ପ୍ରତାପଙ୍କ ଫିଲ୍ମ ଷ୍ଟାଇଲ ! ଡ୍ୟାନ୍ସ କରି ଲୋକଙ୍କୁ ଦେଖାଉଛନ୍ତି ଟ୍ରାଫିକ ସିଗନାଲ ।

40

କିଛି ଦିନ ତଳେ ହୋମ ଗାର୍ଡ଼ରୁ ଟ୍ରାଫିକ ପୁଲିସ ସାଜିଥିବା ପ୍ରତାପ ଚନ୍ଦ୍ରଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଟ୍ରାଫିକ ନିୟନ୍ତ୍ରଣ କରିବାର ଶୈଳୀ ତାଙ୍କୁ ଆଜି ଚର୍ଚ୍ଚାର ପରିସରକୁ ଆଣିଛି । ପ୍ରତାପ ନିଜ ଡ୍ୟୁଟି କରିବା ସହ ନିଜ ନୃତ୍ୟ ଦ୍ୱାରା ପଥଚାରୀମାନଙ୍କର ମନୋରଞ୍ଜନ ମଧ୍ୟ କରୁଥିବା ଦେଖା ଯାଇଛି । ନୃତ୍ୟ ପ୍ରତି ଥିବା ତାଙ୍କର ଗଭୀର ଇଚ୍ଛାକୁ ସେ ନିଜ କାର‌୍ୟରେ ଲଗାଇବା ସହ ପଥଚାରୀମାନଙ୍କର ଧ୍ୟାନ ନିଜ ଆଡ଼କୁ ଆକର୍ଷଣ କରିଥାନ୍ତି । ଯାହାଦ୍ୱାରା ଲୋକମାନଙ୍କ ଧ୍ୟାନ ତାଙ୍କ ଉପରେ ରହିବା ସହ ଲୋକମାନେ ତାଙ୍କ ନିର୍ଦ୍ଦେଶକୁ ପାଳନ କରି ପାରିବେ ।

ଟ୍ରାଫିକ୍ ନିୟମକୁ ସେ ନିଜ ନୃତ୍ୟ ଦ୍ୱାରା ଲୋକମାନଙ୍କ ପାଖରେ ପହଞ୍ଚାଉଥିବା ବେଳେ ନୃତ୍ୟ ପ୍ରତି ତାଙ୍କର ଥିବା ଇଚ୍ଛା ତାଙ୍କ କାମକୁ ଅତି ସହଜ କରି ପାରିଛି ବୋଲି ପ୍ରତାପ କହିଛନ୍ତି । ସାଧାରଣତଃ ଲୋକମାନେ ଟ୍ରାଫିକ୍ ନିୟମକୁ ମାନନ୍ତି ନାହିଁ । କିନ୍ତୁ ମୋ ନୃତ୍ୟ ଶୈଳୀକୁ ଦେଖି ସେମାନେ ମୋ ଆଡ଼କୁ ଆକର୍ଷିତ ହେବା ସହ ଟ୍ରାଫିକ୍ ନିୟମ ମାନନ୍ତି ବୋଲି କହିଛନ୍ତି ପ୍ରତାପ । ଏହା ପୂର୍ବରୁ ମଧ୍ୟପ୍ରଦେଶର ଟ୍ରାଫିକ୍ ପୁଲିସ ରଣଜିତ୍ ସିଂହଙ୍କ ମାଇକେଲ ଜାକ୍ସନ୍ ଷ୍ଟାଇଲକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମାଇକେଲ ଜାକ୍ସନଙ୍କ ମୁନ୍ ଓ୍ଵାକ୍ ଷ୍ଟାଇଲ ଦ୍ୱାରା ସେ ଟ୍ରାଫିକକୁ ନିୟନ୍ତ୍ରଣ କରୁଥିବା ବେଳେ ତାଙ୍କର ଏହି ଭିନ୍ନ ଶୈଳୀ ପାଇଁ ସେ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇ ପାରିଥିଲେ ।

ପ୍ରତାପଙ୍କ ଘର କେନ୍ଦ୍ରପଡା ଜିଲ୍ଲାର ପାଟକୁରାରେ, ଏବେ ରହୁଛନ୍ତି ଭୁବନେଶ୍ୱରରେ । ୯ବର୍ଷ ହେଲା ହୋମଗାର୍ଡରେ ଚାକିରି କରିଆସୁଛନ୍ତି ପ୍ରତାପ । ତାଙ୍କର ନିଷ୍ଠା ଯୋଗୁଁ ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ ବି ଉପର ଅଫିସରଙ୍କ ରୋଷର ଶିକାର ହୋଇଥିବା କ୍ଷୋଭର ସହ କୁହନ୍ତି ପ୍ରତାପ ।