ଓଡିଶା ଉପକୂଳ ମୁହାଁ ଲଘୁଚାପ ! ଦୁର୍ବଳ ହୋଇ ହେଲା ଅବପାତ, ପ୍ରବଳ ବର୍ଷା ସମ୍ଭାବନା

30

କନକ ବ୍ୟୁରୋ: ଓଡିଶା ଉପକୂଳ ମୁହାଁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଗୋପାଳପୁରଠାରୁ ୧୯୦ କିଲୋମିଟର ଦୂରରେ ରହିଛି ଳଘୁଚାପ । ଏହା ଦୁର୍ବଳ ହୋଇ ଅବପାତର ରୁପ ନେଇଛି ବୋଲି ଆଇଏମଡି ସୂଚନା ଦେଇଛି । ଘଂଟାପ୍ରତି ୨୦କିଲୋମିଟର ବେଗରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଆଉ ଏହା ପ୍ରଭାବରେ ଶୁକ୍ରବାର ରାତିରୁୁ ଆରମ୍ଭ ହୋଇ ଯାଇଛି ବର୍ଷା । ଏହାର ପ୍ରଭାବରେ ଶୁକ୍ରବାରଠାରୁ ରାଜ୍ୟରେ ବର୍ଷା ଲାଗି ରହିଛି ।

ଆଜି ବି ବର୍ଷାର ପରିମାଣ ବଢ଼ିବ ବୋଲି ପୂର୍ବନୁମାନ କରିଛି ଆଇଏମଡି । ବିଶେଷକରି ଉପକୂଳ ଜିଲ୍ଲାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ପୁରୀ ଖୋର୍ଦ୍ଧାରେ କମ୍ରୁ ମଧ୍ୟମ ଧରଣର ବର୍ଷା ସଂଭାବନା ରହିଛି । ସେହିପରି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି ରାୟଗଡ଼ା ଜିଲ୍ଲାରେ ବର୍ଷା ସଂଭାବନା ରହିଛି । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସଂଭାବନା ରହିଛି । ୧୧ ତାରିଖ ଯାଏ ଓଡିଶାରେ ବର୍ଷାର ସମ୍ଭାବନା ରହିଛି । ତେବେ ୧୨ ତାରିଖ ପରେ ବର୍ଷା କମିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ସୂଚନାନୁସାରେ ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଅନେକ ସ୍ଥାନରେ ବର୍ଷିବ । ଏହି ସମୟ ମଧ୍ୟରେ ଗଜପତି, ଗଞ୍ଜାମ, ଖୋର୍ଧା, ଢେଙ୍କାନାଳ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର ଆଦି ଜିଲ୍ଲା ମଧ୍ୟରୁ କିଛି ସ୍ଥାନରେ ପ୍ରବଳ ବର୍ଷା ବା ଲଗାଣ ବର୍ଷା ହୋଇପାରେ। ଅବପାତ ଘନୀଭୂତ ହେବା ଯୋଗୁଁ ଉପକୂଳରେ ଘଣ୍ଟାକୁ ୪୫ରୁ ୫୫ କି.ମି. ବେଗରେ ପବନ ବହୁଛି । ଏହାର ବେଗ ସର୍ବାଧିକ ୬୫ କି.ମି. ରହିଛି । ଫଳରେ ସମୁଦ୍ର ଅଶାନ୍ତ ହୋଇରହିଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଜାରି ହୋଇଛି। ଆଗାମୀ ୧୨ରୁ ୨୪ ଘଣ୍ଟା ମଧ୍ୟରେ ଅବପାତଟି ଉପକୂଳ ଛୁଇଁବା ପରେ ପୁନର୍ବାର ସମୁଦ୍ରରେ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବାର ସମ୍ଭାବନା ରହିଥିଲା । ଯଦିଓ ବର୍ଷା ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ହେବ, ଅଳ୍ପ କିଛି ସ୍ଥାନରେ ୧୨/୧୩ ତାରିଖ ପର୍ଯ୍ୟନ୍ତ ହୋଇପାରେ ।

ଗତକାଲି ବର୍ଷା ପାଗ ଯୋଗୁଁ ଦିନରେ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା। ଆକାଶ ମେଘୁଆ ଥିବା ଯୋଗୁଁ ଅନେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଅନ୍ୟପକ୍ଷରେ ସର୍ବନିମ୍ନ ତାପମାତ୍ରା(ରାତି) କେତେକାଂଶ ବୃଦ୍ଧି ପାଇଛି। ଉପକୂଳ ବାଲେଶ୍ୱରଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ୟ୍ୟନ୍ତ ସବୁଆଡ଼େ ସର୍ବୋଚ୍ଚ ତାପମାତ୍ରା ୨୦ରୁ ୨୪ଡିଗ୍ରୀ ମଧ୍ୟରେ ରହିଛି । ଗତକାଲି କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୧.୩ ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ୧୧.୫ ଡିଗ୍ରୀ, ଫୁଲବାଣୀରେ ୧୨ ଡିଗ୍ରୀ, ଭୁବନେଶ୍ୱରରେ ୧୯.୨ ଡିଗ୍ରୀ ରେକର୍ଡ କରାଯାଇଛି ।