ଡେଲାଙ୍ଗ ଚନ୍ଦ୍ରକୋଟ ହତ୍ୟାକାଣ୍ଡର ପର୍ଦ୍ଦାଫାସ ! ଟଙ୍କା ଲୋଭରେ, ସାଙ୍ଗର ମାଆକୁ ହତ୍ୟା କରିଥିଲେ ୪ ସାଙ୍ଗ ।

342

କନକ ବ୍ୟୁରୋ : ଖୋଲିଲା ଗୁମର । ପୁରୀ ଜିଲ୍ଲା ଡେଲାଙ୍ଗ ଚନ୍ଦ୍ରକୋଟ ଗାଁରେ ୧୧ ମାସ ତଳେ ହୋଇଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି ।  ଟଙ୍କା ଲୋଭରେ ସାଙ୍ଗର ମାଆଙ୍କୁ ହତ୍ୟା କରିଥିଲେ ୪ ସାଙ୍ଗ ।  ଆଉ ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ସାଂଘାତିକ ସତର ପର୍ଦ୍ଦାଫାଶ୍ କରିଛି ପୁଲିସ୍  ।

ଟଙ୍କା ପାଇଁ ବନ୍ଧୁ ମାଆଙ୍କୁ ହତ୍ୟା କଲେ ୪ ସାଙ୍ଗ । ଖୋଲିଲା ୧୧ ମାସ ତଳ ଚନ୍ଦ୍ରକୋଟ୍ ଗାଁ ହତ୍ୟାର ଗୁମର । ସାଙ୍ଗ ହୋଇ ଧୋକା ଦେବାର ଅନେକ କାହାଣୀ ଶୁଣିଥିବେ, କିନ୍ତୁ ଶୁଣିନଥିବେ ଟଙ୍କା ପାଇଁ ସାଙ୍ଗ ମାଆଙ୍କୁ ହତ୍ୟା କରି, ସନ୍ଦେହ ଏଡ଼ାଇବାକୁ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମସଂସ୍କାର କରିବା । ଏପରିକି ସହାନୂଭୂତି ପାଇଁ ସାଙ୍ଗ ସହ ୧୫ ଦିନ ରହିବା ପରେ ଅଭିଯୋଗ କରିବାକୁ ପୋଲିସ ପାଖକୁ ମଧ୍ୟ ଯାଇଥିଲେ । ପୋଲିସ  ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି ।

୨୦୧୭ ଡିସେମ୍ବର ୩୦ ତାରିଖ । ସ୍ଥାନ, ଡେଲାଙ୍ଗର ଚନ୍ଦ୍ରକୋଟ୍ ଗାଁ । ଗାଁର ପୁଷ୍ପଲତା ଦାଶଙ୍କୁ  ଘରେ ପଶି ହତ୍ୟା କରିଥିଲେ ପୁଷ୍ପଲତାଙ୍କ ପୁଅ ଲକ୍ଷ୍ମୀଧରଙ୍କର ୪ ଜଣ ସାଙ୍ଗ । ତେବେ ସନ୍ଦେହ ଏଡାଇବାକୁ ସାଙ୍ଗ ଲକ୍ଷ୍ମୀଧର ସହ ନାଟକବାଜି କରି ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ଓ ବିଶ୍ୱାସ ଜମାଇବାକୁ ପୁଲିସ ନିକଟକୁ ମଧ୍ୟ ଲକ୍ଷ୍ମୀଧରଙ୍କ ସହ ଯାଇଥିଲେ  । ଦୀର୍ଘ ୧୧ ମାସ ପରେ ପୁଲିସ ହତ୍ୟାକାଣ୍ଡର ଫର୍ଦ୍ଦାଫାଶ କରିବାରେ ସଫଳ ହୋଇଛି  । ଗିରଫ ୩ ଅଭିଯୁକ୍ତ ଛୋଟ ଦୋକାନ କରି ବ୍ୟବସାୟ କରନ୍ତି । ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସୁନୀଲ ପାତ୍ର ବୋଲି ଜଣାପଡିଥିବାବେଳେ ଏମାନଙ୍କ ଟିଆର ପ୍ୟାରେଡ କରାଯିବ ବୋଲି କହିଛି ପୁଲିସ  ।