ନୂଆଁଖାଇ ଜୁହାର! ମା’ ସମଲେଶ୍ୱରୀଙ୍କ ପାଖରେ ଲାଗିହେଲା ନବାନ୍ନ, ପଶ୍ଚିମ ଓଡ଼ିଶାବାସୀଙ୍କୁ ଟ୍ୱିଟ୍ କରି ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

94

କନକ ବ୍ୟୁରୋ : ଆଜି ପଶ୍ଚିମ ଓଡିଶାର କୃଷିଭିତକ ପର୍ବ ନୂଆଁଖାଇ । ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ପୂରା ପଶ୍ଚିମ ଓଡ଼ିଶା । ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ । ନୂଆ ବସ୍ତ୍ର ପରିଧାନ କରି ମା ନୂଆଁ ଖାଇଛନ୍ତି । ନୂଆ ଧାନରୁ ପ୍ରସ୍ତୁତ ହୋଇଥିବା ନବାନ୍ନ ସକାଳ ୯ଟା ୦୫ରେ ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହୋଇଛି । ଏହାପରେ ଘରେ ଘରେ ସମସ୍ତେ ନୂଆଁ ଖାଇଛନ୍ତି । ଏହାପରେ ଆରମ୍ଭ ହୋଇଯାଇଛି ନୂଆଁଖାଇ ଜୁହାର ପରମ୍ପରା ।

ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ପର୍ବ ନୂଆଁଖାଇ ପାଳିବା ପାଇଁ ଦୂରଦୂରାନ୍ତରରେ ଥିବା ଲୋକମାନେ ଘରକୁ ଫେରିଛନ୍ତି । ବର୍ଷଟିଏର ପର୍ବ ପାଳନ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଥାଏ । ପଶ୍ଚିମଓଡିଶାର ନିଆରା ପର୍ବ ନୂଆଁଖାଇରେ ନୂଆଁଖାଇବାର ପରମ୍ପରା ରହିଛି ।

ହେଲେ ସୁନ୍ଦରଗଡର ଓରାମ ଆଦିବାସୀ ସଂପ୍ରଦାୟ ଟିକେ ଭିନ୍ନ ଢଙ୍ଗରେ ନୂଆଁଖାଇ ପାଳନ କରିଥାନ୍ତି । ଏହି ସଂପ୍ରଦାୟର ଲୋକ କୁରେଇ ପତ୍ର ଏବଂ ପୂଜା ସାମଗ୍ରୀରେ ନିଜ ପିତୃ ପୁରୁଷଙ୍କୁ ନୂଆ ଧାନ ଓ ପିଠାପଣା ଲାଗି କରିବା ପରେ ହାଣ୍ଡିଆ ଲାଗିକରିଥାନ୍ତି । ଏହି ସଂପ୍ରଦାୟର ନିୟମ ଅନୁଯାୟୀ, ପିତୃ ପୁରୁଷଙ୍କୁ ହାଣ୍ଡିଆ ଲାଗି କଲେ ସାତ ଜନ୍ମର ପାପରୁ ମୁକ୍ତି ମିଳିଥାଏ । ପରେ ଘରର ମୂରବି ସମସ୍ତଙ୍କୁ ଏହି ନାବାନ୍ନ ଚାଉଳ ଓ ପିଠାପଣ ପ୍ରଦାନ କରିବା ପରେ ସମସ୍ତେ ଏକାଠି ବସି ଏହାକୁ ଖାଇଥାନ୍ତି ।

ଗଣପର୍ବ ନୂଆଁଖାଇକୁ ନେଇ ବଲାଙ୍ଗୀରରେ ମଧ୍ୟ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବେଶ୍ ଧୁମଧାମରେ ନୂଆଁଖାଇ ପର୍ବ ପାଳନ କରିଛନ୍ତି ବଲାଙ୍ଗୀର ବାସୀ। ଘରେ ଘରେ  ଜମିଛି ପିଠାପଣାର ଆସର । ସକାଳୁ ଇଷ୍ଟ ଦେବୀ ମା ସମଲେଶ୍ୱରୀଙ୍କ ପାଖରେ ୯ଟା ୫ ମିନିଟ ସମୟରେ ନବାନ୍ନ ଲାଗି ହେବା ପରେ ନୂଆ ଖାଇଛନ୍ତି ସମସ୍ତେ । ଏହାପରେ ଆରମ୍ଭ ହୋଇଯାଇଛି ନୂଆଁଖାଇ ଜୁହାର ପରମ୍ପରା ।

ଗଣପର୍ବ ନୂଆଁଖାଇକୁ ନେଇ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ଥିବା ବେଳେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁରୀ ଭାଷାରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ନବୀନ । ନୂଆ ଧାନ ସାଙ୍ଗରେ ନୂଆ ଆଶା, ଉତ୍ସାହ ଓ ଭାଇଚାରା ସହ ନୂଆଁଖାଇ ପାଳନ କରିବାକୁ ମୁଖ୍ୟଣନ୍ତ୍ରୀ ଜଣାଇଛନ୍ତି ।

ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ପର୍ବ ନୂଆଁଖାଇ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୂଆଁଖାଇ ପର୍ବ ଅବସରରେ ପ୍ରତ୍ୟେକ ଲୋକଙ୍କ ସୁଖ ଓ ସମୃଦ୍ଧି କାମନା କରିବା ସହ ନୂଆଁଖାଇ ଜୁହାର ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ନୂଆଁଖାଇ ଉପଲକ୍ଷେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପଶ୍ଚିମ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୂଆଁଖାଇ ଅବସରରେ ମା’ ସମଲେଶ୍ୱରୀଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତ,ି ସମୃଦ୍ଧି କାମନା କରିବା କରିବା ସହ ନୂଆଁଖାଇ ଜୁହାର ଜଣାଇଛନ୍ତି । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ନୂଆଖାଇଁ ପର୍ବ ଉପଲକ୍ଷେ ଓଡ଼ିଶାର ସମସ୍ତ ଭାଇ ଭଇଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।