ଆଜି ବି ସକାଳୁ ସକାଳୁ ରାସ୍ତା ଉପରେ ଘନ କୁହୁଡିର କବଜା । ସାରା ରାଜ୍ୟରେ ‘ୟେଲୋ’ ଆଲର୍ଟ ଜାରି । ସେପଟେ, ରାଜନଗରରେ ରାସ୍ତା ତଳକୁ ଖସିଲା ବସ୍

624

କନକ ବ୍ୟୁରୋ: କୁହୁଡି ଯୋଗୁଁ ଆଜି ପୁଣି କେନ୍ଦ୍ରାପଡାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗସ୍ତ ହୋଇଛି । ରାଜନଗର ଗୋପାଳପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି ବସ୍ । କଟକ ଅଭିମୁଖେ ଯାଉଥିବା ଦ୍ୱିବେଦୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ବସଟି ସମ୍ପୂର୍ଣ୍ଣ ରାସ୍ତାକୁ ନଖସି ଝୁଲିବା ଅବସ୍ଥାରେ ରହିଛି । ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଦୁଇ ଦିନ ତଳେ ଏହି ଜିଲ୍ଲାର ଚାନ୍ଦଳ ବଜାର କାକତିଆ ଛକ ନିକଟରେ ଟ୍ରକ ବୋଲେରୋ ଦୁର୍ଘଟଣା ଗସ୍ତ ହୋଇ ୫ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରବଳ କୁହୁଡି ଯୋଗୁଁ ରାସ୍ତା ଦେଖା ନଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

କୁହୁଡି ବଲୟରେ ଟୁଇନ ସିଟି

ଆଜି ବି ଟୁଇନ ସିଟି କଟକ ଭୁବନେଶ୍ୱରରେ ପ୍ରବଳ କୁହୁଡି ହୋଇଛି । କୁହୁଡି ଯୋଗୁଁ ଶହେ ମିଟର ଦୂରରୁ କିଛି ଦେଖାଯାଉ ନାହିଁ । ବର୍ଷା ଭଳି କୁହୁଡି ପଡୁଛି । ରାସ୍ତାରେ ଲୋକମାନେ ଲାଇଟ୍ ଲଗାଇ ଗାଡି ଚଳାଉଥିବା ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ଯାତାୟତ ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି । ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ଠିକ୍ ସମୟରେ ପହଁଚିବା ଏକ ପ୍ରକାର ମୁସକିଲ୍ ହୋଇପଡିଛି । ସକାଳ ୧୦ଟା ଯାଏ ପ୍ରାୟ ଏହି ଭଳି ଅବସ୍ଥା ଲାଗି ରହୁଛି । ସେହିପରି ରାତି ବଢ଼ିବା ସହ କୁହୁଡି ମଧ୍ୟ ବଢ଼ୁଛି ।

ସାରା ରାଜ୍ୟରେ ୟେଲୋ ଆଲର୍ଟ ଜାରି

ଘନ କୁହୁଡିର କବଳରେ ଓଡିଶା । ଭୋରରୁ କୁହୁଡିର କବଜା ଯୋଗୁଁ ବାଟଘାଟ କିଛି ଦେଖା ଯାଉ ନାହିଁ । ତେବେ ଆସନ୍ତା ୨୫ ତାରିଖ ଯାଏଁ କୁହୁଡିରୁ ନିସ୍ତାର ନାହିଁ । ପାଣିପାଗ କେନ୍ଦ୍ରପକ୍ଷରୁ ଏହି ସୂଚନା ଦିଆଯାଇଛି । ଘନ କୁହୁଡି ଲାଗି ରହିଥିବାରୁ ପରିସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ ସରକାରଙ୍କୁ ଭାରତୀୟ ପାଣି ପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ବିଭାଗ ପକ୍ଷରୁ ଓଡିଶା ପାଇଁ ୨୩ ଓ ୨୪ ତାରିଖ ପାଇଁ ୟଲୋ ଅଲର୍ଟ ଜାରି କରାଯାଇଛି । ଆସନ୍ତା ୨୪ ଓ ୨୫ ତାରିଖରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ମଧ୍ୟମ ଧରଣର ଘନ କୁହୁଡି ରହିବ । ସେହିପିର ୨୫ରୁ ୨୮ ତାରିଖରେ ଆଭ୍ୟନ୍ତରୀଣ ଜିଲ୍ଲା ଓ ଉପକୂଳ ଅଂଚଳରେ ୨୮ ତାରିଖରେ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।