କନକ ବ୍ୟୁରୋ: ଏବେ ଏବେ ଜ୍ୱର ଛାଡ଼ିଛି। ଘରେ ଆଉ ମନ ଲାଗୁନି। ମାଉସୀ ଘର ବୁଲିଯିବାକୁ ମନ ବଳିଛି। ପ୍ରଭୁଙ୍କ ମନ ଜାଣି ମହାରଣା ପୁଅ ରଥ ଗଢ଼ି ଦେଇଛି। ପଥ ବି ରଥାରୂଢ଼ ପ୍ରଭୁଙ୍କ ବାଟକୁ ଚାହିଁ ବସିଛି। ୧୫ ଦିନ ଅଣସର ଘରେ ରହିବା ପରେ ପ୍ରଭୁଙ୍କୁ ଦେଖିବାକୁ ଭକ୍ତ ବି ବ୍ୟାକୁଳ ନେତ୍ରରେ ଚାହିଁ ରହିଛି। ଆଜି ନବଯୌବନ ବେଶରେ ସଜେଇ ହୋଇ ଦର୍ଶନ ଦେବେ ଭାଉ ଭଉଣୀ। ନେତ ବନ୍ଧା ପରେ ରଥ ବି ଚୂଡ଼ାନ୍ତ ରୂପ ନେବ। ମାନବୀୟ ଲୀଳାର ପରମ ଆରାଧ୍ୟ ପ୍ରଭୁ ଦର୍ଶନ ଦେଇଦେଇ ଯିବେ ଗୁଣ୍ଡିଚା ବାଡ଼ି। ରାଜଧାନୀରେ ବି ରଥକୁ ନେଇ ନାହିଁ ନଥିବା ଉତ୍ସାହ। ବର୍ଷା ଯଦି ଦୟା କରେ ତେବେ ଜମିଯିବ ରଥଯାତ୍ରା। ସହରରେ ୬୦ରୁ ଅଧିକ ସ୍ଥାନରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାର ମହାର୍ଘ୍ୟ ଆସର ଯେତିକି ନିଆରା, ସେତିକି ରୋଚକ….

ସବୁଠୁ ବଡ଼ ବିଗ୍ରହ, ମାଳିକା ସିଦ୍ଧାନ୍ତ ରଥଯାତ୍ରା

ଖଣ୍ଡଗିରିସ୍ଥିତ କୋଳଥିଆ ନିକଟ ଚିଦାନନ୍ଦ ବିହାର ଜଗନ୍ନାଥ ମନ୍ଦିରରେ ବିରାଜିତ ପ୍ରଭୁ ରାଜଧାନୀରେ ପୂଜିତ ଚତୁର୍ଧା ମୂର୍ତିମାନଙ୍କ ମଧ୍ୟରେ ସବୁଠୁ ଉଚ୍ଚ। ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଦାରୁ ବିଗ୍ରହ ୩ଫୁଟ ୧୧ ଇଞ୍ଚ ଏବଂ ମା’ ସୁଭଦ୍ରାଙ୍କ ବିଗ୍ରହ ୩ଫୁଟ ୬ ଇଞ୍ଚ ବିଶିଷ୍ଟ। ଖଣ୍ଡଗିରିର ଦକ୍ଷିଣରେ ରଥଯାତ୍ରା ଅନୁଷ୍ଠିତ ହେବା ବିଷୟ ମାଳିକାରେ ଉଲ୍ଲେଖ ରହିଥିବା ବେଳେ ଏହା ସେଇ ମାଳିକା ସିଦ୍ଧାନ୍ତ ରଥଯାତ୍ରା। ଶ୍ରୀକ୍ଷେତ୍ର ରୀତିନୀତି ମୁତାବକ ଏଠାରେ ପ୍ରଭୁ ଉତ୍ତରମୁଖା ହୋଇ ଯାଆନ୍ତି ଏବଂ ଦକ୍ଷିଣ ମୁଖା ହୋଇ ଫେରନ୍ତି। ଦକ୍ଷିଣୀ ମୋଡ଼ କରାଯାଏ। ଏଠାରେ ପ୍ରତିଷ୍ଠିତ ଚତୁର୍ଧା ମୂର୍ତି ଫିଲାଡେଲ୍‌ଫିଆ ଯିବା ପାଇଁ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବୃହତ୍ତାକାର ଯୋଗୁଁ ଠାକୁରଙ୍କୁ ସେଠାକୁ ନେବା ବାତିଲ୍‌ ହୋଇଥିଲା। ୧୯୯୮ରେ ଏହି ଚତୁର୍ଧା ମୂର୍ତିକୁ ଦିବ୍ୟ ଜୀବନ ସଂଘ ଏକ ସମ୍ମିଳନୀକୁ ଆଣି ପୁରୀକୁ ଫେରାଇ ଦେଇଥିଲେ। ସେହି ସମୟରେ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀଙ୍କୁ ସ୍ୱପ୍ନ ହେଲା ଖଣ୍ଡଗିିରି ନିକଟରେ ପ୍ରତଷ୍ଠା ପାଇଁ। ୨୦୦୧ରେ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ୨୦୦୨ରୁ ରଥଯାତ୍ରା ଅନୁଷ୍ଠିତ ହେଉଛି।

