କାକଟପୁର ବାଜପୁର ଗାଁରେ କାୟା ବିସ୍ତାର କରୁଛି ଡେଙ୍ଗୁ : ୧୧ ଆକ୍ରାନ୍ତ, ଜଣେ ଗୁରୁତର

49

କନକ ବ୍ୟୁରୋ : ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବାଜପୁରରେ ଡେଙ୍ଗୁ ଆତଙ୍କ । ୩୦ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ ଡେଙ୍ଗୁ ଆକ୍ରାନ୍ତ ଥିବା ଜଣାପଡିଛି । ଆକ୍ରାନ୍ତମାନଙ୍କୁ ଭୁବନେଶ୍ୱର ଓ କଟକ ବଡ ମେଡିକାଲକୁ ପଠାଯାଇଛି । ଏହା ସହ ବୈକୁଣ୍ଠନାଥ ଚାନ୍ଦ ନାମକ ଜଣେ ଡେଙ୍ଗୁ ଆକ୍ରାନ୍ତ ଗୁରୁତର ଅବସ୍ଥାରେ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏ ସଂପର୍କରେ ଖବର ପାଇ ବାଙ୍ଗୁରି ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଟିମ୍ ବାଜପୁର ଗାଁରେ ପହଂଚି ଔଷଧ ବଂଟନ କରିଛନ୍ତି । ଏହା ସହ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି ଓ ଆଶାକର୍ମୀ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସଂପର୍କରେ ସଚେତନ କରାଉଛନ୍ତି । ଗାଁର ଅଳିଆ ଆବର୍ଜନା ସ୍ଥାନରେ ବ୍ଲିଚିଂ ପାଉଡର ପକାଯାଉଛି । ଏହା ସହ ଗାଁ କଲ୍ୟାଣ ସମିତି ଅର୍ଥ ମଧ୍ୟ ବାଟମାରଣା ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

dengu fear in andhra-odisha border

ସେପଟେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ କାୟା ବିସ୍ତାର କରୁଛି ଡେଙ୍ଗୁ । ଗତ ୧୫ ଦିନ ମଧ୍ୟରେ ରାଜନଗର ଗାଁର ଦୁଇଟି ୱାର୍ଡରେ ୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ଜଣ ଏବେ ଚିକିତ୍ସିତ ହେଉଛନ୍ତି । ରାଜନଗର ଗାଁର ୩ ନମ୍ବର ଓ ୬ ନମ୍ବର ୱାର୍ଡରେ ଡେଙ୍ଗୁ ଏବେ ଆତଙ୍କ ସୃଷ୍ଟି କରିଛି । ମାତ୍ର ୨ ଶହ ମିଟର ଭିତରେ ୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତିକୃଷ୍ଣ ମିଶ୍ର କଟକ ବଡ ମେଡିକାଲର ଆଇସିୟୁରେ ଚିକିତ୍ସିତ ହୋଇ ଗତକାଲି ରାତିରେ ଘରକୁ ଫେରିଥିବା ବେଳେ ଅଭୟ ମିଶ୍ର କିମ୍ସ ରେ ଚିକିତ୍ସିତ ହୋଇ ଗତକାଲି ଘରକୁ ଫେରିଛନ୍ତି ।

dengue death

ରତ୍ନାକର ସାହୁଙ୍କ ସ୍ତ୍ରୀ କନକଲତା କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଚିକିତ୍ସିତ ହୋଇ ଫେରିଛନ୍ତି । ୬୦ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ମହାରଣା ଡେଙ୍ଗୁରେ ଆକ୍ରାନ୍ତ ହୋଇ କଟକ ବଡମେଡିକାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ୬୫ ବର୍ଷୀୟ ଉମାକାନ୍ତ ବିଶ୍ୱାଳ କିମ୍ସରେ ଚିକିତ୍ସିତ ହେଉଛନ୍ତି । ମାତ୍ର ରାଜନଗର ସ୍ୱାସ୍ଥ୍ୟବିଭାଗ ପାଖରେ ଏ ନେଇ କୌଣସି ଖବର ନାହିଁ । ଏହି ପଡାରେ ଥିବା ନଳକୂପ ନିକଟରେ ଘାସ ବଣ ହୋଇଥିବା ବେଳେ ପାଣି ଯାଉଥିବା ନାଳ ଅପରିଷ୍କାର ହୋଇପଡିଛି । ସବୁଠୁ ବଡକଥା ହେଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର ୫ ଶହ ମିଟର ଦୂରରେ ୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସ୍ୱସ୍ଥ୍ୟବିଭାଗ ଅଧିକାରୀଙ୍କ ନିକଟରେ ଏ ସଂପର୍କିତ କୌଣସି ଖବର ନାହିଁ ।