ସୁଧହାର ଅପରିବର୍ତ୍ତିତ ! ବିମୁଦ୍ରାକରଣ ପରେ ପ୍ରଥମ ଥର ପାଇଁ ହେଲା ମୁଦ୍ରାନୀତିର ସମୀକ୍ଷା

29

କନକ ବ୍ୟୁରୋ : ଅନେକ ବିଶେଷଜ୍ଞଙ୍କ ଆକଳନକୁ ଭୁଲ୍ ପ୍ରମାଣିତ କରିଛି ଆରବିଆଇ । ସୁଧ ହାରରେ କୌଣସି ପରିବର୍ତ୍ତନ ଆଣିନାହିଁ ଆରବିଆଇ । ବିମୁଦ୍ରାକରଣ ପରେ ଉପୁଜିଥିବା ଆର୍ଥିକ ସ୍ଥିତି ପରିପ୍ରେକ୍ଷୀରେ ସମସ୍ତଙ୍କର ନଜର ରହିଥିଲା ଆରବିଆଇ ଉପରେ । ରେପୋ ରେଟ୍ ଅର୍ଥାତ୍ ରିଜର୍ଭ ବ୍ୟାଙ୍କ୍ ବ୍ୟାଙ୍କ୍ ଗୁଡ଼ିକୁ ଦେଉଥିବା ସୁଧ ହାର ୬.୨୫ ପ୍ରତିଶତରେ କୌଣସି ପରିବର୍ତ୍ତନ ଆଣିନାହାନ୍ତି ।

ସୁଧହାର ୦.୨୫ ପ୍ରତିଶତ କମିପାରେ ବୋଲି ଅନେକ ପୂର୍ବାନୁମାନ କରିଥିବା ବେଳେ ସୁଧ ହାର ଅପରିବର୍ତ୍ତିତ ରହିଛି । ତେବେ ଆର୍ଥିକ ବର୍ଷର ଶେଷ ତ୍ରୟମାସିକରେ ମୁଦ୍ରାସ୍ଫୀତିକୁ ୫ ପ୍ରତିଶତ ଭିତରେ ସୀମିତ ରଖିବାକୁ ଆରବିଆଇ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।

ଅନ୍ୟପଟରେ ଆରବିଆଇର ୬ଜଣିଆ ମନିଟାରୀ ପଲିସି ଜିଡିପି ଅଭିବୃଦ୍ଧି ହାର ନେଇ ପୂର୍ବରୁ କରିଥିବା ଆକଳନକୁ କମାଇବାକୁ ବାଧ୍ୟ ହୋଇଛି । ଭାରତର ଜିଡିପି ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିବ ବୋଲି ପୂର୍ବରୁ କହିଥିବାବେଳେ ଏବେ ତାହାକୁ ୭.୧ ପ୍ରତିଶତକୁ କମାଇ ଦେଇଛି ।

ବିମୁଦ୍ରାକରଣ ନିଷ୍ପତି ତରବରରେ ନିଆଯାଇନାହିଁ ବୋଲି ଆରବିଆଇ କହିଛି । ବିମୁଦ୍ରାକରଣ ଯୋଗୁଁ ରିଟେଲ, ହୋଟେଲ ଓ ପରିବହନ କ୍ଷେତ୍ରରେ ସାମୟିକ ପ୍ରଭାବ ପଡ଼ିଥିଲେ ସୁଦ୍ଧା ତାହା ଦୀର୍ଘସ୍ଥାୟୀ ହେବ ନାହିଁ ବୋଲି ଆରବିଆଇ କହିଛି ।