ରଥଚକ ସଂଖ୍ୟା ପୁରୀ ସହ ସମାନ

ପୁରୀ ଓ ‘କିସ୍‌’ ଶ୍ରୀବାଣୀ କ୍ଷେତ୍ରରେ ପ୍ରସ୍ତୁତ ରଥ ମଧ୍ୟରେ ଅନେକାଂଶରେ ସାମଞ୍ଜସ୍ୟ ଥାଏ। ବିଧି ଅନୁଯାୟୀ ପୁରୀରେ ଜଗନ୍ନାଥଙ୍କ ରଥ ୧୬ ଚକିଆ, ବଳଭଦ୍ରଙ୍କ ରଥ ୧୪ ଚକିଆ ଏବଂ ସୁଭଦ୍ରାଙ୍କ ରଥ ୧୨ ଚକିଆ ହୋଇଥିବା ବେଳେ ଶ୍ରୀବାଣୀ କ୍ଷେତ୍ରରେ ମଧ୍ୟ ଅନୁରୂପ ଚକ ଲାଗେ।

ସବୁଠୁ ଭିଡ଼, ଆଡ଼ମ୍ବର

ଇସ୍କନ୍‌ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ରଥ ସିଆର୍‌ପି ଓ ୟୁନିଟ୍‌ ୮ ଡିଏଭି ସ୍କୁଲ୍‌ ଦେଇ ଗୁଣ୍ଡିଚା ମନ୍ଦିରକୁ ଯିବା ବେଳେ ପ୍ରବଳ ଭକ୍ତଙ୍କ ସମାଗମ ହୁଏ। ଇସ୍କନ୍‌ ରଥ ସ୍ୱତନ୍ତ୍ର ଭାବେ ନିର୍ମିତ ଗୁଣ୍ଡିଚା ମନ୍ଦିରକୁ ଆସେ। ଜାଗମରା ଧର୍ମବିହାରସ୍ଥିତ ଜଗନ୍ନାଥ ମନ୍ଦିର ପକ୍ଷରୁ ସବୁଠୁ ଆଡ଼ମ୍ବରପୂର୍ଣ୍ଣ ରଥଯାତ୍ରା ଅନୁଷ୍ଠିତ ହୁଏ। ସଂକୀର୍ତନ ସାଙ୍ଗକୁ ଘୋଡ଼ା, ବୃଷଭ, ନାଗାନାଚ, ବୁଢ଼ାବୁଢ଼ୀ, ବଗବଗୁଲି ନାଚ ଆକର୍ଷଣ ସାଜିଥାଏ ।

