ଜେଲରେ ବିବାଦୀୟ ବାବା ରାମ ରହିମଙ୍କୁ ଭିଆଇପି ସୁବିଧା

32

କନକ ବ୍ୟୁରୋ: ଦୀର୍ଘ ୧୫ବର୍ଷ ତଳର ଦୁଷ୍କର୍ମ ମାମଲାରେ ବାବା ରାମରହିମଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଆଗାମୀ ୨୮ରେ କୋର୍ଟ ଦଣ୍ଡାଦେଶ କରିବେ । ବାବାଙ୍କୁ ହୋଇପାରେ ୭ରୁ ୧୦ ବର୍ଷ ଜେଲ ଦଣ୍ଡାଦେଶ । ତେବେ ଗତକାଲି ବିବାଦୀୟ ବାବାଙ୍କ ବିରୋଧରେ ଦଣ୍ଡ ଶୁଣାଇଥିବା ବିଚାରପତିଙ୍କୁ ସୁରକ୍ଷା ଯୋଗାଇବା ପାଇଁ ନିର୍ଦେଶ ଦିଆଯାଇଛି ।

ସେପଟେ ହରିଆଣା, ପଂଜାବ ଓ ଦିଲ୍ଲୀରେ ଉତ୍ତେଜନାକୁ ଦେଖି ଆଜି ଜରୁରିକାଳୀନ ବୈଠକ ଡାକିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ଆଜି ୧୧ଟାରେ ଏହି ବୈଠକ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଥିତିର ସୂଚନା ଦିଆଯାଇଛି । ଏପଟେ ବ୍ୟାପକ ହିଂସାକାଣ୍ଡକୁ ଦେଖି ବାବା ରାମରହିମଙ୍କୁ ହେଲିକପ୍ଟର ଯୋଗେ ରୋହତକରେ ଥିବା ପୋଲିସ ଟ୍ରେନିଂ ସେଂଟରରେ ଏକ ଅସ୍ଥାୟୀ ଜେଲରେ ରଖାଯାଇଛି ।

ମିଡିଆ ରିପୋର୍ଟ ଅନୁସାରେ, ରେପିଷ୍ଟ ବାବାଙ୍କୁ ଜେଲରେ ଅନେକ ସୁବିଧା ଦିଆଯାଇଛି । ରାମ ରହିମଙ୍କୁ ଜେଲରେ ମିନେରାଲ ପାଣି ଓ ଜଣେ ହେଲପର ଦିଆଯାଇଛି । ଶୀତତାପ ନିୟନ୍ତ୍ରିତ ଘରେ ତାଙ୍କ ପ୍ରଥମ ରାତି କଟିଛି । ଏହାଛଡା ରାମ ରହିମଙ୍କୁ ଜେଲର ପୋଷାକ ବଦଳରେ ନିଜ ନେଇଥିବା ପୋଷାକକୁ ପିନ୍ଧିବାକୁ ଅନୁମତି ମିଳିଛି । ଜେଲର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଗତକାଲି ଏକ ଦୁଷ୍କର୍ମ ମାମଲାରେ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା , ଦଣ୍ଡବିଧାନ ଆସନ୍ତା ୨୮ ତାରିଖରେ ହେବ । ଏଠାରେ ବଡ ପ୍ରଶ୍ନ ଉଠୁଛି, ଜଣେ ରେପିଷ୍ଟକୁ ଜେଲରେ ଭିଆଇପି ସୁବିଧା ଦିଆଯାଇଛି କାହିଁକି ?

ଅନ୍ୟପଟେ, ପଂଚକୁଲା ସିବିଆଇ କୋର୍ଟରେ ବିବାଦୀୟ ବାବା ରାମ୍ ରହିମ ଦୋଷୀ ସାବ୍ୟସ୍ଥ ହେବା ପରେ ଜଳୁଛି ହରିୟାଣା ଓ ପଂଜାବ । ରାୟ ପ୍ରକାଶ ପାଇବା ପରେ ଡେରା ସମର୍ଥକଙ୍କ କରିଛନ୍ତି ହିଂସାକାଣ୍ଡ । ଏଥିରେ ୩୦ରୁ ଅଧିକ ଲୋକଙ୍କ ମୁତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି ।

ତେବେ ହରିୟାଣା ସ୍ଥିତି ନେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନିଜେ ନଜର ରଖିଛନ୍ତି । ରାଜ୍ୟର ମନୋହର ଲାଲ ଖଟ୍ଟର ସରକାରଙ୍କ ଉପରେ କେନ୍ଦ୍ର ଅସନ୍ତୁଷ୍ଟ ଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେବାକୁ ଚାରିଆଡୁ ଚାପ ପଡୁଛି । ସବୁଠାରୁ ବଡ କଥା ହେଲା, ରାମ ରହିମଙ୍କ ସମର୍ଥକଙ୍କ ଉପଦ୍ରବକୁ ସରକାର ରୋକିପାରିନାହାନ୍ତି । ଫଳରେ ହରିଆଣାରେ ଏଭଳି ସ୍ଥିତି ଦେଖାଦେଇଛି । ରାୟ ଆସିବା ପୂର୍ବରୁ ସବୁ ପ୍ରକାରର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । କିନ୍ତୁ ପ୍ରସ୍ତୁତି ସେଭଳି ହୋଇନଥିଲା ।

ପ୍ରଶ୍ନ ହେଉଛି, ରାୟ ପୂର୍ବରୁ ପଂଚକୁଲାରେ ୧୪୪ ଧାରା ଜାରି କରାଯାଇଥିଲା । କିନ୍ତୁ ଏତେ ସଂଖ୍ୟକ ସମର୍ଥକ ଜମା ହେଲେ କିଭଳି । ହରିୟାଣାରେ ପ୍ରଥମ ଥର ଲାଗି ଏଭଳି ଘଟଣା ଘଟିନାହିଁ । ପୂର୍ବରୁ ବାବା ରାମପାଳଙ୍କ ସମର୍ଥକ ବି ଏଭଳି ଉପଦ୍ରବ କରିଥିଲେ । ଜାଟ୍ ଆନ୍ଦୋଳନ ସମୟରେ ବି ଏଭଳି ହିଂସା ହୋଇଥିଲା ତା’ସତ୍ୱେ ସରକାର କିଛି ଶିଖିଲେ ନାହିଁ । ଗତକାଲି ରାମ ରହିମ ନିଜ ଆଶ୍ରମରୁ ଶକ୍ତି ପ୍ରଦର୍ଶନ କରି ପଂଚକୁଲା କୋର୍ଟକୁ ବାହାରିଥିଲେ । ଏଥିରେ ପ୍ରାୟ ୮୦୦ ଗାଡି ସାମିଲ ହୋଇଥିଲା । ଜଣେ ଅଭିଯୁକ୍ତର ଏଭଳି କୋର୍ଟକୁ ଆସିବା ରାଜ୍ୟର ସରକାର ଓ ପ୍ରଶାସନର କୋହଳ ମନୋଭାବକୁ ପ୍ରଦର୍ଶନ କରୁଛି ।