କଥା ହେଉଛି, ପ୍ରତି ରାଜ୍ୟରେ ବିଧାୟକଙ୍କ ଭୋଟ୍ ମୂଲ୍ୟ ଅଲଗା ଅଲଗା ।

– ବିଧାୟକଙ୍କ ଭୋଟର ମୁଲ୍ୟ ୧୯୭୧ର ଜନଗଣନା ଆଧାରରେ ନିର୍ଦ୍ଧାରିତ ହୁଏ । ମୋଟ୍ ଜନସଂଖ୍ୟାକୁ ଉକ୍ତ ରାଜ୍ୟର ବିଧାୟକଙ୍କ ସଂଖ୍ୟା ଗୁଣନ ହଜାରରେ ବିଭକ୍ତ କରାଯାଏ । ଏହା ଦ୍ୱାରା ଯେଉଁ ସଂଖ୍ୟା ବାହାରେ, ତାହା ହେଉଛି ବିଧାୟକଙ୍କ ଭୋଟ୍ ମୁଲ୍ୟ ।

– ଉଦାହରଣ ସ୍ୱରୂପ, ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତରପ୍ରଦେଶ । ୧୯୭୧ ଜନଗଣନା ଆଧାରରେ ମୋଟ ଜନସଂଖ୍ୟା ୮ କୋଟି ୩୮ ଲକ୍ଷ ୪୯ ହଜାର ୯୦୫ । ଏହି ସଂଖ୍ୟାକୁ ବିଧାନସଭାର ଆସନ ୪୦୩ ଗୁଣନ ୧୦୦୦ରେ ବିଭକ୍ତ କରାଯିବ । ଏଥିରୁ ସଂଖ୍ୟା ବାହାରିବ ୨୦୮, ଅର୍ଥାତ ଉତ୍ତରପ୍ରଦେଶରେ ପ୍ରତି ବିଧାୟକଙ୍କ ଭୋଟ ମୁଲ୍ୟ ୨୦୮ ।

– ଏମିତି ଦେଖିବାକୁ ଗଲେ କେରଳରେ ବିଧାୟକଙ୍କ ମୁଲ୍ୟ ୧୫୨, ମହାରାଷ୍ଟ୍ରରେ ୧୭୫, ତାମିଲନାଡୁରେ ୧୭୬, ଓଡିଶାର ପ୍ରତି ବିଧାୟକଙ୍କ ଭୋଟ ମୁଲ୍ୟ ୧୪୯ ।

– ପୁରା ଦେଶରେ ମୋଟ ବିଧାୟକଙ୍କ ସଂଖ୍ୟା ୪୧୨୦ । ପୁରା ଭୋଟ୍ ର ମୁଲ୍ୟ ୫ ଲକ୍ଷ ୪୯ ହଜାର ୪୭୪ ।

– ସବୁ ସାଂସଦ ଓ ବିଧାୟକଙ୍କ ମୁଲ୍ୟ ମିଶାଇଲେ ମୋଟ୍ ଭୋଟ୍ ପରିମାଣ ୧୦ ଲକ୍ଷ ୯୭ ହଜାର ୯୯୮ ।

ଗଠବନ୍ଧନ ରାଜନୀତିର ସମୟରେ କାହା ପାଖରେ କେତେ ଭୋଟ ରହିଛି ନଜର ପକାନ୍ତୁ । ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ କାହାର କେତେ ଦମ ଅଛି ପରଖନ୍ତୁ ।

– ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ମୋଟ୍ ୫ ଲକ୍ଷ ୩୪ ହଜାର ୫୮ ଭୋଟ୍ ଅଛି । ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ଆବଶ୍ୟକ କରୁଛି ୧୪ ହଜାର ୯୪୨ ଭୋଟ୍ ।

– ସେହିଭଳି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପାଖରେ ଅଛି ୨ ଲକ୍ଷ ୫୪ ହଜାର ୬୫୧ ମୁଲ୍ୟର ଭୋଟ୍ । ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ଆବଶ୍ୟକ କରୁଛି ୨ ଲକ୍ଷ ୯୪ ହଜାର ୩୪୯ ଭୋଟ୍ ।

– ଅନ୍ୟଙ୍କ ପାଖରେ ୩ ଲକ୍ଷ ୯ ହଜାର ୨୮୯ ମୁଲ୍ୟର ଭୋଟ୍ ଥିବା ବେଳେ ଆବଶ୍ୟକ କରୁଛନ୍ତି ୨ ଲକ୍ଷ ୩୯ ହଜାର ୭୧୧ ଭୋଟ୍ ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲେ ଅନ୍ୟ ରାଜନୈତିକ ଦଳର ସାହାଯ୍ୟ ନେବା ନିହାତି ଆବଶ୍ୟକ । ନଜର ରହିବ, ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ କେଉଁ ଦଳ କେଉଁ ସମୀକରଣକୁ ସାମ୍ନାକୁ ଆଣିବେ ।