୩୭ ଫୁଟିଆ ରଥ 

ପଟିଆ ଗଡ଼ସ୍ଥିତ ଚନ୍ଦନ କ୍ଷେତ୍ରରେ ସବୁଠୁ ଉଚ୍ଚ ରଥ। ଏହି ରଥର ଉଚ୍ଚତା ୩୫ ଫୁଟ ହୋଇଥିବା ବେଳେ ଦଧିନଉତି ଓ ଓଲଟ ଶୁଆକୁ ମିଶାଇ ୩୭ ଫୁଟ ହେବ। ଠିକ୍‌ ସେହିଭଳି ୟୁନିଟ୍‌ ୮ ରଥର ଉଚ୍ଚତା ୩୧ ଫୁଟ ବିଶିଷ୍ଟ।

ପିଲାଏ ଟାଣିବେ ରଥ

ପ୍ରଭୁଙ୍କ ପହଣ୍ଡିଠୁ ଆରମ୍ଭ କରି ଘଣ୍ଟୁଆ ସାଜି ରଥ ବାହିନେବେ ପିଲାଏ। ରଥ ବି ଟାଣିବେ କେବଳ ପିଲାଏ। ଯମ୍ବେଶ୍ୱର ପାଟଣା ସାହି ଶ୍ରୀଜଗନ୍ନାଥ ରଥଯାତ୍ରା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ନିଆରା ରଥଯାତ୍ରାରେ ୧୦୦ରୁ ଅଧିକ ପିଲାଏ ମୁଖ୍ୟ ଭୂମିକା ତୁଲାଇବେ ବୋଲି କମିଟି ସମ୍ପାଦକ ବସନ୍ତ ସମର୍ଥା କହିଛନ୍ତି। ଯମ୍ବେଶ୍ୱର ପାଟଣା ସାହିରୁ ବାହାରି ତିନିମୁଣ୍ଡିଆ ଓ ଲିଙ୍ଗରାଜ ମନ୍ଦିର ଦେଇ ଗଙ୍ଗା ଯମୁନା ମନ୍ଦିର ନିକଟରେ ପହଞ୍ଚିବ ବୋଲି କମିଟିର ସଭାପତି ଶକ୍ତିପ୍ରସାଦ ସାହୁ କହିଛନ୍ତି। ସାଇଶ୍ରୀ କ୍ଲବ୍‌ ପକ୍ଷରୁ ଭୀମଟାଙ୍ଗି ତଳ ଫେଜ୍‌ରେ ମହିଳା ଓ ପିଲାମାନଙ୍କ ଦ୍ୱାରା ରଥ ତିଆରି ସମ୍ପନ୍ନ ହୋଇଛି ବୋଲି ଆୟୋଜିକା ବବିତା ସାହୁ କହିଛନ୍ତି।

ମହିଳା ଟାଣିବେ ସୁଭଦ୍ରା ରଥ
ଇସ୍କନ, ଆର୍‌ସିଏମ୍‌, କିସ୍‌, ତମାଣ୍ଡୋର ସୁଭଦ୍ରାଙ୍କ ରଥକୁ ମହିଳା ଓ ଯୁବତୀମାନେ ଟାଣନ୍ତି। ଆର୍‌ସିଏମ୍‌ରେ ରଥ ସମ୍ମୁଖରେ ଆଦିବାସୀ ମାନେ ନୃତ୍ୟ ପରିବେଷଣ କରନ୍ତି। ଚନ୍ଦ୍ରଶେଖରପୁର ରଥର ଗୋଟେ ଦଉଡ଼ି ଆଦିବାସୀ ଏବଂ ଅନ୍ୟ ଦଉଡ଼ିକୁ ଅନ୍ୟ ବର୍ଗର ଲୋକେ ଟାଣନ୍ତି। ଶୈଳଶ୍ରୀ ବିହାର ରଥ ଉପରେ ସୁନା ଝାଡ଼ୁରେ ଛେରା ପହଁରା ହୁଏ।

