ରସଗୋଲା ପରେ ରସାବଳି ଓ ଛେନାପୋଡ଼ : ଓଡ଼ିଶା ମିଷ୍ଟାନ୍ନ ଗୁଡ଼ିକର ଜିଆଇ ମାନ୍ୟତା ଦାବି ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ

135

କନକ ବ୍ୟୁରୋ : ଅନେକ ବାଦବିବାଦ ପରେ ଓଡ଼ିଶା ରସଗୋଲାକୁ ମିଳିଛି ଭୌଗଳିକ ମାନ୍ୟତା । ବର୍ତ୍ତମାନ ‘ରସଗୋଲା’ର ଭୌଗୋଳିକ ଉତ୍ପତ୍ତି ଓଡ଼ିଶାରେ ହୋଇଛି ବୋଲି ବିଧିବଦ୍ଧ ମାନ୍ୟତା ଦିଆଯାଇଛି । ପଶ୍ଚିମବଙ୍ଗ ସହ ଲଢ଼େଇ ପରେ ରସଗୋଲା ଓଡ଼ିଶାର ବୋଲି ସ୍ୱୀକୃତି ମିଳିଛି । ଏବେ ରସଗୋଲା ପରେ ଆରିସା, ରସାବଳି, ଛେନାପୋଡ଼ ଓ କାକରା ଆଦି ମିଷ୍ଟାନ୍ନକୁ ବି ଜିଆଇ ମାନ୍ୟତା ମିଳବା ଆବଶ୍ୟକ ବୋଲି ବିଧାନସଭାରେ ଦାବି ହୋଇଛି । ଓଡ଼ିଶା ଠାରୁ ଆଉ କେହି ହକ୍ ଛଡ଼ାଇନେବା ପୂର୍ବରୁ ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେବା ଉଚିତ ବୋଲି ଗୃହରେ ଉଭୟ ଶାସକ ଦଳ ଓ ବିରୋଧୀ ଦଳ ବିଧାୟକମାନେ ପରାମର୍ଶ ଦେଇଛନ୍ତି ।

ଓଡ଼ିଶାର ପାରମ୍ପରିକ ଖାଦ୍ୟ ପ୍ରଣାଳୀର ଅନେକ ଐତିହ୍ୟ ରହିଛି । ଆମର ପୂର୍ବଜ ମାନେ ନୌବାଣିଜ୍ୟ କରୁଥିବା ସମୟରେ ଦକ୍ଷିଣ ପୂର୍ବ ଏସିଆ ଠାରୁ ଆରମ୍ଭ କରି ଭୂମଧ୍ୟସାଗର ଆଦି ଅଞ୍ଚଳକୁ ଯାଉଥିଲେ, ଯେଉଁଠି ଓଡ଼ିଶା ଖାଦ୍ୟର ଛାପ ରହିଛି । ବର୍ତ୍ତମାନ ଇଥିଓପିଆ ରେଷ୍ଟୁରାଂଟ ଗୁଡ଼ିକରେ ଓଡ଼ିଶା ଖାଦ୍ୟ ପ୍ରଣାଳୀ ସହ ସାମଞ୍ଜସ୍ୟ ରହିଛି ।  ଆମ ଖାଦ୍ୟପ୍ରଣାଳୀ ହେଉ କିମ୍ବା ମିଷ୍ଟାନ୍ନ ଗୁଡ଼ିକ ଉପରେ କେହି ନଜର ପକାଇବା ପୂର୍ବରୁ ଜିଆଇ ମାନ୍ୟତା ପାଇଁ ରାଜ୍ୟ ସରକାର ଆବଦେନ କରିବା ଉଚିତ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ଉଭୟ ବିରୋଧୀ ମଧ୍ୟ ଓଡ଼ିଶା ମିଷ୍ଟାନ୍ନ ପାଇଁ ଗୃହରେ ଜିଆଇ ମାନ୍ୟତା ପ୍ରସଙ୍ଗ ଉଠାଇଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଓଡ଼ିଶାର ପିଠା ଆରିସା, ମଣ୍ଡା, କାକରା ମୋଦକ ଆଦିକୁ ଜିଆଇ ମାନ୍ୟତା ମିଳିବା ଦରକାର । ରାଜ୍ୟ ସରକାର ତୁରନ୍ତ ଏଗୁଡ଼ିକର ଭୌଗଳିକ ମାନ୍ୟତା ଦାବି କରି କେନ୍ଦ୍ର ସରକାରଙ୍କୁ ଜଣାଇବା ଉଚିତ । କେବଳ କଂଗ୍ରେସ ନୁହେଁ ବିଜେପି ମଧ୍ୟ ଓଡ଼ିଶା ମିଷ୍ଟାନ୍ନ ପାଇଁ ରାଜ୍ୟ ସରକାର ତୁରନ୍ତ ଜିଆଇ ମାନ୍ୟତା ଆବେଦନ କରନ୍ତୁ ବୋଲି ପରାମର୍ଶ ଦେଇଛି ।