ସୁଦର୍ଶନ ଦେବଙ୍କ ରଥ ନିର୍ମାଣ ଶେଷ, ଦକ୍ଷିଣ ମୋଡ଼ ଆଜି 

ବାଲିଅନ୍ତା ବ୍ଲକ ଅଧୀନ ଗଡ଼ କଣ୍ଟୁଣିଆସ୍ଥିତ ସୁଦର୍ଶନ ଦେବଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।  ଆଜି ଅପରାହ୍ନରେ ନିର୍ମିତ ରଥ ଦକ୍ଷିଣ ମୋଡ଼ ନେବ ବୋଲି ଅନୁଷ୍ଠାନର ଜଣେ ସଦସ୍ୟ କହିଛନ୍ତି। ୧୭ ଫୁଟ୍‌ ଉଚ୍ଚତା, ୧୦ ଫୁଟ୍‌ ଚଉଡ଼ା ଓ ୬ ଚକା ବିଶିଷ୍ଟ ଏହି ରଥ ଚୂଡ଼ାରେ ଦଧିନଉତି ଓ ଏହା ଉପରେ ନେତକୁ ମିଶାଇ ପ୍ରାୟ ୨୦ ଫୁଟ ହେବ। ଗୁଣ୍ଡିଚା ସକାଳେ ରଥରେ ବନଉତ ଘେରାଯିବା ସହ ଦୁଇଟି ଘୋଡ଼ା ଓ ଆଉ ଦୁଇଟି ଓଲଟା ଶୁଆ ଲାଗି ହେବ। ରଥରେ ୧୦୦ ଫୁଟ ଲମ୍ବର ଦଉଡ଼ି ବନ୍ଧାଯିବ।

୪୬ ବର୍ଷର ରଥଯାତ୍ରା

୧୯୭୨ ନବକଳେବର କଥା। ଶ୍ରୀକ୍ଷେତ୍ରରେ ଚତୁର୍ଧା ମୂର୍ତି ଗଢ଼ା ଯିବା ପରେ ବଳି ପଡ଼ିଥିଲା କିଛି କାଠ। ଆଉ ଏହି କାଠରେ ଗଢ଼ା ଯାଇଥିଲା ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ମୂର୍ତି। ଏହାକୁ ନିଜ ବାସଭବନକୁ ନେଇ ଆସିଥିଲେ ତତ୍କାଳୀନ ଓୟୁଏଟି ପ୍ରଫେସର ଡ. ସୁପ୍ରସନ୍ନ ମହାନ୍ତି। ପରେ ମୁକ୍ତିମଣ୍ଡପର ସଦାଶିବ ରଥଶର୍ମାଙ୍କ ସମେତ କିଛି ମୁକ୍ତିମଣ୍ଡପର ବ୍ରାହ୍ମଣମାନଙ୍କ ଦ୍ୱାରା ୟୁନିଟ୍‌ ୮ସ୍ଥିତ ଓୟୁଏଟି କଲୋନିରେ ଦିଅଁମାନଙ୍କୁ ପ୍ରତିଷ୍ଠା କରାଯାଇଥିଲା। ୧୯୭୩ ମସିହାରୁ ଏଠାରେ ଏହି ଦାରୁ ବିଗ୍ରହଙ୍କୁ ନେଇ ଅନୁଷ୍ଠିତ ହେଉଛି ରଥଯାତ୍ରା। ଚଳିତ ବର୍ଷ ୪୬ ବର୍ଷରେ ପଦାର୍ପଣ କରିବ ଏଠିକାର ରଥଯାତ୍ରା। ଏହା ରାଜଧାନୀର ସବୁଠୁ ପୁରୁଣା ଓ ପ୍ରଥମ ରଥଯାତ୍ରା ବୋଲି କହିଛନ୍ତି ମନ୍ଦିର ପରିଚାଳନା କମିଟିର ପରିଚାଳନା ଟ୍ରଷ୍ଟି ବାମନ ପ୍ରସାଦ ଆଚାର୍ଯ୍ୟ।